ଭାରତୀୟ ପରମ୍ପରା ଭୁଲିନାହାନ୍ତି ପ୍ରିୟଙ୍କା: ସ୍ବାମୀଙ୍କ ସହ ମିଶି ପାଳିଲେ କରୱାଚୌଥ ବ୍ରତ

ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ଆଜି ବି ନିଜ ଭାରତୀୟ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଅଛନ୍ତି। ବିଦେଶରେ ରହୁଥିଲେ ମଧ୍ୟ ସେ ଭାରତୀୟ ପର୍ବପର୍ବାଣୀକୁ ଉତ୍ସାହର ସହ ପାଳନ କରନ୍ତି। ନିକ ଜୋନାସଙ୍କୁ ବିବାହ କରିବା ପରେ ଆମେରିକାରେ ରହୁଥିବା ପ୍ରିୟଙ୍କା ଏଥର ମଧ୍ୟ କରୱାଚୌଥ ପାଳନ କରିଛନ୍ତି। ଏହି ଅବସରରେ ସେ ସୋସିଆଲ ମିଡିଆରେ କିଛି ସୁନ୍ଦର ଫଟୋ ଶେୟାର୍‌ କରିଛନ୍ତି।
ପ୍ରିୟଙ୍କା ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ କରୱାଚୌଥ ପାଳନର ଝଲକ ଦେଖାଇଛନ୍ତି। ଗୋଟିଏ ଫଟୋରେ ସେ ନିଜ ହାତର ମେହେନ୍ଦି ଦେଖାଇଛନ୍ତି, ଯାହା ତାଙ୍କ ଝିଅ ମାଳତୀ ମେରୀ ଲଗାଇ ଦେଇଛନ୍ତି। ମେହେନ୍ଦିରେ ସ୍ବାମୀ ନିକ ଜୋନାସଙ୍କ ନାମର ପ୍ରଥମ ଅକ୍ଷର ‘ଏନ୍‌’ ସହ ଝିଅ ମାଳତୀ ମେରୀଙ୍କ ନାମର ପ୍ରଥମ ଅକ୍ଷର ‘ଏମ୍‌ଏମ୍‌’ ମଧ୍ୟ ରହିଛି।

ଅନ୍ୟ ଏକ ଫଟୋରେ ମେହେନ୍ଦିର ରଙ୍ଗ ଗାଢ଼ କରିବା ପାଇଁ ପ୍ରିୟଙ୍କା ଏକ ପାରମ୍ପରିକ ଉପାୟ ଆପଣାଇଥିବା ଦେଖାଇଛନ୍ତି। ସେ ହାତରେ ଚିନିର ସିରା ଲଗାଇଥିଲେ। ଏହି ଛୋଟ ଛୋଟ ଝଲକ ତାଙ୍କ ପାରିବାରିକ ଉତ୍ସବକୁ ଆହୁରି ଖାସ କରିଦେଇଛି। ସେୟାର୍‌ କରିଥିବା ଅନ୍ୟ ଫଟୋଗୁଡ଼ିକରେ ନିକ ଜୋନାସ ଓ ଝିଅ ମାଳତୀ ମେରୀଙ୍କୁ ଏକାଠି ଦେଖିବାକୁ ମିଳିଛି। ଆଉ ଗୋଟିଏ ଫଟୋରେ ପ୍ରିୟଙ୍କା ଚାନ୍ଦ ଉଇଁବାକୁ ଅପେକ୍ଷା କରିଥିବା ନଜର ଆସିଛନ୍ତି।

ସବୁଠାରୁ ଆକର୍ଷଣୀୟ ଫଟୋରେ ପ୍ରିୟଙ୍କା ଲାଲ ପୋଷାକରେ ସଜେଇ ହୋଇ ଛାତ ଉପରେ ନିକଙ୍କ ସହ କରୱାଚୌଥ ବ୍ରତ ଖୋଲୁଥିବା ଦେଖାଯାଇଛି। ପ୍ରତିବର୍ଷ ପରି ଏଥର ମଧ୍ୟ ଏହି ପର୍ବକୁ ପରିବାର ସହ ପାଳନ କରି ପ୍ରିୟଙ୍କା ଭାରତୀୟ ପରମ୍ପରା ପ୍ରତି ନିଜର ଭଲପାଇବା ପ୍ରକାଶ କରିଛନ୍ତି।
କାମ କଥା କହିବାକୁ ଗଲେ, ପ୍ରିୟଙ୍କା ଚୋପ୍ରା ଆଗାମୀ ଦିନରେ ଏସ.ଏସ. ରାଜାମୌଲିଙ୍କ ମହାବଜେଟ ଫିଲ୍ମ ‘ବାରାଣସୀ’ରେ ନଜର ଆସିବେ। ଏହି ଫିଲ୍ମରେ ମହେଶ ବାବୁ ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମଟି ୭ ଏପ୍ରିଲ ୨୦୨୭ରେ ମୁକ୍ତିଲାଭ କରିବ।

 

Dharitri – Odisha’s No.1 Odia Daily

 

Share