ବାତ୍ୟା ମୁକାବିଲା ପାଇଁ ପ୍ରଶାସନର ଆଗୁଆ ପ୍ରସ୍ତୁତି

   ପୁରୁଷୋତ୍ତମପୁର, ୨୪ା୧୦ (ସବିତା ମିଶ୍ର): ସମ୍ଭାବ୍ୟ ବନ୍ୟା, ବାତ୍ୟା ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ମନୁଷ୍ୟଙ୍କ ଧନଜୀବନ ସହ ଗୃହପାଳିତ ପଶୁ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ସାଧାରଣ ସମ୍ପତ୍ତିର କ୍ଷୟକ୍ଷତିକୁ ସର୍ବନିମ୍ନ ସ୍ତରରେ ରଖିବାକୁ ପ୍ରଶାସନ ପ୍ରାଥମିକତା ଦେଇଛି।

ଏ ନେଇ ଶନିବାର ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓ ଦେବାଶିଷ ସାମଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ତହସିଲଦାର ବିନୋଦ କୁମାର ବେହେରା, ଏବିଡିଓ ଜୟଶ୍ରୀ ନାୟକ, ଜଳସେଚନ ବିଭାଗୀୟ ଯନ୍ତ୍ରୀ ସାଗର କୁମାର ଦାଶ, ପଶୁଚିକିତ୍ସା ଅଧିକାରୀ ମନୋଜ କୁମାର ଶତପଥୀ, ସିଡିପିଓ ଲଳିତା ମଲ୍ଲିକଙ୍କ ସମେତ ସମସ୍ତ ରାଜସ୍ୱ ନିରୀକ୍ଷକ ଓ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୨୬ ତାରିଖ ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇ ୨୭, ୨୮ ଓ ୨୯ ତାରିଖରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଝଡ଼ବର୍ଷା, ପବନ, ସମ୍ବେଦନଶୀଳ ଅଞ୍ଚଳର ସ୍ଥିତି, ଜଳ ନିଷ୍କାସନ, ଉଦ୍ଧାର କାର୍ଯ୍ୟ, ରିଲିଫ୍ ବ୍ୟବସ୍ଥା ଓ ଜରୁରୀକାଳୀନ ସେବାର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।

ପୁରୁଷୋତ୍ତମପୁର ସହର ସମେତ ବ୍ଲକର ବିଭିନ୍ନ ଗ୍ରାମରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ଡ୍ରେନ୍ ଓ ଜଳ ନିଷ୍କାସନ ପଥ ସଫା କରିବା ସହ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ତହସିଲଦାର ବିନୋଦ କୁମାର ବେହେରା ଗୁରୁତ୍ୱାରୋପ କରିଥିଲେ। ଆବଶ୍ୟକ ପଡ଼ିଲେ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ପୁରୁଷୋତ୍ତମପୁର ଏନ୍‌ଏସି ଅଞ୍ଚଳରେ ନଦୀ ନିକଟରେ ଥିବା ସାଇଫନ୍‌ଗୁଡ଼ିକର ତଦାରଖ କରିବା, ଆଶ୍ରୟସ୍ଥଳୀରେ ଖାଦ୍ୟ ଓ ପାନୀୟ ଜଳ ମହଜୁଦ ରଖିବା ସହ ଚିକିତ୍ସା ସେବା, ବିଦ୍ୟୁତ୍ ଯୋଗାଣ ଓ ଯୋଗାଯୋଗ ବ୍ୟବସ୍ଥା ସଚଳ ରଖିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଏଥିସହ ଜନସାଧାରଣ ଭୟଭୀତ ନ ହୋଇ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ଓ ପାଣିପାଗ ବିଭାଗର ସତର୍କ ସୂଚନା ପାଳନ କରିବାକୁ ଅନୁରୋଧ କରାଯାଇଛି।

Dharitri – Odisha’s No.1 Odia Daily

Share