Categories: ଖେଳ

ନିଜ ରୁମ୍‌ରେ ଭୋ’ ଭୋ ହୋଇ କାନ୍ଦିଥିଲେ ଏହି କ୍ରିକେଟର, ଏବେ କିନ୍ତୁ ସର୍ବାଧିକ ରନ୍‌ର ରେକର୍ଡ କରି ଚର୍ଚ୍ଚାରେ

ବମ୍ବେ,୧୨।୩: ଚଳିତ ବିଜୟ ହଜାରେ ଟ୍ରଫି ଘରୋଇ ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟରେ ହାରାହାରି ୧୮୮.୫ ଅନୁପାତରେ ୭୫୪ ରନ୍‌ କରି ଚର୍ଚ୍ଚାରେ ମୁମ୍ବାଇର ପୃଥ୍ବୀ ଶ। ଏହାଫଳରେ ସେ ଗୋଟିଏ ସିଜନରେ ସର୍ବାଧିକ ରନ୍‌ କରିଥିବା କ୍ରିକେଟରର ରେକର୍ଡ ନିଜ ନାମରେ କରିଛନ୍ତି। ଆସନ୍ତା ୧୪ରେ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ଉତ୍ତରପ୍ରଦେଶ ଏବଂ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ହେବ। ଏଥିରେ ସେ ପୂର୍ବଭଳି ଭଲ ପ୍ରଦର୍ଶନ କରିପାରନ୍ତି ବୋଲି କୁହାଯାଉଛି। ତେବେ ଟୁର୍ନାମେଣ୍ଟରେ ଚମକୁଥିବା ପୃଥ୍ବୀଙ୍କ ପ୍ରଦଶନ ପୂର୍ବରେ ଭଲ ନ ଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଆଡ଼ିଲେଡ୍‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ସେ ୦ ଓ ୪ ରନ୍‌ କରିଥିଲେ। ଏହାପରେ ତାଙ୍କୁ ଭାରତୀୟ ଟିମ୍‌ରୁ ବାହାର କରି ଦିଆଯାଇଥିଲା। ଏବେ ସେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି।

ଦଳରୁ ବାହାର ହେବା ନେଇ ଏକ ସାକ୍ଷାତକାରରେ ସେ କହିଛନ୍ତି, ମୁଁ ଦ୍ୱନ୍ଦରେ ଥିଲି। ଏସବୁ କ’ଣ ହେଉଛି ବୋଲି ନିଜକୁ ପଚାରୁଥିଲି। ମୋ ବ୍ୟାଟିଂରେ କି ଅସୁବିଧା ଅଛି ବୋଲି ଭାବୁଥିଲି। ଆଡିଲେଡ୍‌ ଟେଷ୍ଟରେ ମିଚେଲ ଷ୍ଟାର୍କ ଏବଂ ପୈଟ କମିନ୍ସଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲି। ଏହା ବହୁତ ନିରାଶ କରିଥିଲା। ଏହାପରେ କାଚ ସମ୍ମୁଖରେ ଛିଡ଼ା ହୋଇ ଯେମିତି ସବୁ ଭାବୁଛନ୍ତି ସେଭଳି ଖେଳାଳି ନୁହେଁ ବୋଲି ନିଜକୁ ନିଜେ କହୁଥିଲି। ସେତେବେଳେ ଶାସ୍ତ୍ରୀ ସାର୍‌ ଏବଂ ବିକ୍ରମ ରାଠୋର ସାର୍‌ ମୋତେ ନିଜ ଭୁଲ କେଉଁଠି ହେଉଛି ସେ ନେଇ ଅବଗତ କରାଇଥିଲେ। ନେଟ୍ସରେ ବାରମ୍ବାର ଅଭ୍ୟାସ କରି ତାକୁ ସଜାଡ଼ିବାକୁ ଚେଷ୍ଟା କରିଥିଲି। ତଥାପି ଛୋଟ ଛୋଟ ଭୁଲ ହେଉଥିଲା ବୋଲି ସେ କହିଛନ୍ତି।

ତେବେ ଭାରତ ଫେରିବା ପରେ ସେ ଦଳରୁ ବାହାରିବା ନେଇ ଚିନ୍ତାଗ୍ରସ୍ତ ହୋଇଯାଇଥିଲେ। ନିଜର ଖେଳ ସୁଧାରିବାକୁ ହେବ ବୋଲି ସେ ନିଶ୍ଚିତ କରିଥିଲେ। ହେଲେ ଚୟନ ନ ହେବା ଦିନକୁ ଭୁଲିପାରୁ ନ ଥିଲେ। ସେ ଦିନ ବେଶ ଖରାପ ଥିଲା। ସେ ନିଜ କୋଠରୀକୁ ଯାଇ ଖୁବ୍‌ ଜୋର୍‌ରେ କାନ୍ଦିଥିଲେ। କାହା ସହ କଥା ହୋଇ ନ ଥିଲେ। ଫୋନ୍‌ ଆସୁଥିଲେ ହେଁ ଉଠାଉ ନ ଥିଲେ। ପରେ କ’ଣ ପାଇଁ ଆଉଟ୍‌ ହେଉଛନ୍ତି ତାହା ଉପରେ କାମ କରିଥିଲେ। ସଚିନ ତେନ୍ଦୁଲକରଙ୍କୁ ଭେଟିଥିଲେ। ସେ ତାଙ୍କୁ ବିଶେଷ ପରିବର୍ତ୍ତନ ନ କରି ଯେତେ ସମ୍ଭବ ପାଖରେ ଖେଳିବାକୁ ଚେଷ୍ଟା କରନ୍ତୁ ବୋଲି କହିଥିଲେ। କାରଣ ସେ ବଲ୍‌ ପାଖରେ ଡେରିରେ ପହଞ୍ଚୁଥିଲେ। ପରେ ଅଷ୍ଟ୍ରେଲିଆ ଗସ୍ତ ସରେ ସେ ଏହା ଉପରେ କାମ କରିଥିଲେ ବୋଲି କହିଛନ୍ତି।

ଏବେ ସେ ଦଳକୁ ପୁଣି ଫେରିବା ନେଇ କିଛି ଭାବି ନାହାନ୍ତି। ଯେତେବେଳେ ସୁଯୋଗ ମିଳିବ ସେତେବେଳେ ସେ ତାର ଫାଇଦା ଉଠାଇବେ। ଇଂଲଣ୍ଡ ବିପକ୍ଷରେ ତାଙ୍କୁ ସୁଯୋଗ ନ ମିଳିବା ନିଜର ଭୁଲ। ଏବେ ସେ ଭଲ ପ୍ରଦର୍ଶନ କରି ସବୁକିଛି ବଦଳାଇବାକୁ ଚାହାନ୍ତି ବୋଲି ପୃଥ୍ବୀ କହିଛନ୍ତି।

Share