କଲ୍‌ଗର୍ଲ କରୁଛନ୍ତି ଲୋକଙ୍କ କରୋନା ଟେଷ୍ଟ, ବେଶ୍ୟାଳୟ ପାଲଟିଛି କୋଭିଡ୍‌ ସେଣ୍ଟର

ବର୍ଲିନ,୧୨।୫: କରୋନା ଭାଇରସ ସମଗ୍ର ବିଶ୍ୱକୁ କବଳିତ କରିରଖିଛି। ପ୍ରତ୍ୟେକ ମଣିଷ ନିଜ ନିଜ ସ୍ତରରେ ଏହି ମହାମାରୀ ସହ ଲଢ଼ିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଜର୍ମାନୀରେ ମଧ୍ୟ ଏମିତି କିଛି ସ୍ଥିତି ଦେଖିବାକୁ ମିଳିଛି। ଯେଉଁଠାରେ ଏକ ବେଶ୍ୟାଳୟକୁ କରୋନା ଟେଷ୍ଟିଂ ସେଣ୍ଟର କରାଯାଇଛି। ଏଠାରେ କାମ କରୁଥିବା ମହିଳାମାନେ ମଧ୍ୟ ଆକ୍ଟିଭ ହୋଇଯାଇଛନ୍ତି।

ଏହି ବେଶ୍ୟାଳୟ ଦକ୍ଷିଣ-ପଶ୍ଚିମ ଜର୍ମାନୀରେ ହାୟଡଲବର୍ଗ ନାମକ ଏକ ସହରରେ ରହିଛି। ଏହାର ନାମ ‘ବି ହିଭ୍‌ ଲଭ୍‌ ସେଣ୍ଟର’। ଏଠାରେ ୨୫ ଜଣ ମହିଳା କାମ କରୁଛନ୍ତି। ଜର୍ମାନୀର ସ୍ବାସ୍ଥ୍ୟକର୍ମୀ ଏହି ବେଶ୍ୟାଳୟର କିଛି ମହିଳାଙ୍କୁ କରୋନା ଟେଷ୍ଟ କରିବା ପାଇଁ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି। ଏଠାରେ କାମ କରୁଥିବା ୪୫ ବର୍ଷୀୟା ଜେନି ଏ ସମ୍ପର୍କରେ ନିଜର ମତ ରଖିଛନ୍ତି।

ଏକ ସାକ୍ଷାତକାରରେ ଜେନି କହିଛନ୍ତି, ମୋତେ ଏକ ସୁରକ୍ଷା ଗାଉନ, ମାସ୍କ ଏବଂ ଗ୍ଲୋଭ୍‌ସ ପିନ୍ଧିବାକୁ ପଡୁଛି। ସାଧାରଣ ଭାବରେ ଆମେ କେବେ ନିଜକୁ ଢାଙ୍କି ରଖୁନା। କିନ୍ତୁ ବର୍ତ୍ତମାନ ନିଜକୁ ଘୋଡ଼େଇ ରଖିବାକୁ ପଡୁଛି। ଏହି ଭାଇରସର ପ୍ରକୋପ ଦେଖି ଆମେ ସମସ୍ତେ ସାବଧାନ ରହିଛୁ।

ସେ କହିଛନ୍ତି, ଆମ କାମରେ ଆମକୁ ଅଧିକ ସମ୍ବେଦନଶୀଳ ରହିବାକୁ ପଡ଼ିଥାଏ। କରୋନା ଟେଷ୍ଟିଂ ସମୟରେ ବି ଏମିତି କିଛି ହୁଏ। ଟେଷ୍ଟିଂର ୨୦ ମିନିଟ୍‌ ଭିତରେ କୌଣସି ବ୍ୟକ୍ତିଙ୍କୁ ନିଜ ମୋବାଇଲକୁ ମେସେଜ୍‌ ଚାଲିଯାଉଛି। ବିଶେଷ କଥା ହେଲା ଏହି ଟେଷ୍ଟ ପାଇଁ ଲୋକଙ୍କୁ କୌଣସି ପ୍ରକାର ଅର୍ଥ ରାଶି ଦେବାକୁ ପଡୁନି।

Share