Categories: ଜାତୀୟ

ଯୋଗୀଙ୍କୁ ଘେରିଲେ ପ୍ରିୟଙ୍କା

ଲକ୍ଷ୍ନୌ/ନୂଆଦିଲ୍ଲୀ,୧୭ା୭: ମହାମାରୀ କରୋନାର ଦ୍ୱିତୀୟ ଲହର ଉତ୍ତର ପ୍ରଦେଶକୁ ଥରାଇ ଦେଇଛି। ଏହାର ମୁକାବିଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛନ୍ତି। ଏହାସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଛନ୍ତି। ମୋଦିଙ୍କ ପ୍ରଶଂସାମୂଳକ ପ୍ରମାଣପତ୍ର ଯୋଗୀ ସରକାରଙ୍କ ବର୍ବରତା, ଅବହେଳା ଓ କୁପରିଚାଳନାକୁ ଘଣ୍ଟ ଘୋଡ଼ାଇପାରିବ ନାହିଁ ବୋଲି ଶୁକ୍ରବାର କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତୀର ମାରିଛନ୍ତି।
ମାର୍ଚ୍ଚ ଆଡ଼କୁ ୟୁପିରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ମୋଦି ଗୁରୁବାର ନିଜ ସଂସଦୀୟ ଆସନ ବାରାଣସୀରେ ଯୋଗୀଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏହାର ଦିନକ ପରେ ପ୍ରିୟଙ୍କା ୨ ଦିନିଆ ଲକ୍ଷ୍ନୌ ଗସ୍ତ କରି କହିଛନ୍ତି, ଲୋକେ ମହାମାରୀ ବେଳେ ଅସୁବିଧାର ସମ୍ମୁଖୀନ ହେବାବେଳେ ଅସହାୟ ହୋଇପଡ଼ିଥିଲେ। ଏହି ସତ୍ୟକୁ କେବେ ମୋଦି ଭୁଲିଯାଇପାରନ୍ତି, କିନ୍ତୁ ଯନ୍ତ୍ରଣା ଭୋଗିଥିବା ଲୋକେ ମନେରଖିବେ।
୨୦୧୭ରେ ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରିୟଙ୍କାଙ୍କୁ କଂଗ୍ରେସର ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଥିଲେ ହେଁ ତାଙ୍କ କୌଣସି ଯାଦୁ ସେଠାରେ କାମ କରି ନ ଥିଲା। ଆଗାମୀ ବିଧାନସଭା ନିର୍ବାଚନ ପ୍ରସ୍ତୁତି ପାଇଁ ୟୁପି ପ୍ରଭାରୀ ପ୍ରିୟଙ୍କା ଦେଢ଼ ବର୍ଷ ପରେ ଲକ୍ଷ୍ନୌ ଯାଇଛନ୍ତି। ଚୌଧରୀ ଚରଣ ସିଂ ବିମାନବନ୍ଦରରୁ ସେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ହଜରତଗଞ୍ଜ ଜିପିଓ ପାର୍କରେ ପହଞ୍ଚତ୍ଥିଲେ। ସେଠାରେ ଥିବା ମହାମତ୍ା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ୨ ଘଣ୍ଟା ଧାରଣାରେ ବସି ଯୋଗୀ ସରକାର ବିରୋଧରେ ସେ ନୀରବ ବିକ୍ଷୋଭ କରିଥିଲେ। ପୋଲିସ ସେଠାରେ ପହଞ୍ଚତ୍ବାରୁ ପ୍ରିୟଙ୍କା ଏକ କାଗଜରେ ଉତ୍ତର ଲେଖିଥିଲେ, ରାଜ୍ୟରେ ମହିଳାମାନେ ସୁରକ୍ଷିତ ନୁହନ୍ତି। ଭାଜପା ଜଙ୍ଗଲରାଜ, ପଞ୍ଚାୟତ ନିର୍ବାଚନରେ ହିଂସା, ମହିଳାଙ୍କୁ ନିର୍ଯାତନା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ସେ ଧାରଣାରେ ବସିଛନ୍ତି। ଏସବୁର ଅନ୍ତ ଘଟାଇ ୟୁପିର ଏକଚ୍ଛତ୍ରବାଦୀ ସରକାରଙ୍କୁ ମୂଳରୁ ଉପାଡ଼ିବା ଲାଗି ମୌନବ୍ରତ କରିଛନ୍ତି। ପୋଲିସ ପ୍ରିୟଙ୍କାଙ୍କୁ କୋଭିଡ୍‌ ପ୍ରୋଟୋକଲ କଥା କହିବାରୁ ସେ ଲେଖିକି ଉତ୍ତର ଦେଇଥିଲେ, ଏହି କଟକଣା ପଞ୍ଚାୟତ ନିର୍ବାଚନ ବେଳେ ମଧ୍ୟ ଥିଲା। ଏହି ଅବସରରେ ୟୁପି କଂଗ୍ରେସ ସଭାପତି ଅଜୟ କୁମାର ଲଲ୍ଲୁ କହିଛନ୍ତି, ସେ ଶନିବାର ଅମେଠି ଓ ରାଏବରେଲି ବ୍ଲକ୍‌ କଂଗ୍ରେସ ସଭାପତିମାନଙ୍କ ସହ ଆଗାମୀ ନିର୍ବାଚନ ନେଇ ଆଲୋଚନା କରିବେ।

Share