ବାଲି ଉଠାଣକୁ ବିରୋଧ

ଭଣ୍ଡାରିପୋଖରୀ,୧୭।୪ (ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଦେଇ ଯାଇଥିବା ବୈତରଣୀ ନଦୀର ୨/୩ ସ୍ଥାନକୁ ଛାଡ଼ିଦେଲେ ବାକି ଅଞ୍ଚଳରୁ ଦୈନନ୍ଦିନ ବାଲି ଚାଲାଣ ଏକ ନିତିଦିନିଆ ଘଟଣା ହୋଇଯାଇଛି। ବିଶେଷ କରି ବନ୍ଦାଳୋ-ମଢ଼ିଆଳି, ଝୁଟୁଣା, କୋରକରା, ରଘୁନାଥପୁର ଆଦି ସ୍ଥାନରୁ ଟ୍ରାକ୍ଟର ଯୋଗେ ପ୍ରତ୍ୟେକ ଦିନ ଶତାଧିକ ଟ୍ରିପ୍‌ ବାଲି ଚାଲାଣ ହେଉଛି। ନଦୀର କୁମ୍ଭାରୀଆଠାରେ ଥିବା ଏକ ସ୍ଥାନରୁ ବାଲି ଚାଲାଣ ହେଉଥିବାରୁ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଯାଜପୁରର କିଛି ବ୍ୟକ୍ତି ଲଗାତାର ଭାବେ ଗ୍ରାମ ସୀମାରୁ ବାଲି ଉତ୍ତୋଳନ କରି ବିକୁଥିବା ବେଳେ ଏହାକୁ ଅଞ୍ଚଳବାସୀ ବିରୋଧ କରିଥିଲେ। ଏବେ ଯାଜପୁର ପଟେ ବାଲି ବୋଝେଇ ଗାଡ଼ି ଯିବା ପାଇଁ ବାଧା ଉପୁଜିବାରୁ ମାଫିଆମାନେ ଅପରପାର୍ଶ୍ୱ କୁମ୍ଭାରୀଆ ଗଁା ପଟେ ନେବାକୁ ଯୋଜନା କରିଥିଲେ। ସେହି ଅନୁସାରେ ରବିବାର ଡୋଜର ଓ ଟ୍ରାକ୍ଟର ନେଇ ନଦୀ ଭିତରୁ ବାଲି ଉତ୍ତୋଳନ କରୁଥିବା ବେଳେ ଗଁା ଲୋକେ ବିରୋଧ କରିଛନ୍ତି। ଘଟଣା ସମ୍ପର୍କରେ ଜଗନ୍ନାଥପ୍ରସାଦ ରାଜସ୍ବ ନିରୀକ୍ଷକ, ତହସିଲଦାର ଓ ଥାନାଧିକାରୀଙ୍କୁ ଅବଗତ କରାଯାଇଥିଲା। ବେଆଇନ ବାଲି ଚାଲାଣକୁ ବିରୋଧ କରୁଥିବାରୁ ଗ୍ରାମବାସୀଙ୍କୁ ମାଫିଆମାନେ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି। ଗଁାର ମହିଳାମାନେ ଦୀର୍ଘ ସମୟ ଧରି ନଦୀବନ୍ଧ ଗଡ଼ାରେ ଜଗି ବସି ରହିବା ଯୋଗୁ ଟ୍ରାକ୍ଟର ଓ ଡୋଜର ବାଲି ନ ଚାଲାଣ ନ କରି ସ୍ଥାନ ଛାଡ଼ି ପଳାଇଥିଲେ। ଏ ସମ୍ପର୍କରେ ତହସିଲଦାର ସରୋଜକାନ୍ତ ନାୟକଙ୍କୁ ପଚାରିବାରୁ ବେଆଇନ ବାଲି ଚାଲାଣ ବିଷୟରେ ଖବର ପାଇଥିବା ବେଳେ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।