Categories: ଖେଳ

ପ୍ରୋ-କବାଡ଼ି ଲିଗ୍‌ ଆରମ୍ଭ

ବେଙ୍ଗାଲୁରୁ, ୮ା୧୦: ପ୍ରୋ-କବାଡି ଲିଗ୍‌ର ସିଜନ-୯ ଆରମ୍ଭ ହୋଇଛି। ଶୁକ୍ରବାର ସ୍ଥାନୀୟ କାନ୍ତିରାଭା ଇନ୍‌ଡୋର ଷ୍ଟାଡିୟମରେ ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚରେ ଦବଙ୍ଗ ଦିଲ୍ଲୀ କେସି ୪୧-୨୭ରେ ୟୁ ମୁମ୍ବାକୁ ପରାସ୍ତ କରିଛି। ଅଧିନାୟକ ନବୀନ କୁମାର ଦଳ ପାଇଁ ୧୩ ପଏଣ୍ଟ ସ୍କୋର କରିଥିଲେ। ତାଙ୍କ ରେଡ୍‌ ଖୁବ୍‌ ଚମତ୍କାର ଥିଲା। ଡିଫେଣ୍ଡର ବିଶାଲ ଓ ସନ୍ଦୀପ ଧୂଲ ତାଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିଥିଲେ। ଫଳରେ ଦିଲ୍ଲୀ ବିପକ୍ଷ ଦଳକୁ ଶୀଘ୍ର ଅଲଆଉଟ କରିବାରେ ସଫଳ ହୋଇଥିଲା। ୯ମ ମିନିଟ ଖେଳରେ ଦଳ ୧୧-୯ରେ ଅଗ୍ରଣୀ ଲାଭ କରିନେଇଥିଲା। ନବୀନ ତାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିବାରୁ ଅଗ୍ରଣୀ ବ୍ୟବଧାନ ୧୪-୫ରେ ପହଞ୍ଚତ୍ଥିଲା। କ୍ରିଶନଙ୍କ ନେତୃତ୍ୱରେ ଦବଙ୍ଗ ଦିଲ୍ଲୀର ଡିଫେନ୍ସ ୟୁନିଟ୍‌ ୟୁ ମୁମ୍ବା ରେଡରମାନଙ୍କୁ ଟ୍ୟାକଲ କରିଥିଲା। ଫଳତଃ ପ୍ରଥମାର୍ଦ୍ଧ ସୁଦ୍ଧା ଦିଲ୍ଲୀ ୧୯-୧୦ରେ ଅଗ୍ରଣୀ ଲାଭ କରି ନେଇଥିଲା। ଦ୍ୱିତୀୟାର୍ଦ୍ଧରେ ୟୁ ମୁମ୍ବା ତୁଳନାତ୍ମକ ଭାବେ ଉନ୍ନତ ପ୍ରଦର୍ଶନ କରିଥିଲା। ଆଶିଷ କିଛି ଗୁରୁତ୍ୱପୂର୍ଣ୍ଣ ରେଡ୍‌ ପଏଣ୍ଟ ଅର୍ଜନ କରିଥିଲେ। କିରଣ ମଗର ଦୁଇଟି ଦର୍ଶନୀୟ ଟ୍ୟାକଲ କରିଥିଲେ। ନବୀନ କିନ୍ତୁ ତାଙ୍କ ଭଲ ପ୍ରଦର୍ଶନ ବଜାୟ ରଖିବାରୁ ୩୧ତମ ମିନିଟ ଖେଳ ବେଳକୁ ଦିଲ୍ଲୀର ଅଗ୍ରଣୀ ବ୍ୟବଧାନ ୨୮-୨୦ରେ ପହଞ୍ଚତ୍ଥିଲା। ସେତେବେଳେ ମ୍ୟାଟ୍‌ରେ ମୁମ୍ବା ଦଳର ମାତ୍ର ୩ ଖେଳାଳି ଥିଲେ। ଏକାଧିକ ରେଡ ପଏଣ୍ଟ ଯୋଗୁ ନବୀନ ସିଜନର ପ୍ରଥମ ସୁପର ୧୦ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ଦିଲ୍ଲୀ ଅଲଆଉଟ କରିବାରେ ସଫଳ ହୋଇଥିଲା ଏବଂ ଏହାର ଅଗ୍ରଣୀ ବ୍ୟବଧାନ ବୃଦ୍ଧି ପାଇଥିଲା। ଖେଳର ୪୦ତମ ମିନିଟ୍‌ରେ ଦିଲ୍ଲୀ ୧୨ପଏଣ୍ଟ ବ୍ୟବଧାନରେ ଆଗୁଆ ରହି ମ୍ୟାଚକୁ ନିଜ କବ୍‌ଜାକୁ ନେଇଯାଇଥିଲା। ନବୀନ ଶେଷ ପର୍ଯ୍ୟନ୍ତ ରେଡ୍‌ ପଏଣ୍ଟ ହାସଲ କରିବାରେ ଲାଗିଥିଲେ ଏବଂ ତାଙ୍କ ଦଳକୁ ଜିତାଇଥିଲେ। ଅନ୍ୟ ୨ଟି ମ୍ୟାଚରେ ବେଙ୍ଗାଲୁରୁ ବୁଲ୍ସ ୩୪-୨୯ରେ ତେଲଗୁ ଟାଇଟନ୍ସକୁ ଏବଂ ୟୁପି ଯୋଦ୍ଧାସ ୩୪-୩୨ରେ ଜୟପୁର ପିଙ୍କ ପାନ୍ଥର୍ସକୁ ପରାସ୍ତ କରିଛି।

Share