‘ଘରୋଇ ଶିକ୍ଷାନୁଷ୍ଠାନ ସରକାରଙ୍କୁ ମାନୁନାହାନ୍ତି’

ଭୁବନେଶ୍ୱର, ୪।୧୦(ବ୍ୟୁରୋ): ଘରୋଇ ସ୍କୁଲ ଏବଂ କଲେଜଗୁଡ଼ିକ ରାଜ୍ୟ ସରକାରଙ୍କୁ ଭ୍ରୂକ୍ଷେପ କରୁନାହାନ୍ତି। କରୋନା ପରିସ୍ଥିତିରେ ଯେତେବେଳେ ଲୋକେ ରୋଜଗାର ହରାଇଛନ୍ତି ଏବଂ ବଞ୍ଚିବାକୁ ସଂଗ୍ରାମ କରୁଛନ୍ତି ସେତେବେଳେ ଘରୋଇ ସ୍କୁଲ ଓ କଲେଜ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ତଣ୍ଟିଚିପି ଅର୍ଥ ଆଦାୟ କରୁଛନ୍ତି। ହେଲେ ଏନେଇ ଏ ପର୍ଯ୍ୟନ୍ତ ସରକାର କୌଣସି ନିଷ୍ପତ୍ତି ନେଲେ ନାହିଁ ବୋଲି ଅଖିଳ ଭାରତ ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସମ୍ପାଦକ ରୋଶନଲାଲ ବିଟୁ ଅଭିଯୋଗ କରିଛନ୍ତି।
କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରୋଶନଲାଲ କହିଛନ୍ତି, ଆଡମିଶନ ଫି, ଟ୍ୟୁଶନ ଫି, ପାଣି ବିଲ୍‌ ଓ ଇଲେକ୍ଟ୍ରି ବିଲ୍‌ ଏବଂ ସ୍କୁଲର ଅନ୍ୟାନ୍ୟ ଫି କମାଇବା ପାଇଁ ସରକାରଙ୍କ ତରଫରୁ ସିଧାସଳଖ ନିର୍ଦ୍ଦେଶ ଦିଆଯାଉ ନାହିଁ। ଅଭିଭାବକମାନେ ଘରୋଇ ସ୍କୁଲର ମାଲିକଙ୍କ ଚାପରେ ପେଷି ହୋଇଯାଉଥିବା ବେଳେ ରାଜ୍ୟ ସରକାର ଛାତ୍ରୀଛାତ୍ରଙ୍କ ଦୁରବସ୍ଥା ପ୍ରତି ଧ୍ୟାନ ଦେଉନାହାନ୍ତି। ଘରୋଇ ସ୍କୁଲ ଓ କଲେଜ ମାଲିକ ଏବଂ ରାଜ୍ୟ ସରକାରଙ୍କ ଭିତିରି ବୁଝାମଣା ହୋଇଥିବା ଅଭିଯୋଗ ହେଉଛି। ତୁରନ୍ତ ସ୍କୁଲ ଏବଂ କଲେଜରେ ଆଡମିସନ ଫି’ ସହ ଅନ୍ୟାନ୍ୟ ସମସ୍ତ ଫି’ କମାଇବା ପାଇଁ ଛାତ୍ର କଂଗ୍ରେସ ଦାବି କରିଛି। ଓଡ଼ିଶା ସରକାର ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ର ଯେଉଁ ସଂଶୋଧନ କରିଛନ୍ତି, ତାହାକୁ ପ୍ରତ୍ୟାହାର କରିବାପାଇଁ ଛାତ୍ର କଂଗ୍ରେସ ଦାବି କରୁଛି ବୋଲି ସେ କହିଛନ୍ତି। ସେହିପରି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ଉତ୍ତରପ୍ରଦେଶ ପୋଲିସର ଆକ୍ରମଣ ଘଟଣା ଗଣତନ୍ତ୍ରର ହତ୍ୟା ହୋଇଛି ବୋଲି ବିଟୁ ଅଭିଯୋଗ କରିଛନ୍ତି।