ବିନା ଏନ୍‌ଓସିରେ ଚାଲିଛି ବେସରକାରୀ ସ୍କୁଲ

ରାଉରକେଲା,୯।୨(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ ବେସରକାରୀ ବିଦ୍ୟାଳୟ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି। ତେବେ ଉକ୍ତ ସ୍କୁଲଗୁଡିକ ଆବଶ୍ୟକ ସରକାରୀ ମାନଦଣ୍ଡ ପୂରଣ କରୁ ନ ଥିବାରୁ ସେମାନଙ୍କୁ ଏନ୍‌ଓସି ମିଳିପାରୁନାହିଁ। ଫଳରେ ରାଉରକେଲାରେ ୪୦ ପ୍ରତିଶତ ବେସରକାରୀ ସ୍କୁଲ ବିନା ଏନ୍‌ଓସିରେ ଚାଲିଛି। ଏହାଦ୍ୱାରା ସରକାରୀ ସ୍କୁଲ ପ୍ରଭାବିତ ହେଉଛି।
ସୂଚନା ଅନୁସାରେ, ରାଉରକେଲା ଶିକ୍ଷା ବିଭାଗ ଅଧୀନ ବିଶ୍ରା ଶିକ୍ଷାଞ୍ଚଳରେ ମୋଟ ୩୧୭ଟି ସରକାରୀ ଓ ବେସରକାରୀ ସ୍କୁଲ ରହିଛି। ସରକାରୀ ପ୍ରାଇମେରୀ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩୪ହଜାର ପିଲା ପଢୁଛନ୍ତି। ସେହିପରି ବେସରକାରୀ ସ୍କୁଲରେ ୩୩ହଜାରରୁ ଊର୍ଦ୍ଧ୍ୱ ପିଲା ଅଧ୍ୟୟନ କରୁଛନ୍ତି। ୨୦୧୯-୨୦ ଶିକ୍ଷାବର୍ଷରେ ବେସରକାରୀ ସ୍କୁଲରେ ପିଲାଙ୍କ ଉପସ୍ଥାନ ସଂଖ୍ୟା ୨୩ହଜାର ଥିବାବେଳେ ୨୦୨୩ରେ ୧୦ହଜାର ବୃଦ୍ଧି ହୋଇଛି। ସେହିପରି ସରକାରୀ ସ୍କୁଲରେ ୨୦୧୯-୨୦ରେ ୨୪ହଜାର ପିଲା ଥିବା ବେଳେ ୩ବର୍ଷରେ ୧୦ହଜାର ବଢିଛି। ବିଶ୍ରା ଶିକ୍ଷାଞ୍ଚଳରେ ମୋଟ ୧୨୪ ବେସରକାରୀ ସ୍କୁଲ ଥିବା ବେଳେ ବର୍ତ୍ତମାନ ସେଥିରୁ ୪୦ପ୍ରତିଶତ ସ୍କୁଲ ବିନା ଏନ୍‌ଓସିରେ ଚାଲୁଥିବା ବିଭାଗ ସୂତ୍ରରୁ ଜଣାପଡିଛି। ବେସରକାରୀ ବିଦ୍ୟାଳୟକୁ ଏନ୍‌ଓସି ପାଇବା ପାଇଁ ହେଲେ ସ୍କୁଲରେ ତାଲିମପ୍ରାପ୍ତ କୁଶଳୀ ଶିକ୍ଷକ, ସ୍କୁଲ ନାଁରେ ଜମି, ନାମଲେଖା ପାଇଁ ୨୫ପ୍ରତିଶତ ଫି ଆଦାୟ ଭିତିକ ସରକାରୀ ଅନୁମୋଦନ ପ୍ରମାଣପତ୍ର, ଶିକ୍ଷକଙ୍କ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଏବଂ ସ୍କୁଲ ପରିଚାଳନା କମିଟି ଆଦି ରାଇଟ୍‌ ଟୁ ଏଜୁକେଶନ ଆକ୍ଟ ଅନୁଯାୟୀ ୫୧ଟି ମାନଦଣ୍ଡ ପୂରଣ କରୁଥିବା ଆବଶ୍ୟକ। ମାତ୍ର ଏସବୁ ମାନଦଣ୍ଡ ଅଭାବରୁ ବାରମ୍ବାର ଆବେଦନ ସତ୍ତ୍ୱେ ବିଶ୍ରା ଶିକ୍ଷାଞ୍ଚଳର ଅନେକ ସରକାରୀ ବିଦ୍ୟାଳୟ ଗୁଡିକୁ ଏନ୍‌ଓସି ମିଳିପାରୁନାହିଁ। ଏନଓସି ପାଇ ନ ଥିବା ସ୍କୁଲଗୁଡିକୁ ଆବଶ୍ୟକ ମାନଦଣ୍ଡ ପ୍ରସ୍ତୁତ କରିବା ପାଇଁ ନୋଟିସ ମଧ୍ୟ ଜାରି ହେଉଛି। ମାତ୍ର ବର୍ଷ ବର୍ଷ ଧରି ଏହି ସ୍କୁଲଗୁଡିକ ସେ ଦିଗରେ ଧ୍ୟାନ ଦେଉନାହାନ୍ତି। ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ବେସରକାରୀ ସ୍କୁଲଗୁଡିକ ବିନା ଏନ୍‌ଓସିରେ ଚାଲୁଛି। ତେଣୁ ଏହାର ସିଧାସଳଖ ପ୍ରଭାବ ସରକାରୀ ସ୍କୁଲ ଉପରେ ପଡୁଥିବା ଅଭିଯୋଗ ହେଉଛି। ଏ ନେଇ ବିଶ୍ରା ଶିକ୍ଷାଧିକାରୀ ବେଣୁଧର ସ୍ବାଇଁଙ୍କୁ ପଚାରିବାରୁ ସେ କହିଲେ, ଆଗକୁ ଏନ୍‌ଓସି ନ ଥିବା ପ୍ରାଇଭେଟ ସ୍କୁଲଗୁଡିକୁ ତୃଣମୂଳ ସ୍ତରରେ ଯାଞ୍ଚ କରାଯିବ। ଆଗକୁ ସରକାରୀ ସ୍କୁଲ ପ୍ରତି ପିଲାମାନଙ୍କ ଆଗ୍ରହ ବୃଦ୍ଧି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଥିଲେ।