Categories: ଜାତୀୟ

ମହିଳା ଶୋଭାଯାତ୍ରାର ନେତୃତ୍ୱ ନେବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୨।୧୨(ଆଇଏଏନ୍‌ଏସ୍‌): କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଏବେ ରାଜସ୍ଥାନରେ ପହଞ୍ଚତ୍ଛି। ସମସ୍ତ ରାଜ୍ୟ ରାଜଧାନୀରେ ମହିଳା ଶୋଭାଯାତ୍ରା କରିବା ଲାଗି ଦଳ ଯୋଜନା କରିଛି। ଏଥିରେ ମହିଳାଙ୍କ ପାଇଁ ଦଳର ଇସ୍ତାହାର ସମ୍ପର୍କରେ ଘୋଷଣା କରାଯିବ। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହି ଶୋଭାଯାତ୍ରାର ନେତୃତ୍ୱ ନେବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଡିସେମ୍ବର ୧୫ରୁ ରାଜ୍ୟ ସ୍ତରରେ ଦଳ ଏଥିପାଇଁ ପ୍ରସ୍ତୁତି ବୈଠକ କରିବାକୁ ଥିବାବେଳେ ପରେ ଜିଲା ଓ ବ୍ଲକ୍‌ ସ୍ତରରେ ବୈଠକ ହେବ। ଏହା ବ୍ୟତୀତ ଭାରତ ଯୋଡ଼ୋ ଯାତ୍ରା ମାସେ ପାଇଁ ବୁଥ୍‌ ସ୍ତରରେ ଆରମ୍ଭ ହେବ। ଏହି ଯାତ୍ରାରେ ଭାଗନେଇଥିବା ଦଳୀୟ ନେତା ଓ କର୍ମୀ ରାହୁଲ ଗାନ୍ଧୀଙ୍କ ଲିଖିତ ପତ୍ର ଏବଂ ଭାଜପା ସରକାରଙ୍କ ବିରୋଧରେ ଅଭିଯୋଗଫର୍ଦ୍ଦ ଜନସାଧାରଣଙ୍କୁ ବାଣ୍ଟିବେ। ଯାତ୍ରା ଶେଷ ହେବା ପରେ ସବୁ ଜିଲାରେ ବ୍ଲକ୍‌ସ୍ତରୀୟ ସମ୍ମିଳନୀ ହେବ, ଯେଉଁଥିରେ ରାଜ୍ୟ କଂଗ୍ରେସ ସଭାପତି ଏବଂ ରାଜ୍ୟସ୍ତରୀୟ ବରିଷ୍ଠ ନେତା ଯୋଗଦେବେ। ଶେଷରେ ପ୍ରତି ରାଜ୍ୟରେ କଂଗ୍ରେସ ଅଧ୍ୟକ୍ଷ ଓ ପୂର୍ବତନ ଅଧ୍ୟକ୍ଷ ରାଲି କରିବା ସହ ରାଜ୍ୟସ୍ତରରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ।

ଆସନ୍ତା ବର୍ଷ ଜାନୁୟାରୀ ୨୬ରୁ କଂଗ୍ରେସର ‘ହାତ ଯୋଡ଼ୋ’ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଫେବୃୟାରୀରେ ରାୟପୁରଠାରେ ଦଳର ପୂର୍ଣ୍ଣ ଅଧିବେଶନ ଡକାଯାଇଛି। ଦଳର କାର୍ଯ୍ୟକ୍ରମର ସିଧା ପ୍ରସାରଣ ବିଶାଳ ସ୍କ୍ରିନ୍‌ରେ କରାଯିବ ଏବଂ ପ୍ରତି ରାଜ୍ୟର ମୁଖ୍ୟ ସ୍ଥାନଗୁଡ଼ିକରେ ପ୍ରଦର୍ଶିତ ହେବ। ରାୟପୁରରେ କଂଗ୍ରେସର ୩ ଦିନିଆ ପ୍ଲେନାରୀ ସେସନ୍‌ ପରେ ମେଗା ରାଲି ଆୟୋଜନ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

Share