ନାମଯଜ୍ଞ ନେଇ କଟକଣା: ବିଜ୍ଞପ୍ତି ଜାରି କଲେ ବରଗଡ଼ ଜିଲାପାଳ

ବରଗଡ଼ ଅଫିସ,୧୦।୪: ବରଗଡ଼ ଜିଲାରେ କରୋନା(କୋଭିଡ-୧୯) ସଂକ୍ରମଣ ବଢ଼ି ଚାଲିଛି। ଏହାକୁ ପ୍ରତିହତ କରିବା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ଜିଲାରେ ନାମଯଜ୍ଞ ପାଳନ ଉପରେ ରୋକ ଲଗାଯାଇଛି। ଏଭଳି ସ୍ଥିତିରେ ଜିଲାର କୌଣସି ସ୍ଥାନ କିମ୍ବା ଗ୍ରାମରେ ନାମଯଜ୍ଞ ହୋଇ ପାରିବ ନାହିଁ ବୋଲି ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଶନିବାର ଏକ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ତେବେ ରାମ ନବମୀ, ମହାବିଷୁବ ସଂକ୍ରାନ୍ତି ପାଳନରେ ସେଭଳି ରୋକ ଲଗାଯାଇ ନ ଥିଲେ ହେଁ କୋଭିଡ୍‌ ଗାଇଡଲାଇନକୁ ଠିକ୍‌ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମନ୍ଦିର, ମସ୍‌ଜିଦ, ଚର୍ଚ୍ଚଗୁଡିକରେ କେବଳ ଗୋଟିଏ ପ୍ରବେଶ ଓ ପ୍ରସ୍ଥାନ ଦ୍ବାର ଖୋଲା ରଖି କୋଭିଡ ଗାଇଡଲାଇନ ପାଳନ କରିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ ରହିଛି। ଏହା ସହିତ ବିବାହୋତ୍ସବରେ ସର୍ବାଧିକ ୧୦୦ ଏବଂ ଶ୍ମଶାନରେ ୨୦ରୁ ଅଧିକ ଲୋକ ଉପସ୍ଥିତ ରହି ପାରିବେ ନାହିଁ ଏବଂ ଉପସ୍ଥିତ ଲୋକେ କୋଭିଡ ଗାଇଡଲାଇନ ପାଳନ କରିବାକୁ ନିର୍ଦ୍ଦେଶ ରହିଛି।