୧୫ ନୂତନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗୃହୀତ

ପାରାଦୀପ,୨୩ା୪(ସ୍ବ.ପ୍ର.): ପାରାଦୀପ ପୌର ପରିଷଦ ପକ୍ଷରୁ ଶୁକ୍ରବାର କାଉନ୍‌ସିଲର ବୈଠକ ବସିଥିଲା। ଚଳିତବର୍ଷ ପୌର ନିର୍ବାଚନ ପରେ ଏହା ପ୍ରଥମ ବୈଠକ ଥିଲା। ଏଥିରେ ନବନିର୍ବାଚିତ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଉପାଧ୍ୟକ୍ଷା ଛବିଲତା ରାଉତ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ପୌର ନିର୍ବାହୀ ଅଧିକାରୀ ସୌରିନ୍ଦ୍ର କୁମାର ରାଉତରାୟଙ୍କ ସମେତ ନୂତନ କାଉନସିଲର, ପୌର କର୍ମଚାରୀମାନେ ସାମିଲ ହୋଇଥିଲେ। ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ପାରିତ ହୋଇଛି। ଚଳିତ ଆର୍ଥିକ ବର୍ଷରେ ପୌରାଞ୍ଚଳର ବହୁବିଧ ବିକାଶ ପାଇଁ ୬୪ କୋଟି ୩୬ ଲକ୍ଷ ୫ହଜାର ୮୬୭ ଟଙ୍କାର ସମ୍ଭାବ୍ୟ ବ୍ୟୟବରାଦ କରାଯାଇଛି। ଯେଉଁଥିରେ ୧୫ଟି ପ୍ରସଙ୍ଗ ରହିଛି। ସେଗୁଡିକ ହେଲା ପାରାଦୀପରେ ଥିବା ଶିଳ୍ପାନୁଷ୍ଠାନ ସହ ସମ୍ପର୍କ ଯୋଡି ସେମାନଙ୍କ ସହଭାଗିତାରେ ବିକାଶ କାମ, ଶୁଦ୍ଧ ପାନୀୟଜଳ ପାଇଁ ନିଶ୍ଚିତ ବ୍ୟବସ୍ଥା, ବର୍ଷାଜଳ ନିଷ୍କାସନ ପାଇଁ ପଦକ୍ଷେପ, ଉଦୟବଟ ମୌଜାକୁ ପୌରାଞ୍ଚଳରେ ସାମିଲ କରିବା, ବେଳାଭୂମିରେ ସୌନ୍ଦର୍ଯ୍ୟକରଣ, ବିଜୟଚନ୍ଦ୍ରପୁରରେ ସ୍ମାର୍ଟ ପାର୍କ, ଜଳ ନିଷ୍କାସନ ପଥ ମୁକ୍ତ କରିବା, ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ, ଜଳାଶୟର ସୌନ୍ଦର୍ଯ୍ୟକରଣ ଓ ଜଳ ନିଷ୍କାସନ, ରାସ୍ତା ଡ୍ରେନ୍‌ ଓ ସର୍ବସାଧାରଣ ସ୍ଥାନକୁ ମୁକ୍ତ କରିବା ପାଇଁ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌, ଜାତୀୟ ସହରାଞ୍ଚଳ ଜୀବିକା ମିଶନ କାର୍ଯ୍ୟକ୍ରମରେ ମହିଳା ଯୁବତୀ ଯୁବକଙ୍କୁ ପ୍ରଶିକ୍ଷଣ ଓ କର୍ମନିଯୁକ୍ତି, ସମସ୍ତ ରାସ୍ତାକୁ ଆଲୋକିକରଣ, ପ୍ରାକୃତିକ ଜଳଧାରକୁ ମୁକ୍ତ କରିବା ପାଇଁ ଖସଡ଼ା, ଶିକ୍ଷାର ବିକାଶ ପାଇଁ ବିଦ୍ୟାଳୟ ଗୃହକୁ ରୁପାନ୍ତରିତ କରିବା ଏବଂ ସିଟିଜେନ ଆଡଭାଇଜରି କମିଟି ଗଠନ ହେବ ବୋଲି କୁହାଯାଇଛି। ପାରାଦୀପ ପୌର ପରିଷଦର ବିଭିନ୍ନ ସୂତ୍ରରୁ ୩୫ କୋଟି ୫୮ ଲକ୍ଷ ୪୮ ହଜାର ଟଙ୍କା ଆୟ ହୋଇଥିବା ବେଳେ ୨୦୨୧- ୨୨ର ବଳକା ଅର୍ଥ ୩୦ କୋଟି, ୭୧ ଲକ୍ଷ ୨୬ ହଜାର ୧୬୭ ଟଙ୍କା ରହିଛି। ଏହାକୁ ମିଶାଇ ପୌର ପରିଷଦ ପାଖରେ ମୋଟ୍‌ ୬୬ କୋଟି ୨୯ ଲକ୍ଷ ୭୪ ହଜାର ୧୬୭ ଟଙ୍କା ଅଛି। ଏହି କାଉନସିଲ ବୈଠକ ଶେଷଥର ପାଇଁ ୨୦୨୦ ଏପ୍ରିଲରେ ବସିଥିଲା। ଦୁଇବର୍ଷ ର୍ନିବାଚନ ବିଳମ୍ବ ହେବାରୁ ପ୍ରଶାସନିକ ଅଧିକାରୀ ମାନେ ପୌରପାଳିକାକୁ ପରିଚାଳନା କରୁଥିଲେ। ଏବେ ୨୩ ମାସ ପରେ ବୈଠକ ଅନୁଷ୍ଠିତ ହୋଇଛି।