ମେଲାଣି ନେଲେ ମା’ କାଳୀ

ଭଦ୍ରକ ଅଫିସ,୧।୧୧: ଦୀପାବଳିଠାରୁ ୭ଦିନ ଧରି ଚାଲିଥିବା ଭଦ୍ରକ କାଳୀପୂଜା ରବିବାର ଶେଷ ହୋଇଥିବା ବେଳେ ସୋମବାର ମା’ ମେଲାଣି ନେଇଛନ୍ତି। ଭଦ୍ରକର ଏକମାତ୍ର ରାଜଘାଟ ପୋଲ ପୂଜା ମଣ୍ଡପର ଭସାଣି ଶୋଭାଯାତ୍ରା ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଥିଲା। ମଣ୍ଡପ ନିକଟରୁ ଶୋଭାଯାତ୍ରା ବାହାରି କଚେରି ବଜାର ଦେଇ ସହର ପରିକ୍ରମା କରିବା ପରେ ସାଳନ୍ଦୀ ନଦୀରେ ବିସର୍ଜନ କରାଯାଇଛି। ଅପରାହ୍ନ ୫ଟାରେ ଚରମ୍ପାର ୮ ମେଢ଼ ମଣ୍ଡପରୁ ଶୋଭାଯାତ୍ରାରେ ବାହାରି ଷ୍ଟେଶନ ଛକରେ ଏକତ୍ର ହୋଇଥିଲା। ଚରମ୍ପା ବଜାରର ସ୍କୁଲରୋଡ୍‌, ବିଶାଣିଖରିଦାର ବାସନ୍ତୀ କାଳୀମଣ୍ଡପ, ନବଗ୍ରହ ମନ୍ଦିର ରୋଡ୍‌ ଏରେଇଁ, ପିଡବ୍ଲ୍ୟୁଆଇ, ଡଗରାସାହି, ପଥରଆଡ଼ି, ଟ୍ରାଫିକ ଛକ ସମେତ ସମସ୍ତ ମେଢ଼ ସମୂହ ଶୋଭାଯାତ୍ରାରେ ନିଆଯାଇଥିଲା। ଦୁଲ୍‌ଦୁଲି ସିଂହବାଜା, ଢୋଲ, ଘଣ୍ଟ ଆଦି ବିଭିନ୍ନ ବାଦ୍ୟ ସହ ପାରମ୍ପରିକ ନୃତ୍ୟରେ ଚରମ୍ପା ବଜାର କମ୍ପିଥିଲା। ବଜାର ପରିକ୍ରମା ପରେ ଚରମ୍ପା ଛକ ନିକଟ କେନାଲରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ବିସର୍ଜନ କରାଯାଇଥିଲା।
ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ଓ ଟାଉନ ଥାନାଧିକାରୀ ଉମାଶଙ୍କର ନାୟକଙ୍କ ନେତୃତ୍ୱରେ ୭ଦିନ ଧରି ମୁତୟନ ରହିଥିବା ୧୮ ପ୍ଲାଟୁନ ଫୋର୍ସ ଶୋଭାଯାତ୍ରାରେ ନିୟୋଜିତ ଥିଲେ। ତେବେ ୭ଦିନ ଧରି ପୂଜା ଓ ମେଳା ପାଇଁ ଚରମ୍ପା ବଜାର ପ୍ରତି ସନ୍ଧ୍ୟାରେ ଜନସମୁଦ୍ର ପାଲଟିଥିଲା। ଶେଷଦିନ ରବିବାର ସନ୍ଧ୍ୟାରେ ହୋଇଥିବା ଭିଡ଼ ସବୁବର୍ଷର ରେକର୍ଡ ଭାଙ୍ଗିଥିବା କୁହାଯାଉଛି।