Categories: ଜାତୀୟ

ହିଜାବ ବିବାଦ: ଚାକିରି ଛାଡ଼ିଲେ ଅଧ୍ୟାପିକା

ବେଙ୍ଗାଲୁରୁ,୧୯।୨: କର୍ନାଟକର ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବକୁ ନେଇ କିଛିଦିନ ହେଲା ବିବାଦ ଲାଗି ରହିଥିବାବେଳେ ଏହାର ପ୍ରତିବାଦରେ ତୁମ୍‌କୁରୁସ୍ଥିତ ଜୈନ୍‌ ପିୟୁ କଲେଜର ଜଣେ ଅଧ୍ୟାପିକା ଚାକିରିରୁ ଇସ୍ତଫା ଦେଇଛନ୍ତି। ଗତ ସପ୍ତାହରେ କର୍ନାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରୀଛାତ୍ର ଓ ଶିକ୍ଷକ କେହି ଧର୍ମୀୟ ପ୍ରତୀକ ନ ପିନ୍ଧିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜୈନ ପିୟୁ କଲେଜର ଇଂଲିଶ ଅଧ୍ୟାପିକା ଥିବା ଚାନ୍ଦିନୀ ନାଜ୍‌ କହିଛନ୍ତି, ସେ ୩ ବର୍ଷ ହେଲା ଏଠାରେ ଅତିଥି ଅଧ୍ୟାପିକା ଭାବେ କାର୍ଯ୍ୟ କରିଆସୁଛନ୍ତି। କେବେ ସେ କୌଣସି ଅସୁବିଧା ଅନୁଭବ କରି ନ ଥିଲେ। ଗୁରୁବାର ସକାଳେ ପ୍ରିନ୍ସିପାଲ ସମସ୍ତ ଶିକ୍ଷକଙ୍କୁ ଡାକି ହିଜାବ କିମ୍ବା କୌଣସି ଧର୍ମୀୟ ପ୍ରତୀକ ବସ୍ତ୍ର ନ ପିନ୍ଧିବା ପାଇଁ ନିର୍ଦ୍ଦେଶ ଆସିଥିବା କହିଥିଲେ। ଏଭଳି କଟକଣା ତାଙ୍କ ଆତ୍ମସମ୍ମାନ ବିରୋଧରେ ଯାଉଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି। ହିଜାବ ବିନା ସେ କଲେଜରେ କାମ କରିପାରିବେ ନାହିଁ ବୋଲି କହିଥିବାର ଭିଡିଓ ବାର୍ତ୍ତା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Share