Categories: ଜାତୀୟ

ବାହାରିବ ମହିଳା ଶୋଭାଯାତ୍ରା: ନେତୃତ୍ୱ ନେବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୧।୧୨: କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ବିଭିନ୍ନ ରାଜ୍ୟ ଅତିକ୍ରମ କରି ଏବେ ରାଜସ୍ଥାନରେ ପହଞ୍ଚିଛି। ଏଭଳିସ୍ଥିତିରେ ସମସ୍ତ ରାଜ୍ୟର ରାଜଧାନୀରେ ମହିଳାମାନଙ୍କୁ ନେଇ ଏକ ଶୋଭାଯାତ୍ରା କରିବା ଲାଗି ଦଳ ଯୋଜନା କରିଛି। ୧୨ ତାରିଖରେ ଏହି ମହିଳା ଶୋଭାଯାତ୍ରା ବାହାରିବ। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହି ଶୋଭାଯାତ୍ରାର ନେତୃତ୍ୱ ନେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ୧୫ରୁ ରାଜ୍ୟସ୍ତରରେ ଦଳ ଏଥିପାଇଁ ପ୍ରସ୍ତୁତି ବୈଠକ କରିବାକୁ ଥିବାବେଳେ ପରେ ଜିଲା ଓ ବ୍ଲକ୍‌ସ୍ତରରେ ବୈଠକ ହେବ ବୋଲି ଜଣାପଡିଛି।

ଏପରିକି ଜାନୁୟାରୀ ୨୬ରୁ କଂଗ୍ରେସର ‘ହାତ ଯୋଡ଼ୋ’ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଫେବୃୟାରୀରେ ରାୟପୁରଠାରେ ଦଳର ପୂର୍ଣ୍ଣ ଅଧିବେଶନ ଡକାଯାଇଛି। ଦଳର କାର୍ଯ୍ୟକ୍ରମଗୁଡ଼ିକର ସିଧା ପ୍ରସାରଣ କରାଯିବ। ରାୟପୁରରେ କଂଗ୍ରେସର ୩ ଦିନିଆ ପ୍ଲେନାରୀ ସେସନ୍‌ ପରେ ମେଗା ରାଲି ଆୟୋଜନ କରାଯିବ ବୋଲି ଦଳ ପକ୍ଷରୁ ଅବଗତ କରାଯାଇଛି।

Share