Categories: ବାଣିଜ୍ୟ

ଘରୋଇକରଣରୁ ସମସ୍ୟା ସମାଧାନ ହେବନି

କୋଲକାତା: ଘରୋଇକରଣ ଦ୍ୱାରା ସବୁ ବ୍ୟାଙ୍କର ସମସ୍ୟା ସମାଧାନ ହୋଇ ପାରିବ ନାହିଁ। ବେଙ୍ଗଲ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଆର୍‌ବିଆଇର ପୂର୍ବତନ ଡେପୁଟି ଗଭର୍ନର ଏସ୍‌.ଏସ୍‌. ମୁନ୍ଦ୍ରା ଏହା କହିଛନ୍ତି। ୨୦୨୧-୨୨ ସାଧାରଣ ବଜେଟରେ ସରକାର ୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଗୋଟିଏ ସାଧାରଣ ବୀମା କମ୍ପାନୀକୁ ଘରୋଇକରଣ କରିବା ଲାଗି ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁନ୍ଦ୍ରା କହିଛନ୍ତି, ପାଶ୍ଚାତ୍ୟ ଦେଶ ଭଳି ଭାରତ ବ୍ୟାଙ୍କଗୁଡ଼ିକୁ ପରିଚାଳନା ସ୍ବାଧୀନତା ଦେବା ଆବଶ୍ୟକ। ସେହିଭଳି ବ୍ୟାଙ୍କଗୁଡ଼ିକରେ ସରକାରୀ ଓନରଶିପ ମଧ୍ୟ ରହିଲେ ଏହା ହୁଏତ ଲାଭକାରୀ ହୋଇପାରିବ। ସରକାରଙ୍କ ସହଯୋଗ ରହିଲେ ଜମାକାରୀଙ୍କ ସ୍ବାର୍ଥ ରକ୍ଷା ହୋଇପାରିବ। ସରକାରୀ ବ୍ୟାଙ୍କରେ ଅର୍ଥ ଜମା ରହୁଥିବାରୁ ଲୋକମାନେ ଅଧିକ ନିରାପଦ ମଣିବେ ବୋଲି ସେ ମତ ପ୍ରକାଶ କରିଛନ୍ତି।
କାର୍ଯ୍ୟକ୍ରମରେ ୟୁନିୟନ ବ୍ୟାଙ୍କ ସିଇଓ ରାଜକିରଣ ରାଓ ଜି କହିଛନ୍ତି, ସରକାର ବ୍ୟାଙ୍କଗୁଡ଼ିକୁ ଦୃଢ଼ୀକରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଲୋକଙ୍କ ଅର୍ଥକୁ ଡୁବାଇବା ପାଇଁ କୌଣସି ଯୋଜନା ନିଆଯିବ ନାହିଁ। ବ୍ୟାଙ୍କ ଯୋଗାଉଥିବା ମୋଟ ଋଣର ସିଂହଭାଗ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପ୍ରଦାନ କରୁଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଭୂମିକା ଏବେ ମଧ୍ୟ ଗୌଣ୍ୟ ହୋଇନାହିଁ। ଏହି କ୍ଷେତ୍ରରେ ଅଧିକ ପ୍ରତିଦ୍ୱନ୍ଦ୍ୱିତାର ଆବଶ୍ୟକତା ରହିଛି। ପିଏନ୍‌ବି ସିିଇଓ ଏସ୍‌.ଏସ୍‌. ମଲ୍ଲିକାର୍ଜୁନ ରାଓ କହିଛନ୍ତି, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭିତ୍ତିଭୂମି କ୍ଷେତ୍ରକୁ ପ୍ରମୁଖ ଋଣ ଯୋଗାଣକାରୀ।

Share