Categories: ଜାତୀୟ

ବିମାନରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ, ଅଭିଯୁକ୍ତ ପ୍ରଫେସର ଗିରଫ

ନୂଆଦିଲ୍ଲୀ,୨୮।୭: ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାଉଥିବା ବିମାନରେ ଯୌନ ଉତ୍ପୀଡ଼ନ ଅଭିଯୋଗରେ ଜଣେ ପ୍ରଫେସରଙ୍କୁ ଗିରଫ କରାଯାଇଛି। ଉଡ଼ାଣ ସମୟରେ ପ୍ରଫେସର ଜଣେ ୨୪ ବର୍ଷ ବୟସ୍କ ଡାକ୍ତର ମହିଳା ଯାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହା ପରେ ଅଭିଯୁକ୍ତକୁ ଅଭିଯୋଗରେ ଗିରଫ କରାଯାଇଥିବା ଜଣାପଡିଛି।

ରିପୋର୍ଟ ଅନୁଯାୟୀ, ଏହି ମାମଲା ଇଣ୍ଡିଗୋ ଏୟାରଲାଇନ୍ସର ବିମାନର। ପୋଲିସ କହିଛି ଯେ ଅଭିଯୁକ୍ତ ପ୍ରଫେସର ରୋହିତ ଶ୍ରୀବାସ୍ତବଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା ଏବଂ ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା।

ପୋଲିସର ସୂଚନାନୁସାରେ, ପାଟଣାର ବାସିନ୍ଦା ରୋହିତ ଶ୍ରୀବାସ୍ତବ ଏବଂ ଡାକ୍ତର ମହିଳା ଏକାଠି ବସିଥିଲେ। ବୁଧବାର ବିମାନ ଦିଲ୍ଲୀରୁ ସକାଳ ୫.୩୦ରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲା। ବିମାନଟି ମୁମ୍ବାଇରେ ଅବତରଣ କରିବାର କିଛି ସମୟ ପୂର୍ବରୁ ଅଭିଯୁକ୍ତ ଉକ୍ତ ମହିଳାଙ୍କ ସହ ଅସଦାଚରଣ କରିଥିଲେ। ପୋଲିସ କହିଛି ଯେ, ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ ଯାତ୍ରା ସମୟରେ ଶ୍ରୀବାସ୍ତବ ତାଙ୍କୁ ଅନୁପଯୁକ୍ତ ଭାବରେ ସ୍ପର୍ଶ କରିଥିଲେ।

Share