ପୈତୃକ ସମ୍ପତ୍ତି ଓ କନ୍ୟାଙ୍କ କୋହ

ଡ. ବାସନ୍ତୀ ମହାନ୍ତି

କନ୍ୟାମାନଙ୍କର ପୈତୃକ ସମ୍ପତ୍ତିରେ ଅଧିକାର ସମ୍ପର୍କରେ ବହୁ ବିତର୍କ ପରେ ଏବେ ୨୦୨୦ ମସିହା ଅଗଷ୍ଟ ମାସରେ ମାନ୍ୟବର ସୁପ୍ରିମ୍‌କୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା କନ୍ୟାସନ୍ତାନମାନଙ୍କର ଆମତ୍ବିଶ୍ୱାସ ଓ ଆମତ୍ ମର୍ଯ୍ୟାଦା ବୃଦ୍ଧି କରିଛି। ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ରାୟ ଅନୁସାରେ ଝିଅ ସବୁବେଳେ ଝିଅ। ମାତାପିତା ବଞ୍ଚିଥାଆନ୍ତୁ କି ନ ଥାଆନ୍ତୁ। ତାକୁ ତା’ ସମ୍ପତ୍ତିରୁ କେହି ବଞ୍ଚିତ କରିପାରିବେ ନାହିଁ। ୧୯୫୬ ମସିହାରେ ପ୍ରଥମ କରି ଯେଉଁ ହିନ୍ଦୁ ଉତ୍ତରାଧିକାର ଆଇନ୍‌ ପ୍ରଣୟନ ହୋଇଥିଲା ସେଥିରେ ପୁତ୍ରମାନଙ୍କ ପରି କନ୍ୟାମାନଙ୍କର ସମ୍ପତ୍ତିରେ ଅଧିକାର ଥିଲା। କିନ୍ତୁ ତାହା କେବଳ ମାତୃ ସମ୍ପତ୍ତିରେ। ଅବିବାହିତା ବିଧବା ଓ ପତି ପରିତ୍ୟକ୍ତାମାନେ କେବଳ ପିତୃ ସମ୍ପତ୍ତିର ଅଧିକାରୀ ହେଉଥିଲେ। ନଚେତ୍‌ ପିତାମାତାଙ୍କର ଯଦି କୌଣସି ପୁତ୍ରସନ୍ତାନ ନ ଥାଏ ଓ ସେମାନେ ପୋଷ୍ୟ ପୁତ୍ର ଗ୍ରହଣ କରି ନ ଥାନ୍ତି, ତେବେ ପୈତୃକ ସମ୍ପତ୍ତିରେ କନ୍ୟାମାନଙ୍କର ଅଧିକାର ରହୁଥିଲା।
ଯେଉଁଠି ଅଧିକାର ପ୍ରସଙ୍ଗ ଉଠେ, ସେଠାରେ କର୍ତ୍ତବ୍ୟ ପ୍ରସଙ୍ଗ ଉଠିବା ସ୍ବାଭାବିକ। ଅପୁତ୍ରିକ ପିତାମାତାଙ୍କ ଦେଖାଶୁଣା ନ କରି ସମ୍ପତ୍ତିରେ ଭାଗବସିବା ନିଶ୍ଚୟ ଅଯୌକ୍ତିକ। କିନ୍ତୁ ଯେଉଁମାନଙ୍କର ପୁତ୍ର ଓ କନ୍ୟା ଉଭୟ ସମ୍ପତ୍ତିର ଦାବିଦାର ଅଛନ୍ତି ସେ ପ୍ରସଙ୍ଗ ଟିକେ ଭିନ୍ନ। କନ୍ୟାମାନଙ୍କର ପୈତୃକ ସମ୍ପତ୍ତିରେ ଯେଉଁ ଆଇନଗତ ଅଧିକାର ଅଛି, ସାମାଜିକ ସ୍ତରରେ ତାହା କାର୍ଯ୍ୟକାରୀ ହେବାପରି ଲାଗେ ନାହିଁ। କେତେଜଣ ପିତା ଓ ଭାଇ ସ୍ବତଃପ୍ରବୃତ୍ତ ହୋଇ ଭଉଣୀମାନଙ୍କୁ ସେମାନଙ୍କ ଭାଗ ଦେଇଥାଆନ୍ତି? ଏଥିରେ ବ୍ୟତିକ୍ରମ ହେଲେ କେତେଜଣ ମହିଳା ଆଇନ୍‌ର ସହାୟତା ଲୋଡିଥା’ନ୍ତି। ବର୍ଷକରେ ଥରେ ସାବିତ୍ରୀରେ ଶାଢ଼ି ଖଣ୍ଡେ ଓ ଅଷ୍ଟମୀରେ ଭଉଜା ଭାଣିଜୀଙ୍କୁ ଡ୍ରେସ୍‌ ହଳେ ଦେବା ସେମାନଙ୍କ ପାଇଁ କାଠିକର ପାଠ ହୋଇଯାଏ। ସେତିକି ଦେଇ ଦେଇ ସେମାନେ ବହୁତ କିଛି କରିଛନ୍ତି ବୋଲି ଭାବିଥା’ନ୍ତି। ଆଉ କେତେକ ଭାଇ ସେତକ ଦାୟିତ୍ୱ ତୁଲାଇବାର ଆବଶ୍ୟକତା ମଣନ୍ତି ନାହିଁ। ଏ କଥା ନୁହେଁ ଯେ ସାବିତ୍ରୀ ଶାଢ଼ି ଓ ଅଷ୍ଟମୀ ଡ୍ରେସ୍‌ ମାମୁ ଘରୁ ନ ଆସିଲେ ଭଉଣୀମାନଙ୍କର ସବୁ ଅଚଳ ହୋଇଯାଏ, ଏ ସବୁ ରୀତି ନୀତି ଆମ ସାମାଜିକ ବନ୍ଧନ ଓ ପାରିବାରିକ ସମ୍ପର୍କକୁ ଦୃଢ଼ କରିଥାଏ। ବିବାହ ବ୍ରତ ଆଦି ପର୍ବ ପର୍ବାଣିରେ ଭଉଣୀ ଓ ଭଣଜା ଭାଣିଜୀଙ୍କ ପାଇଁ କିଛି ଉପହାର ଓ ଭାର ବେଭାର ଦେବାବେଳେ ଭାଇ ଭାଉଜଙ୍କ ଭିତରେ ଅନେକ ବାକ୍‌ ବିତଣ୍ଡା ଲାଗି ରହିଥାଏ। ଅନେକ ଭଉଣୀ ଅଛନ୍ତି, ଯେଉଁମାନେ କି ସ୍ବାମୀ ଓ ଶାଶୁ ଶ୍ୱଶୁରଙ୍କ ଅଗୋଚରରେ ନିଜ ହାତରୁ ପଇସା ଖର୍ଚ୍ଚ କରି ବାପଭାଇ ଦେଇଛନ୍ତି ବୋଲି କହିଥା’ନ୍ତି। କେବଳ ବାପ ଭାଇଙ୍କ ସମ୍ମାନ ଉଚ୍ଚ କରିବା ପାଇଁ, ଏପରି କି ଅନ୍ୟ ସମୟମାନଙ୍କରେ ପିତା ଗୃହକୁ ଯିବା ଅବସରରେ ହାତରୁ ଜିନିଷ କିଣି ବାପା ଭାଇ ଦେଇଛନ୍ତି ବୋଲି ଝିଅମାନେ ଶାଶୁ ଘରେ କହିଥାନ୍ତି। ଏହା ପ୍ରାୟ ସବୁ ଝିଅମାନଙ୍କର ଅନୁଭବ। ଅପରପକ୍ଷେ ଝିଅମାନେ ବାପଘରର ସଦସ୍ୟମାନଙ୍କର ବିଭିନ୍ନ ସମୟରେ ବିଭିନ୍ନ ଆବଶ୍ୟକତା ପରିପୂରଣ କରିବାରେ କୁଣ୍ଠାବୋଧ କରନ୍ତି ନାହିଁ। ଏସବୁ ସତ୍ତ୍ୱେ ସେମାନଙ୍କୁ ପ୍ରାପ୍ୟ ପ୍ରତି ଅଣଦେଖା କରାଯାଇ ଥାଏ।
କନ୍ୟାସନ୍ତାନଟି ଯେତେଦିନ ପର୍ଯ୍ୟନ୍ତ ବାପାଭାଇଙ୍କର ତା’ ପ୍ରତି ହେଉଥିବା ଏ ପ୍ରକାର ଅନ୍ୟାୟକୁ ବରଦାସ୍ତ କରିଆସିଛି, ସେ ପର୍ଯ୍ୟନ୍ତ ସେ ସୁନାଝିଅ କିମ୍ବା ସୁନା ଭଉଣୀ। କିନ୍ତୁ ଥରେ ଯଦି ସେ ସମ୍ପତ୍ତି ଦାବି କଥା ଉଠାଇଲା ତ ବାପଝିଅଙ୍କର ସବୁ ସମ୍ପର୍କ କଟିଯାଏ। ଭାଇ ଭଉଣୀଙ୍କ ମଧ୍ୟରେ ଅହିନକୁଳ ସମ୍ପର୍କ ହୋଇଯାଏ। ଶତକଡା ନବେ ଭାଗ ଭଉଣୀ ପୈତୃକ ସମ୍ପତ୍ତି ଆଣନ୍ତି ନାହିଁ। ସେମାନେ ସମ୍ପର୍କ ଚାହାନ୍ତି, ସମ୍ପତ୍ତି ନୁହେଁ। ଭଉଣୀମାନଙ୍କର ଏ ଉଦାର ପଣକୁ ଭାଇମାନେ ଭଉଣୀମାନଙ୍କର ଦୁର୍ବଳତା ବୋଲି ଭାବନ୍ତି। ଅନେକ ପିତାମାତା ମଧ୍ୟ ଚାହାନ୍ତି ପୈତୃକ ସମ୍ପତ୍ତି ସବୁ ପୁତ୍ର ଭୋଗକରୁ, କନ୍ୟା ନୁହେଁ।
ପୈତୃକ ସମ୍ପତ୍ତି ଭୋଗ କରୁଥିବା ପୁତ୍ର ଓ ପୁତ୍ରବଧୂମାନେ ମାତାପିତାଙ୍କ ପ୍ରତି କେତେ ଦାୟିତ୍ୱବାନ୍‌ ରହନ୍ତି ସମାଜରେ କ୍ରମବର୍ଦ୍ଧିଷ୍ଣୁ ଜରାଶ୍ରମରୁ ସୁଧିଜନେ ଆକଳନ କରିପାରିବେ। ମାଆବାପା ରୋଗ ଶଯ୍ୟାରେ ପଡିଥିଲେ ପଇସା ପାଇଁ ହେଉ କି ସେବା ଶୁଶ୍ରୂଷା ଲାଗି ହେଉ ପୁଅବୋହୂମାନଙ୍କ ଭିତରେ ଛକାପଞ୍ଝା ଲାଗିଥିବା ବେଳେ ଅନେକ ଦାୟିତ୍ୱ ନୀରବରେ ସମ୍ଭାଳି ନେଇଥାନ୍ତି କନ୍ୟାମାନେ। ବାପଭାଇଙ୍କ ସମ୍ମାନ ରକ୍ଷା ପାଇଁ ହେଉ କିମ୍ବା ନିଜ ଶାଶୁଘରେ କଳହ ଆଶଙ୍କାରେ ହେଉ ଝିଅମାନେ ମାତାପିତାଙ୍କ ପାଇଁ ଯାହା ଖର୍ଚ୍ଚ କରିଥାନ୍ତି ଗୋପନ ରଖିଥାଆନ୍ତି, ଅଥଚ ପୁଅବୋହୂଙ୍କ ସଂସାରରେ ଯାହା ମାତାପିତାଙ୍କ ପାଇଁ ଖର୍ଚ୍ଚ କରାଯାଇଥାଏ ତାହାକୁ ବହୁଗୁଣିତ କରି ପ୍ରଚାର କରାଯାଇଥାଏ। ଅବଶ୍ୟ ସବୁ ପୁଅବୋହୂ ଏହିପରି ଅବିବେକୀ ନୁହନ୍ତି, ବିବେକବନ୍ତ ପୁଅବୋହୂ ଏବେ ବି ସଂସାରରେ ଅଛନ୍ତି ମାତ୍ର ସେମାନଙ୍କ ସଂଖ୍ୟା ଅଙ୍ଗୁଳିମେୟ। କନ୍ୟା ସନ୍ତାନମାନେ ପିତାମାତାଙ୍କ ସମ୍ପତ୍ତି ଆଶାରେ ସେବା କରନ୍ତି ନାହିଁ। ପିତାମାତାଙ୍କ ପ୍ରତି ସେମାନଙ୍କ ହୃଦୟରେ ଥିବା ସ୍ବଭାବସିଦ୍ଧି ଆବେଗ ଓ ମମତ୍ୱବୋଧ ହେତୁ ସେମାନେ କରିଥାନ୍ତି। ତଥାପି ଭଉଣୀମାନେ ହୁଅନ୍ତି ଅବହେଳିତା ଓ ବଞ୍ଚତ୍ତା।
କନ୍ୟାସନ୍ତାନମାନଙ୍କ ଏ ପ୍ରକାର ଅବଦାନକୁ ସ୍ବୀକାର କରି ମାନ୍ୟବର ସୁପ୍ରିମ୍‌କୋର୍ଟ ରାୟ ଦେଇ କହିଛନ୍ତି, ଝିଅ ସବୁବେଳେ ଝିଅ। ସେମାନଙ୍କୁ କେହି ସେମାନଙ୍କ ସମ୍ପତ୍ତି ଅଧିକାରରୁ ବଞ୍ଚତ୍ତ କରିପାରିବେ ନାହିଁ। ମାତାପିତା କେବଳ ପୁତ୍ର ସନ୍ତାନ ନଁାରେ ସମ୍ପତ୍ତି ଉଇଲ୍‌ କରିପାରିବେ ନାହିଁ। ଆହୁରି ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ଏଠି ରହିଛି। ଯଦି ପିତାଙ୍କର ମୃତ୍ୟୁ ଘଟିଥାଏ, କନ୍ୟା ଜୀବିତ ଥାଏ ସେ ତା’ର ନ୍ୟାଯ୍ୟ ଅଧିକାର ପାଇବ। ଆହୁରି ମଧ୍ୟ ପିତା ଓ କନ୍ୟା ଉଭୟ ମୃତ୍ୟୁବରଣ କରିଥିଲେ ମୃତ କନ୍ୟାର ସନ୍ତାନ ଅର୍ଥାତ୍‌ ନାତିନାତୁଣୀମାନେ ସୁଦ୍ଧା ପରଲୋକଗତ ମାଆର ସମ୍ପତ୍ତି ଉପରେ ସେମାନଙ୍କ ହକ୍‌ ସାବ୍ୟସ୍ତ କରିପାରିବେ।
ଏଇଠି କହିବାର କଥା ଯେଉଁଠି ଭଉଣୀମାନେ ସମ୍ପତ୍ତି ଦାବି କରୁ ନାହାନ୍ତି, ବୁଝିବା ଉଚିତ ଯେ ସେମାନଙ୍କୁ ଆଇନକାନୁନ୍‌ ଜଣାନାହିଁ କିମ୍ବା ସେମାନେ ଦୁର୍ବଳ। ସେମାନେ ସର୍ବଦା ଚାହାନ୍ତି ମଧୁର ପାରିବାରିକ ବନ୍ଧନ। ଏହା ଅଗଣିତ ଭଉଣୀମାନଙ୍କର କୋହର ଭାଷା। ତଥାପି ଯଦି ଭଉଣୀଟି ତା’ର ସର୍ବନିମ୍ନ ସମ୍ମାନ ବୋଧରୁ ବଞ୍ଚତ୍ତ ହେଉଛି ସେ ଜାଣିଶୁଣି ନୀରବ ରହିବା ମାନ୍ୟବର ସୁପ୍ରିମ୍‌କୋର୍ଟ ଦେଇଥିବା ରାୟର ଅବମାନନା ହେବ। କନ୍ୟା ସନ୍ତାନମାନେ ପରିବାରରେ ସେମିତି ଅବହେଳିତ ହେଉଥିବେ। ସମାଜରେ ଘଟୁଥିବା ଅନ୍ୟାନ୍ୟ ଅନ୍ୟାୟ ପ୍ରତି ଯେମିତି ସ୍ବର ଉତ୍ତୋଳନ କରାଯାଉଛି, ଏଥିପ୍ରତି ମଧ୍ୟ ସ୍ବର ଉତ୍ତୋଳନ କରାଯାଉ। ଆବେଗିକ ମୋହରେ ସବୁ ଅନ୍ୟାୟକୁ ମୁଣ୍ଡପାତି ସହିନେବା ଅନ୍ୟାୟ। ସାମାଜିକ ବ୍ୟତିକ୍ରମକୁ ସୁଧାରିବା ପାଇଁ କନ୍ୟାସନ୍ତାନଙ୍କ ପାଇଁ ଏହା ଏକ ଆହ୍ବାନ ହେଉ।
ଲକ୍ଷ୍ମୀସାଗର, ଭୁବନେଶ୍ୱର
ମୋ-୯୪୩୭୦୩୩୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri