ନୂଆଦିଲ୍ଲୀ,୨୪।୧୧: କ୍ରିକେଟ ପଡ଼ିଆରେ ପୁଣି ଦେଖିବାକୁ ମିଳିଛି ଛକା ଓ ଚୌକାର ବର୍ଷା। ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୬ରେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ଯୁବ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟ ନିଜ ବିସ୍ଫୋରକ ବ୍ୟାଟିଂରେ ତାମିଲନାଡୁ ବୋଲରଙ୍କୁ ନାକେଦମ କରିଦେଇଛନ୍ତି। ମାତ୍ର ୩୬ଟି ବଲ୍ରେ ଶତକ ହାସଲ କରି ସେ ଟି-୨୦ କ୍ରିକେଟରେ ନିଜର ଦ୍ରୁତତମ ଶତକ ରେକର୍ଡ କରିଛନ୍ତି। ଏହି ବିସ୍ଫୋରକ ଇନିଂସରେ ପ୍ରିୟାଂଶ ୧୫ଟି ଛକା ଓ ୫ଟି ଚୌକା ମାରିଥିଲେ। ଅର୍ଥାତ୍ କେବଳ ଚୌକାରୁ ସେ ୧୧୦ ରନ ସଂଗ୍ରହ କରିଥିଲେ। ତାଙ୍କ ବ୍ୟାଟିଂ ଦେଖି ତାମିଲନାଡୁ ବୋଲରଙ୍କ ପାଖରେ ଉତ୍ତର ନଥିଲା।
ଟି-୨୦ କ୍ରିକେଟରେ ଦ୍ରୁତତମ ଶତକ ହାସଲ କରିଥିବା ଭାରତୀୟ ବ୍ୟାଟରଙ୍କ ତାଲିକାରେ ପ୍ରିୟାଂଶ ଆର୍ଯ୍ୟ ଯୁଗ୍ମ ଭାବେ ଷଷ୍ଠ ସ୍ଥାନ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ଉର୍ଭିଲ ପଟେଲ ଓ ଅଭିଷେକ ଶର୍ମା ମାତ୍ର ୨୮ଟି ବଲ୍ରେ ଶତକ ହାସଲ କରି ଶୀର୍ଷ ସ୍ଥାନରେ ରହିଛନ୍ତି।
ଟି-୨୦ରେ ଦ୍ରୁତତମ ଶତକ ହାସଲ କରିଥିବା ଭାରତୀୟ ବ୍ୟାଟର
– ୨୮ ବଲ ଉର୍ଭିଲ ପଟେଲ ବନାମ ତ୍ରିପୁରା (୨୦୨୪)
– ୨୮ ବଲ ଅଭିଷେକ ଶର୍ମା ବନାମ ମେଘାଳୟ (୨୦୨୪)
– ୩୦ ବଲ ଅଭିଷେକ ଶର୍ମା ବନାମ ଆଫଗାନିସ୍ତାନ (୨୦୨୬)
– ୩୧ ବଲ ଉର୍ଭିଲ ପଟେଲ ବନାମ ସର୍ଭିସେସ (୨୦୨୫)
– ୩୨ ବଲ ଋଷଭ ପନ୍ତ ବନାମ ହିମାଚଳ ପ୍ରଦେଶ (୨୦୧୮)
– ୩୨ ବଲ ବୈଭବ ସୂର୍ଯ୍ୟବଂଶୀ ବନାମ ୟୁଏଇ (୨୦୨୫)
– ୩୨ ବଲ ଅଭିଷେକ ଶର୍ମା ବନାମ ବେଙ୍ଗଲ (୨୦୨୫)
– ୩୫ ବଲ ରୋହିତ ଶର୍ମା ବନାମ ଶ୍ରୀଲଙ୍କା (୨୦୧୭)
– ୩୫ ବଲ ବୈଭବ ସୂର୍ଯ୍ୟବଂଶୀ ବନାମ ଗୁଜରାଟ ଟାଇଟନ୍ସ (୨୦୨୫)
– ୩୫ ବଲ ଅଭିଷେକ ଶର୍ମା ବନାମ ନ୍ୟୁଜିଲାଣ୍ଡ (୨୦୨୬
– ୩୬ ବଲ ଉର୍ଭିଲ ପଟେଲ ବନାମ ଉତ୍ତରାଖଣ୍ଡ (୨୦୨୪)
– ୩୬ ବଲ ବୈଭବ ସୂର୍ଯ୍ୟବଂଶୀ ବନାମ ସନରାଇଜର୍ସ ହାଇଦ୍ରାବାଦ (୨୦୨୬)
– ୩୬ ବଲ ପ୍ରିୟାଂଶ ଆର୍ଯ୍ୟ ବନାମ ତାମିଲନାଡୁ (୨୦୨୬)
ଇନ୍ଦୋରରେ ଖେଳାଯାଉଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ଏଲିଟ ୨୦୨୬ର ଗ୍ରୁପ-ବି ମ୍ୟାଚ୍ରେ ପ୍ରିୟାଂଶ ନିଜ ବ୍ୟାଟିଂର ଜଲୱା ଦେଖାଇଥିଲେ। ସେ ମୋଟ ୬୮ଟି ବଲ୍ର ସାମ୍ନା କରି ୧୮୧ ରନ୍ର ବିଶାଳ ଇନିଂସ ଖେଳି ଆଉଟ ହୋଇଥିଲେ। ତାଙ୍କ ଏହି ଇନିଂସ ଦିଲ୍ଲୀ ଦଳକୁ ଏକ ବଡ଼ ସ୍କୋର ଆଡ଼କୁ ନେବାରେ ସହାୟକ ହୋଇଥିଲା। ଯୁବ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟଙ୍କ ଏହି ବିସ୍ଫୋରକ ପ୍ରଦର୍ଶନ ପୁଣିଥରେ ଭାରତୀୟ ଘରୋଇ କ୍ରିକେଟରେ ତାଙ୍କ ଦକ୍ଷତାର ପରିଚୟ ଦେଇଛି।