ବଲିଉଡ୍ର ‘ଦେଶୀ ଗର୍ଲ’ ପ୍ରିୟଙ୍କା ଚୋପ୍ରା ନିଜ କାମ ସହ ପରିବାରକୁ ମଧ୍ୟ ସମୟ ଦେଉଛନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ନିଜ ଜୀବନର କିଛି ସୁନ୍ଦର ମୁହୂର୍ତ୍ତ ଶେୟାର କରିଛନ୍ତି। ଏଥିରେ ସମୁଦ୍ରକୂଳରେ ଛୁଟି କାଟିବାଠାରୁ ଆରମ୍ଭ କରି ଫିଲ୍ମ ସେଟ୍ର ଝଲକ ରହିଛି। ତେବେ ଏକ ଭିଡିଓ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଏଥିରେ ପ୍ରିୟଙ୍କାଙ୍କ ଝିଅ ମାଳତୀ ମ୍ୟାରୀ ମା’ଙ୍କ ସହ ବସି ଗାୟତ୍ରୀ ମନ୍ତ୍ର ପଢ଼ିବାକୁ ଚେଷ୍ଟା କରୁଥିବା ଦେଖାଯାଇଛି। ମାଳତୀଙ୍କୁ ପାଖରେ ଧରି ଗାୟତ୍ରୀ ମନ୍ତ୍ର ପଢ଼ିବାରେ ସାହାଯ୍ୟ କରୁଛନ୍ତି ପିସି। ମାଳତୀ ମଧ୍ୟ ମା’ଙ୍କ ସହ ମନ୍ତ୍ର ଉଚ୍ଚାରଣ କରିବାକୁ ଚେଷ୍ଟା କରୁଛନ୍ତି। ଭିଡିଓଟି ଶେୟାର କରି ପ୍ରିୟଙ୍କା ଫ୍ୟାନ୍ସଙ୍କୁ ସାଉଣ୍ଡ ଅନ କରି ଦେଖିବାକୁ ଅନୁରୋଧ କରିଛନ୍ତି। ମା’-ଝିଅଙ୍କ ଏହି ମଧୁର ମୁହୂର୍ତ୍ତକୁ ଦେଖି ସୋସିଆଲ ମିଡିଆ ୟୁଜର୍ସ ହାର୍ଟ ଇମୋଜି ଦେଇ ପ୍ରତିକ୍ରିୟା ଜଣାଇଛନ୍ତି। ମାଳତୀଙ୍କ ନିଷ୍ପାପ ଅନ୍ଦାଜକୁ ମଧ୍ୟ ଅନେକ ପ୍ରଶଂସା କରିଛନ୍ତି।
ପ୍ରିୟଙ୍କାଙ୍କ ଜୀବନରେ ଝିଅ ମାଳତୀଙ୍କ ସ୍ଥାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସ୍ବାମୀ ନିକ ଜୋନସଙ୍କୁ ପ୍ରଶଂସା କରି ପ୍ରିୟଙ୍କା କୁହନ୍ତି, ଝିଅର ଲାଳନପାଳନରେ ନିକ ସକ୍ରିୟ ଭାବେ ଭାଗ ନିଅନ୍ତି। ମାଳତୀଙ୍କ ସ୍କୁଲ ସମୟକୁ ଧ୍ୟାନରେ ରଖି ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ ଯୋଜନା ହୋଇଥାଏ। ଝିଅ ତାଙ୍କ ଜୀବନର ସବୁଠାରୁ ବଡ଼ ଉପଲବ୍ଧି। ମାଳତୀ ପୂରା ପରିବାର ପାଇଁ ଏକ ଚୁମ୍ବକ ଭଳି। ସେମାନେ ଦୁନିଆର ଯେଉଁଠି ଥିଲେ ମଧ୍ୟ ମନ ସବୁବେଳେ ଝିଅ ପାଖକୁ ଟାଣି ହୋଇଯାଏ।
ନିକ ଜୋନାସ ମଧ୍ୟ ପୂର୍ବରୁ ଅନେକ ସାକ୍ଷାତକାରରେ କହିଛନ୍ତି, ସେ ଓ ପ୍ରିୟଙ୍କା ଝିଅକୁ ଉଭୟ ଭାରତୀୟ ଓ ଆମେରିକୀୟ ସଂସ୍କୃତି ସହ ଯୋଡ଼ି ରଖିବାକୁ ଚାହାନ୍ତି।
ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ ୨୦୧୮ ଡିସେମ୍ବରରେ ବିବାହ କରିଥିଲେ। ରାଜସ୍ଥାନର ଯୋଧପୁରରେ ଉଭୟ ଖ୍ରୀଷ୍ଟିଆନ ଓ ହିନ୍ଦୁ ରୀତିନୀତିରେ ସେମାନଙ୍କ ବିବାହ ହୋଇଥିଲା। ୨୦୨୨ ଜାନୁଆରୀରେ ସରୋଗେସି ମାଧ୍ୟମରେ ଏହି ଦମ୍ପତି ଝିଅ ମାଳତୀଙ୍କ ମାତାପିତା ହୋଇଥିଲେ।