ନୂଆଦିଲ୍ଲୀ,୧୭।୯: ଟିମ୍ ଇଣ୍ଡିଆରୁ ଦୀର୍ଘ ସମୟ ଧରି ଦୂରେ ଥିବା ଭାରତୀୟ ଓପନର ବ୍ୟାଟର ପୃଥ୍ୱୀ ଶ’ଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତାଙ୍କ ଭାବି ପତ୍ନୀ ଆକୃତି ଅଗ୍ରୱାଲ ଦୁହିଁଙ୍କ ସମ୍ପର୍କ ଶେଷ ହୋଇଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।
ରିପୋର୍ଟ ଅନୁସାରେ, ପୃଥ୍ୱୀ ଓ ଆକୃତି ପ୍ରାୟ ଦୁଇ ବର୍ଷ ଧରି ସମ୍ପର୍କରେ ଥିଲେ । ଗତବର୍ଷ ମାର୍ଚ୍ଚ ୮ ତାରିଖରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ସେତେବେଳେ ଦୁହେଁ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହାର ଘୋଷଣା କରିଥିଲେ। ଏବେ ଆକୃତି ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସମ୍ପର୍କ ଶେଷ କରିବା ନେଇ ଜଣାଇଛନ୍ତି । ସେ କହିଛନ୍ତି ଯେ ଭବିଷ୍ୟତର ଲକ୍ଷ୍ୟ ଓ ପରିସ୍ଥିତି ଭିନ୍ନ ହୋଇଥିବାରୁ ଦୁହେଁ ପରସ୍ପର ସହମତିରେ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି ।
ଆକୃତି ନିଜ ପୋଷ୍ଟରେ ଉଭୟଙ୍କ ପାଇଁ ଶାନ୍ତି ଓ ଖୁସି କାମନା କରିବା ସହ ଏହି କଠିନ ସମୟରେ ତାଙ୍କ ଗୋପନୀୟତାକୁ ସମ୍ମାନ କରିବାକୁ ଅନୁରୋଧ କରିଛନ୍ତି । ସମ୍ପର୍କ ଭାଙ୍ଗିବାର କାରଣକୁ ନେଇ କୌଣସି ଅଟକଳ କିମ୍ବା ମନଗଢ଼ା କଥା ନ କହିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି। ଚଳିତ ବର୍ଷ ଜୁଲାଇରେ ଆକୃତି ଇନ୍ଷ୍ଟାଗ୍ରାମରେ ‘ଧୋକା’ ଓ ‘ବିଶ୍ୱାସଘାତ’କୁ ନେଇ ଏକ ରହସ୍ୟମୟ ପୋଷ୍ଟ କରିଥିଲେ। ଏହା ପରେ ସୋସିଆଲ ମିଡିଆରେ ପୃଥ୍ୱୀ ଶ’ ତାଙ୍କୁ ଧୋକା ଦେଇଥିବା ଏବଂ ଦୁହିଁଙ୍କ ସମ୍ପର୍କ ଭାଙ୍ଗିଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା।
ତେବେ ସେତେବେଳେ ଆକୃତି ଏହି ଖବରକୁ ଖଣ୍ଡନ କରିଥିଲେ। ତାଙ୍କ ପୋଷ୍ଟ ପୃଥ୍ୱୀ ଶ’ଙ୍କୁ ନେଇ ନଥିଲା ବୋଲି ସ୍ପଷ୍ଟ କରିବା ସହ ଉଭୟ ଖୁସିରେ ଏକାଠି ଥିବା ଏବଂ ନିର୍ବନ୍ଧ ଅକ୍ଷୁଣ୍ଣ ରହିଥିବା କହିଥିଲେ। କିନ୍ତୁ ଏବେ ଆକୃତିଙ୍କ ନୂଆ ପୋଷ୍ଟ ପରେ ଉଭୟଙ୍କ ସମ୍ପର୍କ ଶେଷ ହୋଇଥିବା କଥା ସେ ନିଜେ ସ୍ପଷ୍ଟ କରିଛନ୍ତି ।