ମୁମ୍ବାଇ,୫।୧୦: ବ୍ୟକ୍ତିଗତ ଜୀବନରେ ଉତ୍ଥାନପତନ ମଧ୍ୟରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ କ୍ରିକେଟ କ୍ୟାରିୟରରେ ଆସିଛି ଏକ ବଡ଼ ମୋଡ଼। ଆଗାମୀ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ ପାଇଁ ତାଙ୍କୁ ମହାରାଷ୍ଟ୍ର ସିନିୟର ପୁରୁଷ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ମହାରାଷ୍ଟ୍ର ଆସନ୍ତା ୧୧ ଅକ୍ଟୋବରରୁ ଦିଲ୍ଲୀର ପାଲମ ଏ ଷ୍ଟାଡିୟମରେ ସର୍ଭିସେସ ବିପକ୍ଷରେ ତା’ର ରଣଜୀ ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍ର ଶ’ ଦଳର ନେତୃତ୍ୱ ନେଇ ଟସ ପାଇଁ ମୈଦାନକୁ ଓହ୍ଲାଇବେ।
ମହାରାଷ୍ଟ୍ରର ନିୟମିତ ଅଧିନାୟକ ଋତୁରାଜ ଗାଏକ୍ୱାଡ ପ୍ରଥମ ରଣଜୀ ମ୍ୟାଚ ଖେଳିବେ ନାହିଁ। ଅଷ୍ଟ୍ରେଲିଆ ‘ଏ’ ବିପକ୍ଷରେ ହେବାକୁ ଥିବା ତିନି ମ୍ୟାଚ୍ର ଅନଅଫିସିଆଲ ଦିନିକିଆ ସିରିଜ ପାଇଁ ତାଙ୍କୁ ଇଣ୍ଡିଆ ‘ଏ’ ଦଳର ଅଧିନାୟକ କରାଯାଇଛି। ଏହି ସିରିଜ ପୁଡୁଚେରୀରେ ୬, ୯ ଓ ୧୧ ଅକ୍ଟୋବରରେ ଖେଳାଯିବ। ତେଣୁ ୧୧ ଅକ୍ଟୋବରରେ ରଣଜୀ ମ୍ୟାଚ ଥିବାରୁ ଗାଏକ୍ୱାଡ ମହାରାଷ୍ଟ୍ର ପକ୍ଷରୁ ପ୍ରଥମ ରାଉଣ୍ଡରେ ଉପଲବ୍ଧ ରହିବେ ନାହିଁ। ଅନ୍ୟପଟେ ଯୁବ ଅଲରାଉଣ୍ଡର ଅର୍ଶିନ କୁଲକର୍ଣ୍ଣି ମଧ୍ୟ ଇଣ୍ଡିଆ ‘ଏ’ ଦଳରେ ସାମିଲ ଥିବାରୁ ସର୍ଭିସେସ ବିପକ୍ଷ ମ୍ୟାଚ୍ରେ ଖେଳିପାରିବେ ନାହିଁ। ଫଳରେ ଦଳର ନେତୃତ୍ୱ ନେବାର ବଡ଼ ସୁଯୋଗ ଶ’ଙ୍କ ହାତକୁ ଆସିଛି।
୨୦୨୫-୨୬ ଘରୋଇ ସିଜନ ପୂର୍ବରୁ ପୃଥ୍ବୀ ମୁମ୍ବାଇ ଛାଡ଼ି ମହାରାଷ୍ଟ୍ର ଦଳରେ ଯୋଗ ଦେଇଥିଲେ। ନୂଆ ଦଳ ପାଇଁ ପ୍ରଥମ ସିଜନ୍ରେ ହିଁ ସେ ନିଜ ବ୍ୟାଟିଂର ଜଲୱା ଦେଖାଇଥିଲେ। ସେ ୭ଟି ମ୍ୟାଚ୍ର ୧୧ଟି ଇନିଂସ୍ରେ ମୋଟ ୫୩୭ ରନ କରିଥିଲେ। ଏହା ସହ ସେହି ସିଜଜ୍ରେ ମହାରାଷ୍ଟ୍ର ପାଇଁ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟର ହୋଇଥିଲେ।
ଅଧିନାୟକ ଭାବେ ଶ’ଙ୍କ ରେକର୍ଡ ମଧ୍ୟ ବେଶ ଭଲ। ୨୦୧୮ରେ ତାଙ୍କ ନେତୃତ୍ୱରେ ଭାରତୀୟ ଅଣ୍ଡର-୧୯ ଦଳ ଅପରାଜିତ ରହି ବିଶ୍ୱକପ ଜିତିଥିଲା। ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୮ ଉଇକେଟ୍ରେ ପରାସ୍ତ କରିଥିଲା। ପରେ ୨୦୨୧-୨୨ ରଣଜୀ ଟ୍ରଫିରେ ମୁମ୍ବାଇର ଅଧିନାୟକ ଭାବେ ଶ’ ଦଳକୁ ଫାଇନାଲ ପର୍ଯ୍ୟନ୍ତ ନେଇଥିଲେ। ତେବେ ଫାଇନାଲରେ ମଧ୍ୟପ୍ରଦେଶଠାରୁ ମୁମ୍ବାଇ ପରାଜିତ ହୋଇଥିଲା।
ଏହାବ୍ୟତୀତ ତାଙ୍କ ନେତୃତ୍ୱରେ ମୁମ୍ବାଇ ବିଜୟ ହଜାରେ ଟ୍ରଫି ମଧ୍ୟ ଜିତିଥିଲା। ସେହି ସିଜିନ୍ ଶ’ ବ୍ୟାଟ୍ରେ ମଧ୍ୟ ଐତିହାସିକ ପ୍ରଦର୍ଶନ କରିଥିଲେ। ଅପରାଜିତ ୨୨୭ ରନ୍ର ବିଶାଳ ଇନିଂସ ସହ ସେ ମୋଟ ୮୨୭ ରନ ସଂଗ୍ରହ କରିଥିଲେ। ଏବେ ପ୍ରଥମଥର ପାଇଁ ମହାରାଷ୍ଟ୍ର ଦଳର ଅଧିନାୟକ ଭାବେ ଶ’ ମୈଦାନକୁ ଓହ୍ଲାଇବେ। ତାଙ୍କ ନେତୃତ୍ୱରେ ମହାରାଷ୍ଟ୍ର ରଣଜୀ ଟ୍ରଫିରେ କିଭଳି ଆରମ୍ଭ କରୁଛି, ତା’ ଉପରେ ଏବେ ସମସ୍ତଙ୍କ ନଜର।