ପ୍ରକଳ୍ପ ଅଧାପନ୍ତରିଆ, ମାଡ଼ିଲାଣି ଗଛଲତା

ବାରିକପୁର,୧୯।୪(ସ୍ବ.ପ୍ର.) ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ଜଳମଣ୍ଡୁଆ ପଞ୍ଚାୟତ ସରିଫ୍‌ପୁର ଗ୍ରାମରେ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିବା ବେଳେ ଅର୍ଦ୍ଧନିର୍ମିତ ପ୍ରକଳ୍ପରେ ଗଛଲତା ମାଡ଼ି ଯାଇଥିବା ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳରେ ଲୋକଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଅବହେଳା ଯୋଗୁ ଯୋଜନାର ସଫଳ ରୂପାୟନ ହୋଇପାରୁ ନାହିଁ। ଲୋକେ ପାନୀୟ ଜଳ ପାଇପାରୁ ନାହାନ୍ତି।
ପ୍ରକାଶ ଯେ, ଗ୍ରାମ୍ୟ ଜଳ ଯୋଜନାରେ ସରିଫପୁର ଓ କରଞ୍ଜି ଏହି ଦୁଇ ଗ୍ରାମର ୪୦୦ ପରିବାରକୁ ପାନୀୟ ଜଳ ଯୋଗାଣ ପାଇଁ ୭୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର ହୋଇ ୩ ବର୍ଷ ତଳେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ମନ୍ଥର ଗତିରେ କାମ ଚାଲିଥିଲା। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁ ପ୍ରକଳ୍ପ କାର୍ଯ୍ୟ ଏବେ ଅଧାପନ୍ତରିଆ ଅବସ୍ଥାରେ ରହିଛି। ୮ ମାସରୁ ଊର୍ଦ୍ଧ୍ୱ ହେବ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିବା ବେଳେ ପ୍ରକଳ୍ପ ଅନାବନା ଗଛଲତାରେ ପୂର୍ଣ୍ଣ ହୋଇଗଲାଣି। ସେହିପରି କେତେକ ସ୍ଥାନରେ ପାଇପ୍‌ ବିଛାଇବା ପାଇଁ ଖୋଳାଯାଇ ମୁକୁଳା ଛଡ଼ାଯାଇଥିବାରୁ ବିପଦ ସାଜିଛି। ଛୋଟ ପିଲା ଓ ଗୃହପାଳିତ ପ୍ରାଣୀ ଏହି ଖାଲରେ ପଡ଼ି ଅଘଟଣ ଘଟିବାର ଆଶଙ୍କା ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ। କେତେକ ସ୍ଥାନରେ ଷ୍ଟାଣ୍ଡପୋଷ୍ଟ ନିର୍ମାଣ ହୋଇଥିବା ବେଳେ ପାଇପ୍‌ ବିଛା ସରିଛି। ଏବେ ଗ୍ରୀଷ୍ମ ଋତୁରେ ପାନୀୟ ଜଳ ଯୋଗାଣ ପାଇଁ ସରକାର ଓ ଜିଲା ପ୍ରଶାସନ ଗୁରୁତ୍ୱ ଦେଉଛନ୍ତି। ହେଲେ ଏଠାରେ ପ୍ରକଳ୍ପ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ନିର୍ମାଣ ସ୍ଥଳରେ ଫଳକ ନ ଥିବାରୁ କାର୍ଯ୍ୟରେ ଅନିୟମିତତା ହୋଇଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ବାସନ୍ତୀଲତା ଦାଶ କହିଛନ୍ତି, ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହେଉଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଏକାଧିକବାର ଲିଖିତ ଭାବେ ଜଣାଯାଇଛି। ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଭାଗୀରଥି ଦାଶଙ୍କୁ ପଚାରିବାରୁ ଠିକାଦାର ଅଧାରୁ କାର୍ଯ୍ୟ ବନ୍ଦ କରିଥିବାରୁ ପୁନଃ ଟେଣ୍ଡର ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ତୁରନ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି।