ସ୍କୁଲ ପିଲାଙ୍କୁ ହୋମିଓପ୍ୟାଥି ଇମ୍ୟୁନିଟି ବୁଷ୍ଟର ଦେବା ପ୍ରସ୍ତାବ, ବିରୋଧ କରି ହାଇକୋର୍ଟର ଦ୍ୱାରସ୍ଥ ହେଲେ ଡାକ୍ତର…

ଥିରୁଭାନନ୍ତପୁରମ୍‌,୨୧।୧୦: ସ୍କୁଲ ପିଲାଙ୍କୁ କରୋନା ମହାମାରୀ ଲଢ଼େଇରେ ହୋମିଓପ୍ୟାଥି ଇମ୍ୟୁନିଟି ବୁଷ୍ଟର ଦିଆଯିବା ପ୍ରସ୍ତାବକୁ ବିରୋଓ କରି କେରଳର ଜଣେ ଡାକ୍ତର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଡାକ୍ତଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ଆର୍ସେନିକମ୍‌ ଅଲବମ୍‌-୩୦ ସିଏଚ୍‌ ଔଷଧକୁ ବିନା ପରୀକ୍ଷା ଛୋଟ ପିଲାଙ୍କୁ ଦେବା କ୍ଷତି କାରକ ସାବ୍ୟସ୍ତ ହେବାର ଆଶଙ୍କା ରହିଛି। ଏହା ଅମାନବୀୟ ବୋଲି ଡାକ୍ତର କାରିୟାକ୍‌ ଆବେ ଫିଲିପ୍ସ୍‌ କହିଛନ୍ତି।

ଫିଲିପ୍ସ୍‌ ଜଣେ ହେପାଟୋଲୋଜି ଏବଂ ଲିଭର ଟ୍ରାନ୍ସପ୍ଲାଣ୍ଟ୍‌ ମେଡ଼ିସିନ୍‌ ବିଶେଷଜ୍ଞ। ୨୦୧୬ରେ ସେ ହେପାଟୋଲୋଜି ଚିକିତ୍ସାରେ ଉତ୍କର୍ଷତା ପାଇଁ ରାଷ୍ଟ୍ରପତି ପଦକରେ ସମ୍ମାନୀତ ହୋଇଛନ୍ତି।

ରାଜ୍ୟ ସରକାର, ଶିକ୍ଷା ମନ୍ତ୍ରଣାଳୟ, ଆୟୁଷ ମନ୍ତ୍ରଣାଳୟ ଏବଂ ହୋମିଓପ୍ୟାଥି ନିର୍ଦ୍ଦେଶାଳୟ ପକ୍ଷରୁ ଛୋଟ ସ୍କୁଲ ପିଲାଙ୍କୁ କରୋନା ମହାମାରୀ ବିରୋଧରେ ଇମ୍ୟୁନିଟି ବୁଷ୍ଟର ଭାବେ ଆର୍ସେନିକମ୍‌ ଅଲବମ୍‌-୩୦ ସିଏଚ୍‌ ଔଷଧ ଦେବାକୁ ପ୍ରସ୍ତାବ ଅଣାଯାଇଛି। ଏଥି ପାଇଁ ରାଜ୍ୟରେ ‘କରୁଥାଲୋଡେ ମୁନୋଟ୍ଟୁ’(ସାବଧାନ ସହିତ ଆଗାନ୍ତୁ) ଅଭିଯାନ ଆରମ୍ଭ ହେବାକୁ ଯାଉଛି।

ଆର୍ସେନିକମ୍‌ ଅଲବମ୍‌-୩୦ ସିଏଚ୍‌ ଔଷଧରେ ଥିବା ଆର୍ସେନିକ୍‌ ଲିଭରକୁ କ୍ଷତି ପହଞ୍ଚାଇବାର ଆଶଙ୍କା ଥିବା ଆବେଦନରେ ଦର୍ଶାଯାଇଛି।

ରାଜ୍ୟରେ ଏହି ଅଭିଯାନ ଅକ୍ଟୋବର ୨୫ରୁ ଆରମ୍ଭ ହେବାକୁ ଯାଉଛି। ଆବେଦନକାରୀ ଏହି ଅଭିଯାନକୁ ରଦ୍ଦ କରିବା ଲାଗି କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଏହି ଆବେଦନ ଆଇନଜୀବୀ ଭି.ଏସ. ସୁଧୀର, ଆକାଶ ଏସ୍‌, ସୋନିଆ ଏସ୍‌ ଏବଂ ମେଘା ଏ ଙ୍କ ମାଧ୍ୟମରେ ଦାଖଲ କରାଯାଇଛି।

 

Share