୭ଦିନ ମଧ୍ୟରେ ସ୍ଥାୟୀ ପ୍ରତିକାର ଲାଗି ପ୍ରତିଶ୍ରୁତି

ନୀଳଗିରି, ୧୧।୪(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସି ଅଧୀନ ରାଡ଼ାର ରାସ୍ତାରେ ହୋଇଥିବା ଭେଣ୍ଡିଂଜୋନରେ ବିକ୍ରିବଟାରେ ସମସ୍ୟା ନେଇ ବ୍ୟବସାୟୀମାନେ ଏନ୍‌ଏସି ଅଫିସ ଆଗରେ ଧାରଣା ଲାଗି ଚେତାବନୀ ଦେଇଥିଲେ। ସୋମବାର ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ନୀଳଗିରି ଉପଜିଲାପାଳ ମନ୍ଦରଧର ମାହାଲିକ ଓ ସମସ୍ତ ଦୋକାନୀଙ୍କ ସହ ଶାନ୍ତିପୂର୍ଣ୍ଣ ଆଲୋଚନା ହୋଇଛି। ଆସନ୍ତା ୭ଦିନ ମଧ୍ୟରେ ସମସ୍ୟାର ପ୍ରତିକାର ଲାଗି ଆଶ୍ୱାସନା ମିଳିବା ପରେ ବ୍ୟବସାୟୀମାନେ ଆଶ୍ୱସ୍ଥ ହୋଇଛନ୍ତି। ନୀଳଗିରି ସହରର ଗୁଣ୍ଡିଚା ମନ୍ଦିରପାଶର୍‌ବରେ ବହୁବର୍ଷ ଧରି ଦୈନିକ ହାଟ ଚାଲିଆସୁଥିଲା। ପରେ କୌଣସି ଦୋକାନୀ ବଡ଼ଦାଣ୍ଡ ରାସ୍ତାରେ ବେପାର କରିପାରିବେ ନାହିଁ ବୋଲି ଏନ୍‌ଏସି ପକ୍ଷରୁ କଡ଼ାକଡ଼ି ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ ଗୁଣ୍ଡିଚା ବଜାରକୁ ସିଲ୍‌ କରି ରାଡ଼ାର ରାସ୍ତାରେ ଏକ ନୂତନ ଭେଣ୍ଡିଂ ଜୋନ୍‌ କରି ସେଠାରେ ଉକ୍ତ ଦୋକାନୀମାନଙ୍କୁ ଥଇଥାନ କରାଯାଇଥିଲା। ସେଠାରେ ବେପାର ମାନ୍ଦା ହେବା ନେଇ କେତେକ ଦୋକାନୀ ପୁନଃ ଗୁଣ୍ଡିଚା ମନ୍ଦିର ନିକଟ ସମେତ ରାସ୍ତାକଡ଼ରେ ବେପାର ଆରମ୍ଭ କଲେ। ଫଳରେ ଗ୍ରାହକମାନେ ଭେଣ୍ଡିଂ ଜୋନ୍‌କୁ ନ ଯାଇ ରାସ୍ତାକଡ଼ ଦୋକାନୀଙ୍କଠାରୁ କିଣାବିକା ଆରମ୍ଭ କରିଥିଲେ। ଫଳରେ ଏହି ଭେଣ୍ଡିଂଜୋନ୍‌ରେ ଥିବା ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।