ନୂଆଦିଲ୍ଲୀ,୧୫ା୩: ପଶ୍ଚିମ ଏସିଆରେ ଜାରି ରହିଥିବା ଦୀର୍ଘକାଳୀନ ଯୁଦ୍ଧ ଭାରତୀୟ ଅର୍ଥନୀତି ଉପରେ ଚାପ ପକାଇପାରେ। ନୀତି ଆୟୋଗର ସଦସ୍ୟ ରମେଶ ଚାନ୍ଦ ଏକ ସାକ୍ଷାତକାରରେ ଏନେଇ ସତର୍କ କରାଇଛନ୍ତି। ”ଯଦି ଇରାନ ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷ ଦୀର୍ଘସ୍ଥାୟୀ ହୁଏ, ତେବେ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶରେ ଖାଦ୍ୟ ତଥା ସାଧାରଣ ମୁଦ୍ରାସ୍ଫୀତି ବୃଦ୍ଧି ପାଇବାର ଆଶଙ୍କା ରହିଛି।
ଚାନ୍ଦଙ୍କ ଅନୁଯାୟୀ, କୃଷି କ୍ଷେତ୍ର ପାଇଁ ସବୁଠାରୁ ବଡ଼ ଚିନ୍ତା ହେଉଛି ସାର। ଭାରତ ପ୍ରାୟ ୮୦ ପ୍ରତିଶତ ୟୁରିଆ ନିଜେ ଉତ୍ପାଦନ କରୁଥିଲେ ମଧ୍ୟ ଏଥିପାଇଁ ପ୍ରାକୃତିକ ଗ୍ୟାସ୍ ବା ଶକ୍ତିର ଆବଶ୍ୟକତା ପଡ଼ିଥାଏ। ଯୁଦ୍ଧ ଯୋଗୁଁ ଗ୍ୟାସ୍ ଦର ବଢ଼ିଲେ ସାର ଉତ୍ପାଦନ ଖର୍ଚ୍ଚ ବଢ଼ିବ, ଯାହା ସରକାରଙ୍କ ସବସିଡି ବୋଝକୁ ମଧ୍ୟ ବୃଦ୍ଧି କରିବ।
ତେବେ ଭାରତ ପାଇଁ କିଛି ଆଶ୍ଵସ୍ତିକର ଖବର ମଧ୍ୟ ରହିଛି। ଅନ୍ୟ ଉପସାଗରୀୟ ଦେଶଙ୍କ ତୁଳନାରେ ଭାରତରେ ଖାଦ୍ୟ ଉତ୍ପାଦନ ଭଲ ଥିବାରୁ ଆମେ ଅଧିକ ସୁରକ୍ଷିତ। ସାର ଆବଶ୍ୟକତା ପାଇଁ ଭାରତ କେବଳ ଗୋଟିଏ ଦେଶ ଉପରେ ନିର୍ଭର ନକରି ଚାଇନା ଓ ରୁଷିଆ ଭଳି ଦେଶରୁ ସାମଗ୍ରୀ ଆଣିବାକୁ ପ୍ରସ୍ତୁତ ଅଛି। ଏହି ସମୟରେ ରାସାୟନିକ ସାର ବଦଳରେ ଜୈବିକ ସାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ସରକାରୀ ତଥ୍ୟ ଅନୁଯାୟୀ, ଫେବୃଆରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୩.୨ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଜାନୁଆରୀରେ ୨.୭୪ ପ୍ରତିଶତ ଥିଲା। ଯଦି ବିଶ୍ୱ ବଜାରରେ ଶକ୍ତି ସମ୍ପଦର ଦର ନିୟନ୍ତ୍ରଣ ବାହାରକୁ ଯାଏ, ତେବେ ସାଧାରଣ ଜନତାଙ୍କ ପକେଟ୍ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ।

