ଯୁବରାଜ ସିଂହଙ୍କ ବାପାଙ୍କୁ ପୃଥ୍ବୀ ଶ’ଙ୍କ ଧମକ, କହିଲେ…

ନୂଆଦିଲ୍ଲୀ,୨୪।୧୧: ପୃଥ୍ବୀ ସ’ (Prithvi Shaw), ଯୁବରାଜ ସିଂହଙ୍କ ପିତା ଯୋଗରାଜ ସିଂହଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି। ଏହି ବିବାଦ ଏକ ସାକ୍ଷାତକାରରୁ ଆରମ୍ଭ ହୋଇଛି, ଯେଉଁଥିରେ ଯୋଗରାଜ, ପୃଥ୍ବୀ ଶ’ଙ୍କ ଜୀବନଶୈଳୀକୁ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ଜୀବନଶୈଳୀ ସହ ତୁଳନା କରିଥିଲେ। ୨୭ ବର୍ଷୀୟ ଏହି କ୍ରିକେଟର ସ୍ବୀକାର କରିଛନ୍ତି ଯେ ତାଙ୍କ ଅତୀତର କିଛିଟା ଅସ୍ବାଭାବିକ ଜୀବନଶୈଳୀ କାହାରି ପାଇଁ ଅଜଣା ନୁହେଁ, କିନ୍ତୁ ସେ ସ୍ପଷ୍ଟ କରିଛନ୍ତି ଯେ କେହି ମଧ୍ୟ ତାଙ୍କ ସୁନାମକୁ କ୍ଷୁର୍ଣ୍ଣ କରୁ, ତାହା ସେ ସହ୍ୟ କରିବେ ନାହିଁ।
ଏକ ଗଣମାଧ୍ୟମ ସାକ୍ଷାତକାରରେ, ଯୋଗରାଜ ସିଂହ ପୃଥ୍ବୀ ଶ’ଙ୍କ କ୍ୟାରିୟରର ଅବନତି ପଛର କାରଣ ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ ଏହାକୁ ବିନୋଦ କାମ୍ବଲିଙ୍କ କ୍ୟାରିୟରର ଗତିପଥ ସହ ତୁଳନା କରିଥିଲେ। ଯୋଗରାଜ ସିଂହ କହିଥିଲେ, ‘ଏପରି ଘଟିବାର କାରଣ ହେଲା ପାର୍ଟି କରିବା, ମହିଳାଙ୍କ ପଛରେ ପଡ଼ିବା ତଥା ମଦ୍ୟପାନ ଓ ସିଗାରେଟ ସେବନ କରିବା।’ ଏହି ମନ୍ତବ୍ୟ ସାମ୍ନାକୁ ଆସିବା ମାତ୍ରେ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି।
ଯୋଗରାଜ ସିଂହ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ କେହି ପାର୍ଟିରେ ଯୋଗ ଦିଅନ୍ତି ଏବଂ ମଦ କିମ୍ବା ସେହିଭଳି ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ କରନ୍ତି, ସେତେବେଳେ ସେମାନେ ବୁଝିବା ଉଚିତ ଯେ ସେମାନେ ଖରାପ ସଙ୍ଗରେ ଅଛନ୍ତି। ଏହି କଥାକୁ ଆଧାର କରି ସେ ପୃଥ୍ବୀ ଶ’ଙ୍କୁ ବିନୋଦ କାମ୍ବଲିଙ୍କ ସହ ତୁଳନା କରିଛନ୍ତି।
ପୃଥ୍ବୀ ଶ’ ଇନଷ୍ଟାଗ୍ରାମରେ ଏକ ବିବୃତ୍ତି ଜାରି କରି ଲେଖିଛନ୍ତି: ‘ମୋର ଅତୀତ ମୋ ଜୀବନର ଏକ ଅଂଶ। ଲଜ୍ଜିତ ହେବା କିମ୍ବା କିଛି ଲୁଚାଇ ରଖିବାର କୌଣସି କାରଣ ମୋ ପାଖରେ ନାହିଁ। ତେବେ, ଯେଉଁମାନେ ଜାଣିଶୁଣି ମୋ ନାମ ବ୍ୟବହାର କରନ୍ତିମୋ ଜୀବନ ଓ ଅତୀତକୁ ଟାଣି ଆଣି ନକାରାତ୍ମକତା ପ୍ରଚାର କରନ୍ତି, ମୋର ସୁନାମ ନଷ୍ଟ କରନ୍ତି, ଅନାବଶ୍ୟକ ବିବାଦ ସୃଷ୍ଟି କରନ୍ତି କିମ୍ବା କେବଳ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରନ୍ତିସେମାନଙ୍କୁ ମୁଁ ଆଦୌ ବରଦାସ୍ତ କରିବି ନାହିଁ।’
ଯୋଗରାଜ ସିଂହଙ୍କୁ ଶିକ୍ଷା ଦେବା ସହ ପୃଥ୍ବୀ ଶ’ କହିଛନ୍ତି ଯେ, ନିଜର ମତାମତ ପ୍ରକାଶ କରିବା ଏବଂ ମିଥ୍ୟା, ଭ୍ରମାତ୍ମକ, ଅପମାନଜନକ କିମ୍ବା ଦ୍ୱେଷପୂର୍ଣ୍ଣ ବିଷୟବସ୍ତୁ ମାଧ୍ୟମରେ କାହାକୁ ଟାର୍ଗେଟ କରିବା ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି।
ସେ ଆହୁରି ମଧ୍ୟ କହିଛନ୍ତି, ‘ଏହା ମୋର ଶେଷ ଚେତାବନୀ। ଯେଉଁମାନେ ଏଭଳି କାର୍ଯ୍ୟରେ ଜଡ଼ିତ ଅଛନ୍ତି, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।’
ପୃଥ୍ବୀ ଶ’ ବର୍ତ୍ତମାନ ‘ସୟଦ ମୁସ୍ତାକ ଅଲି ଟ୍ରଫି’ରେ ଖେଳୁଛନ୍ତି। ସେ ଏପର୍ଯ୍ୟନ୍ତ ମହାରାଷ୍ଟ୍ର ପାଇଁ ପାଞ୍ଚଟି ମ୍ୟାଚ ଖେଳି ମୋଟ ୧୧୯ ରନ ସଂଗ୍ରହ କରିଛନ୍ତି। ମଧ୍ୟପ୍ରଦେଶ ବିପକ୍ଷରେ ଖେଳାଯାଇଥିବା ନିକଟତମ ମ୍ୟାଚରେ ସେ ୫୧ ରନର ଏକ ଇନିଂସ ଖେଳିଥିଲେ।

Dharitri – Odisha’s No.1 Odia Daily

Share