ପୈତୃକ ସମ୍ପତ୍ତି ଓ କନ୍ୟାଙ୍କ କୋହ

ଡ. ବାସନ୍ତୀ ମହାନ୍ତି

କନ୍ୟାମାନଙ୍କର ପୈତୃକ ସମ୍ପତ୍ତିରେ ଅଧିକାର ସମ୍ପର୍କରେ ବହୁ ବିତର୍କ ପରେ ଏବେ ୨୦୨୦ ମସିହା ଅଗଷ୍ଟ ମାସରେ ମାନ୍ୟବର ସୁପ୍ରିମ୍‌କୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା କନ୍ୟାସନ୍ତାନମାନଙ୍କର ଆମତ୍ବିଶ୍ୱାସ ଓ ଆମତ୍ ମର୍ଯ୍ୟାଦା ବୃଦ୍ଧି କରିଛି। ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ରାୟ ଅନୁସାରେ ଝିଅ ସବୁବେଳେ ଝିଅ। ମାତାପିତା ବଞ୍ଚିଥାଆନ୍ତୁ କି ନ ଥାଆନ୍ତୁ। ତାକୁ ତା’ ସମ୍ପତ୍ତିରୁ କେହି ବଞ୍ଚିତ କରିପାରିବେ ନାହିଁ। ୧୯୫୬ ମସିହାରେ ପ୍ରଥମ କରି ଯେଉଁ ହିନ୍ଦୁ ଉତ୍ତରାଧିକାର ଆଇନ୍‌ ପ୍ରଣୟନ ହୋଇଥିଲା ସେଥିରେ ପୁତ୍ରମାନଙ୍କ ପରି କନ୍ୟାମାନଙ୍କର ସମ୍ପତ୍ତିରେ ଅଧିକାର ଥିଲା। କିନ୍ତୁ ତାହା କେବଳ ମାତୃ ସମ୍ପତ୍ତିରେ। ଅବିବାହିତା ବିଧବା ଓ ପତି ପରିତ୍ୟକ୍ତାମାନେ କେବଳ ପିତୃ ସମ୍ପତ୍ତିର ଅଧିକାରୀ ହେଉଥିଲେ। ନଚେତ୍‌ ପିତାମାତାଙ୍କର ଯଦି କୌଣସି ପୁତ୍ରସନ୍ତାନ ନ ଥାଏ ଓ ସେମାନେ ପୋଷ୍ୟ ପୁତ୍ର ଗ୍ରହଣ କରି ନ ଥାନ୍ତି, ତେବେ ପୈତୃକ ସମ୍ପତ୍ତିରେ କନ୍ୟାମାନଙ୍କର ଅଧିକାର ରହୁଥିଲା।
ଯେଉଁଠି ଅଧିକାର ପ୍ରସଙ୍ଗ ଉଠେ, ସେଠାରେ କର୍ତ୍ତବ୍ୟ ପ୍ରସଙ୍ଗ ଉଠିବା ସ୍ବାଭାବିକ। ଅପୁତ୍ରିକ ପିତାମାତାଙ୍କ ଦେଖାଶୁଣା ନ କରି ସମ୍ପତ୍ତିରେ ଭାଗବସିବା ନିଶ୍ଚୟ ଅଯୌକ୍ତିକ। କିନ୍ତୁ ଯେଉଁମାନଙ୍କର ପୁତ୍ର ଓ କନ୍ୟା ଉଭୟ ସମ୍ପତ୍ତିର ଦାବିଦାର ଅଛନ୍ତି ସେ ପ୍ରସଙ୍ଗ ଟିକେ ଭିନ୍ନ। କନ୍ୟାମାନଙ୍କର ପୈତୃକ ସମ୍ପତ୍ତିରେ ଯେଉଁ ଆଇନଗତ ଅଧିକାର ଅଛି, ସାମାଜିକ ସ୍ତରରେ ତାହା କାର୍ଯ୍ୟକାରୀ ହେବାପରି ଲାଗେ ନାହିଁ। କେତେଜଣ ପିତା ଓ ଭାଇ ସ୍ବତଃପ୍ରବୃତ୍ତ ହୋଇ ଭଉଣୀମାନଙ୍କୁ ସେମାନଙ୍କ ଭାଗ ଦେଇଥାଆନ୍ତି? ଏଥିରେ ବ୍ୟତିକ୍ରମ ହେଲେ କେତେଜଣ ମହିଳା ଆଇନ୍‌ର ସହାୟତା ଲୋଡିଥା’ନ୍ତି। ବର୍ଷକରେ ଥରେ ସାବିତ୍ରୀରେ ଶାଢ଼ି ଖଣ୍ଡେ ଓ ଅଷ୍ଟମୀରେ ଭଉଜା ଭାଣିଜୀଙ୍କୁ ଡ୍ରେସ୍‌ ହଳେ ଦେବା ସେମାନଙ୍କ ପାଇଁ କାଠିକର ପାଠ ହୋଇଯାଏ। ସେତିକି ଦେଇ ଦେଇ ସେମାନେ ବହୁତ କିଛି କରିଛନ୍ତି ବୋଲି ଭାବିଥା’ନ୍ତି। ଆଉ କେତେକ ଭାଇ ସେତକ ଦାୟିତ୍ୱ ତୁଲାଇବାର ଆବଶ୍ୟକତା ମଣନ୍ତି ନାହିଁ। ଏ କଥା ନୁହେଁ ଯେ ସାବିତ୍ରୀ ଶାଢ଼ି ଓ ଅଷ୍ଟମୀ ଡ୍ରେସ୍‌ ମାମୁ ଘରୁ ନ ଆସିଲେ ଭଉଣୀମାନଙ୍କର ସବୁ ଅଚଳ ହୋଇଯାଏ, ଏ ସବୁ ରୀତି ନୀତି ଆମ ସାମାଜିକ ବନ୍ଧନ ଓ ପାରିବାରିକ ସମ୍ପର୍କକୁ ଦୃଢ଼ କରିଥାଏ। ବିବାହ ବ୍ରତ ଆଦି ପର୍ବ ପର୍ବାଣିରେ ଭଉଣୀ ଓ ଭଣଜା ଭାଣିଜୀଙ୍କ ପାଇଁ କିଛି ଉପହାର ଓ ଭାର ବେଭାର ଦେବାବେଳେ ଭାଇ ଭାଉଜଙ୍କ ଭିତରେ ଅନେକ ବାକ୍‌ ବିତଣ୍ଡା ଲାଗି ରହିଥାଏ। ଅନେକ ଭଉଣୀ ଅଛନ୍ତି, ଯେଉଁମାନେ କି ସ୍ବାମୀ ଓ ଶାଶୁ ଶ୍ୱଶୁରଙ୍କ ଅଗୋଚରରେ ନିଜ ହାତରୁ ପଇସା ଖର୍ଚ୍ଚ କରି ବାପଭାଇ ଦେଇଛନ୍ତି ବୋଲି କହିଥା’ନ୍ତି। କେବଳ ବାପ ଭାଇଙ୍କ ସମ୍ମାନ ଉଚ୍ଚ କରିବା ପାଇଁ, ଏପରି କି ଅନ୍ୟ ସମୟମାନଙ୍କରେ ପିତା ଗୃହକୁ ଯିବା ଅବସରରେ ହାତରୁ ଜିନିଷ କିଣି ବାପା ଭାଇ ଦେଇଛନ୍ତି ବୋଲି ଝିଅମାନେ ଶାଶୁ ଘରେ କହିଥାନ୍ତି। ଏହା ପ୍ରାୟ ସବୁ ଝିଅମାନଙ୍କର ଅନୁଭବ। ଅପରପକ୍ଷେ ଝିଅମାନେ ବାପଘରର ସଦସ୍ୟମାନଙ୍କର ବିଭିନ୍ନ ସମୟରେ ବିଭିନ୍ନ ଆବଶ୍ୟକତା ପରିପୂରଣ କରିବାରେ କୁଣ୍ଠାବୋଧ କରନ୍ତି ନାହିଁ। ଏସବୁ ସତ୍ତ୍ୱେ ସେମାନଙ୍କୁ ପ୍ରାପ୍ୟ ପ୍ରତି ଅଣଦେଖା କରାଯାଇ ଥାଏ।
କନ୍ୟାସନ୍ତାନଟି ଯେତେଦିନ ପର୍ଯ୍ୟନ୍ତ ବାପାଭାଇଙ୍କର ତା’ ପ୍ରତି ହେଉଥିବା ଏ ପ୍ରକାର ଅନ୍ୟାୟକୁ ବରଦାସ୍ତ କରିଆସିଛି, ସେ ପର୍ଯ୍ୟନ୍ତ ସେ ସୁନାଝିଅ କିମ୍ବା ସୁନା ଭଉଣୀ। କିନ୍ତୁ ଥରେ ଯଦି ସେ ସମ୍ପତ୍ତି ଦାବି କଥା ଉଠାଇଲା ତ ବାପଝିଅଙ୍କର ସବୁ ସମ୍ପର୍କ କଟିଯାଏ। ଭାଇ ଭଉଣୀଙ୍କ ମଧ୍ୟରେ ଅହିନକୁଳ ସମ୍ପର୍କ ହୋଇଯାଏ। ଶତକଡା ନବେ ଭାଗ ଭଉଣୀ ପୈତୃକ ସମ୍ପତ୍ତି ଆଣନ୍ତି ନାହିଁ। ସେମାନେ ସମ୍ପର୍କ ଚାହାନ୍ତି, ସମ୍ପତ୍ତି ନୁହେଁ। ଭଉଣୀମାନଙ୍କର ଏ ଉଦାର ପଣକୁ ଭାଇମାନେ ଭଉଣୀମାନଙ୍କର ଦୁର୍ବଳତା ବୋଲି ଭାବନ୍ତି। ଅନେକ ପିତାମାତା ମଧ୍ୟ ଚାହାନ୍ତି ପୈତୃକ ସମ୍ପତ୍ତି ସବୁ ପୁତ୍ର ଭୋଗକରୁ, କନ୍ୟା ନୁହେଁ।
ପୈତୃକ ସମ୍ପତ୍ତି ଭୋଗ କରୁଥିବା ପୁତ୍ର ଓ ପୁତ୍ରବଧୂମାନେ ମାତାପିତାଙ୍କ ପ୍ରତି କେତେ ଦାୟିତ୍ୱବାନ୍‌ ରହନ୍ତି ସମାଜରେ କ୍ରମବର୍ଦ୍ଧିଷ୍ଣୁ ଜରାଶ୍ରମରୁ ସୁଧିଜନେ ଆକଳନ କରିପାରିବେ। ମାଆବାପା ରୋଗ ଶଯ୍ୟାରେ ପଡିଥିଲେ ପଇସା ପାଇଁ ହେଉ କି ସେବା ଶୁଶ୍ରୂଷା ଲାଗି ହେଉ ପୁଅବୋହୂମାନଙ୍କ ଭିତରେ ଛକାପଞ୍ଝା ଲାଗିଥିବା ବେଳେ ଅନେକ ଦାୟିତ୍ୱ ନୀରବରେ ସମ୍ଭାଳି ନେଇଥାନ୍ତି କନ୍ୟାମାନେ। ବାପଭାଇଙ୍କ ସମ୍ମାନ ରକ୍ଷା ପାଇଁ ହେଉ କିମ୍ବା ନିଜ ଶାଶୁଘରେ କଳହ ଆଶଙ୍କାରେ ହେଉ ଝିଅମାନେ ମାତାପିତାଙ୍କ ପାଇଁ ଯାହା ଖର୍ଚ୍ଚ କରିଥାନ୍ତି ଗୋପନ ରଖିଥାଆନ୍ତି, ଅଥଚ ପୁଅବୋହୂଙ୍କ ସଂସାରରେ ଯାହା ମାତାପିତାଙ୍କ ପାଇଁ ଖର୍ଚ୍ଚ କରାଯାଇଥାଏ ତାହାକୁ ବହୁଗୁଣିତ କରି ପ୍ରଚାର କରାଯାଇଥାଏ। ଅବଶ୍ୟ ସବୁ ପୁଅବୋହୂ ଏହିପରି ଅବିବେକୀ ନୁହନ୍ତି, ବିବେକବନ୍ତ ପୁଅବୋହୂ ଏବେ ବି ସଂସାରରେ ଅଛନ୍ତି ମାତ୍ର ସେମାନଙ୍କ ସଂଖ୍ୟା ଅଙ୍ଗୁଳିମେୟ। କନ୍ୟା ସନ୍ତାନମାନେ ପିତାମାତାଙ୍କ ସମ୍ପତ୍ତି ଆଶାରେ ସେବା କରନ୍ତି ନାହିଁ। ପିତାମାତାଙ୍କ ପ୍ରତି ସେମାନଙ୍କ ହୃଦୟରେ ଥିବା ସ୍ବଭାବସିଦ୍ଧି ଆବେଗ ଓ ମମତ୍ୱବୋଧ ହେତୁ ସେମାନେ କରିଥାନ୍ତି। ତଥାପି ଭଉଣୀମାନେ ହୁଅନ୍ତି ଅବହେଳିତା ଓ ବଞ୍ଚତ୍ତା।
କନ୍ୟାସନ୍ତାନମାନଙ୍କ ଏ ପ୍ରକାର ଅବଦାନକୁ ସ୍ବୀକାର କରି ମାନ୍ୟବର ସୁପ୍ରିମ୍‌କୋର୍ଟ ରାୟ ଦେଇ କହିଛନ୍ତି, ଝିଅ ସବୁବେଳେ ଝିଅ। ସେମାନଙ୍କୁ କେହି ସେମାନଙ୍କ ସମ୍ପତ୍ତି ଅଧିକାରରୁ ବଞ୍ଚତ୍ତ କରିପାରିବେ ନାହିଁ। ମାତାପିତା କେବଳ ପୁତ୍ର ସନ୍ତାନ ନଁାରେ ସମ୍ପତ୍ତି ଉଇଲ୍‌ କରିପାରିବେ ନାହିଁ। ଆହୁରି ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ଏଠି ରହିଛି। ଯଦି ପିତାଙ୍କର ମୃତ୍ୟୁ ଘଟିଥାଏ, କନ୍ୟା ଜୀବିତ ଥାଏ ସେ ତା’ର ନ୍ୟାଯ୍ୟ ଅଧିକାର ପାଇବ। ଆହୁରି ମଧ୍ୟ ପିତା ଓ କନ୍ୟା ଉଭୟ ମୃତ୍ୟୁବରଣ କରିଥିଲେ ମୃତ କନ୍ୟାର ସନ୍ତାନ ଅର୍ଥାତ୍‌ ନାତିନାତୁଣୀମାନେ ସୁଦ୍ଧା ପରଲୋକଗତ ମାଆର ସମ୍ପତ୍ତି ଉପରେ ସେମାନଙ୍କ ହକ୍‌ ସାବ୍ୟସ୍ତ କରିପାରିବେ।
ଏଇଠି କହିବାର କଥା ଯେଉଁଠି ଭଉଣୀମାନେ ସମ୍ପତ୍ତି ଦାବି କରୁ ନାହାନ୍ତି, ବୁଝିବା ଉଚିତ ଯେ ସେମାନଙ୍କୁ ଆଇନକାନୁନ୍‌ ଜଣାନାହିଁ କିମ୍ବା ସେମାନେ ଦୁର୍ବଳ। ସେମାନେ ସର୍ବଦା ଚାହାନ୍ତି ମଧୁର ପାରିବାରିକ ବନ୍ଧନ। ଏହା ଅଗଣିତ ଭଉଣୀମାନଙ୍କର କୋହର ଭାଷା। ତଥାପି ଯଦି ଭଉଣୀଟି ତା’ର ସର୍ବନିମ୍ନ ସମ୍ମାନ ବୋଧରୁ ବଞ୍ଚତ୍ତ ହେଉଛି ସେ ଜାଣିଶୁଣି ନୀରବ ରହିବା ମାନ୍ୟବର ସୁପ୍ରିମ୍‌କୋର୍ଟ ଦେଇଥିବା ରାୟର ଅବମାନନା ହେବ। କନ୍ୟା ସନ୍ତାନମାନେ ପରିବାରରେ ସେମିତି ଅବହେଳିତ ହେଉଥିବେ। ସମାଜରେ ଘଟୁଥିବା ଅନ୍ୟାନ୍ୟ ଅନ୍ୟାୟ ପ୍ରତି ଯେମିତି ସ୍ବର ଉତ୍ତୋଳନ କରାଯାଉଛି, ଏଥିପ୍ରତି ମଧ୍ୟ ସ୍ବର ଉତ୍ତୋଳନ କରାଯାଉ। ଆବେଗିକ ମୋହରେ ସବୁ ଅନ୍ୟାୟକୁ ମୁଣ୍ଡପାତି ସହିନେବା ଅନ୍ୟାୟ। ସାମାଜିକ ବ୍ୟତିକ୍ରମକୁ ସୁଧାରିବା ପାଇଁ କନ୍ୟାସନ୍ତାନଙ୍କ ପାଇଁ ଏହା ଏକ ଆହ୍ବାନ ହେଉ।
ଲକ୍ଷ୍ମୀସାଗର, ଭୁବନେଶ୍ୱର
ମୋ-୯୪୩୭୦୩୩୦୭୪


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri