ଶ୍ରୀମନ୍ଦିରର ଭୁଲ୍‌ ଫଟୋ ଲଗାଇ ଅପପ୍ରଚାର

ପୁରୀ ଅଫିସ,୧୮ା୧୧: ଶ୍ରୀମନ୍ଦିରର ଭୁଲ୍‌ ଫଟୋ ବ୍ୟବହାର ଯୋଗୁ ଇଣ୍ଡିଆନ୍‌ ରେଲଓ୍ବେ କ୍ୟାଟରିଙ୍ଗ ଆଣ୍ଡ୍‌ ଟୁରିଜମ୍‌ କର୍ପୋରେଶନ (ଆଇଆର୍‌ସିଟିସି) ଓ ୨ ଓ୍ବେବ୍‌ ନ୍ୟୁଜ୍‌ ସଂସ୍ଥା ବିବାଦରେ ପଡ଼ିଛନ୍ତିି। ସେମାନଙ୍କ ଦ୍ୱାରା ଅନ୍ୟ ମନ୍ଦିରକୁ ଶ୍ରୀମନ୍ଦିର ପରିଚୟ ଦିଆଯିବାକୁ ବିରୋଧ କରି ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ମଙ୍ଗଳବାର ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି। ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ଶ୍ରୀଜଗନ୍ନାଥ ମନ୍ଦିର ଓ ସଂସ୍କୃତି ବିରୋଧରେ ଅନ୍ତର୍ଜାତୀୟସ୍ତରରେ ଷଡ଼ଯନ୍ତ୍ର କରାଯାଉଛି। ବିଭିନ୍ନ ସମୟରେ ଅନ୍ୟ ମନ୍ଦିରକୁ ଶ୍ରୀମନ୍ଦିରର ପରିଚୟ ଦିଆଯାଉଛି। ୨୦୧୮ରେ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାଲରେ ଆଇଆର୍‌ସିଟିସି ପକ୍ଷରୁ ଲଗାଯାଇଥିବା ଭାରତ ଦର୍ଶନ ପୋଷ୍ଟରରେ ହାଇଦ୍ରାବାଦର ଏକ ଜଗନ୍ନାଥ ମନ୍ଦିରକୁ ପୁରୀ ଜଗନ୍ନାଥ ମନ୍ଦିର ଭାବେ ଦର୍ଶାଯାଇଥିଲା। ଏହି ତ୍ରୁଟି ସମ୍ପର୍କରେ ସେ ଶ୍ରୀମନ୍ଦିର ପ୍ରଶାସନ ଏବଂ ରେଲୱେକୁ ଜଣାଇଥିଲେ। ସେମାନେ ବିବାଦୀୟ ପୋଷ୍ଟରକୁ ସାରା ଭାରତରୁ ହଟାଇବାକୁ କହିଥିଲେ, ଯାହା ବର୍ତ୍ତମାନ ତଦନ୍ତ ସାପେକ୍ଷ। ଏବେ ପୁଣି ୨ଟି ୱେବ୍‌ ନ୍ୟୁଜ୍‌ ସଂସ୍ଥା ଅନ୍ୟ ମନ୍ଦିରକୁ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶାଇଛି। ଏ ନେଇ ସେ ଶ୍ରୀମନ୍ଦିରର ଛତିଶା ନିଯୋଗ ନାୟକ ଏବଂ ପରିଚାଳନା କମିଟି ସଦସ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶ୍ରୀମନ୍ଦିର ବିରୋଧରେ ଏପରି ଅପପ୍ରଚାର ଚଳାଇଥିବା ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଖୁଣ୍ଟିଆ ଦାବି କରିଛନ୍ତି। ଆଗାମୀ ୨୪ଘଣ୍ଟା ମଧ୍ୟରେ ଯଦି କୌଣସି ପଦକ୍ଷେପ ନିଆ ନ ଯାଏ ତେବେ ସେ ଅନଶନରେ ବସିବେ ବୋଲି ଖୁଣ୍ଟିଆ କହିଛନ୍ତି।
ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି, ପରିଚାଳନା କମିଟି ବୈଠକରେ ଏହା ଉପରେ ଆଲୋଚନା କରାଯାଇଛି। ଶ୍ରୀଜଗନ୍ନାଥ ପ୍ରଚାର ପ୍ରସାର ସମିତିକୁ ଅଧିକ କ୍ରିୟାଶୀଳ ହେବାକୁ ହେବ। ବିଶେଷକରି ସୋସିଆଲ ମିଡିଆରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସମ୍ପର୍କିତ ତଥ୍ୟ ଏବଂ ଫଟୋ ଛଡ଼ାଯିବ। ଫଳରେ ଶ୍ରୀମନ୍ଦିର ବିଷୟରେ ଦେଶ ବିଦେଶର ଲୋକେ ଜାଣିପାରିବେ। ଆସନ୍ତା ଜାନୁୟାରୀ ଆରମ୍ଭରୁ ସୋସିଆଲ ମିଡିଆ କ୍ୟାମ୍ପେନ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।