Categories: ଜାତୀୟ

ଏକାକୀ ଲଢିବ କଂଗ୍ରେସ

ଲକ୍ଷ୍ନୌ,୧୪।୧୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସବୁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକଙ୍କ ମନ ଜିଣିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଚେଷ୍ଟା କରାଯାଉଛି। କଂଗ୍ରେସ ପକ୍ଷରୁ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏଥର ୟୁପି ନିର୍ବାଚନ ମଙ୍ଗ ଧରିଛନ୍ତି। ରବିବାର ସେ ଏକ ବଡ଼ ଘୋଷଣା କରି କହିଛନ୍ତି, କଂଗ୍ରେସ ଏକାକୀ ନିର୍ବାଚନ ଲଢିବ। କଂଗ୍ରେସ ନିଜ ଦମ୍‌ରେ ନିର୍ବାଚନ ଲଢିବ ଏବଂ ସବୁ ଆସନରେ ନିଜ ପ୍ରାର୍ଥୀ ଦେବ ବୋଲି ସେ କହିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରିୟଙ୍କା ବିପକ୍ଷ ଭାଜପା, ସମାଜବାଦୀ ପାର୍ଟି(ଏସ୍‌ପି) ଏବଂ ବହୁଜନ ସମାଜ ପାର୍ଟି(ବିଏସ୍‌ପି)କୁ ଟାର୍ଗେଟ କରିଛନ୍ତି।
ଗାନ୍ଧୀ ଜୀ, ନେହେରୁ ଜୀ, ସର୍ଦ୍ଦାର ପଟେଲ ଏବଂ ବାବାସାହେବ ଆମ୍ବେଦକର ସ୍ବାଧୀନତା ପାଇଁ ବଳିଦାନ ଦେଇଥିଲେ, କିନ୍ତୁ ଭାଜପା ନେତୃତ୍ୱ ସ୍ବାଧୀନତାର ଅର୍ଥ ଜାଣି ନାହିଁ। ଆଜି କେବଳ ଅଳ୍ପ ଲୋକଙ୍କର ସ୍ବାଧୀନତା ଅଛି। ହାଥ୍‌ରସରେ ପୀଡିତାଙ୍କ ପରିବାର ମୃତଦେହ ସଂସ୍କାର କରିବା ପାଇଁ ପର୍ଯ୍ୟାପ୍ତ ସ୍ବାଧୀନତା ପାଇ ନଥିଲେ। କର ବା ମର ସ୍ଲୋଗାନକୁ ପୁଣି ବାସ୍ତବତାରେ ପରିଣତ କରିବାର ସମୟ ଆସିଛି। ସାଧାରଣ ଲୋକ ମହଙ୍ଗା ମାଡକୁ ଚିନ୍ତିତ ଅଛନ୍ତି। ଲଖିମ୍‌ପୁର ଖେରୀରେ ଚାଷୀଙ୍କ ଉପରେ ଗାଡି ମାଡିଦିଆଯାଇଛି। ୭୦ ବର୍ଷରେ ପେଟ୍ରୋଲର ମୂଲ୍ୟ ୧୦୦ ଟଙ୍କାରେ ପହଞ୍ଚିଛି। ଗ୍ୟାସ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏସପି ଏବଂ ବିଏସପି ନୁହେଁ, କଂଗ୍ରେସ ଏହା ବିରୋଧରେ ଲଢେଇ କରୁଛି ବୋଲି ପ୍ରିୟଙ୍କା କହିଛନ୍ତି।

Share