Categories: ଜାତୀୟ

ପଞ୍ଜାବ ଜେଲରେ ଜୀବନସାଥୀଙ୍କ ସହ ସମୟ ବିତାଇବେ କଏଦୀ

ଚଣ୍ଡିଗଡ଼,୨୧ା୯: ବିଭିନ୍ନ ଅପରାଧରେ ପଞ୍ଜାବ ଜେଲରେ ବନ୍ଦୀ ଥିବା କଏଦୀମାନେ ନିଜ ଜୀବନସାଥୀଙ୍କ ସହ କିଛି ଘଣ୍ଟା ବିତାଇପାରିବେ। ଏଥିପାଇଁ ସ୍ବତନ୍ତ୍ର କୋଠରିର ବ୍ୟବସ୍ଥା କରାଯାଇଛି। ମଙ୍ଗଳବାରଠାରୁ କଏଦୀଙ୍କୁ ଏହି ସୁବିଧା ମିଳିଛି। ଏପରି କରିବାରେ ପଞ୍ଜାବ ଦେଶର ପ୍ରଥମ ରାଜ୍ୟ ହୋଇଛି। ତେବେ ଗ୍ୟାଙ୍ଗ୍‌ଷ୍ଟର୍‌, ଦୁର୍ଦ୍ଦାନ୍ତ ଅପରାଧୀ କିମ୍ବା ଯୌନ ଅପରାଧରେ ଜେଲଦଣ୍ଡ ଭୋଗୁଥିବା ବନ୍ଦୀଙ୍କୁ ଏହି ସୁବିଧା ମିଳିବ ନାହିଁ। ଜେଲରେ ଭଲ ବ୍ୟବହାର ଥିବା କଏଦୀ ୩ ମାସରେ ଥରେ ୨ ଘଣ୍ଟା ପାଇଁ ସ୍ତ୍ରୀ/ସ୍ବାମୀଙ୍କୁ ଭେଟିପାରିବେ।
ଭାବେ ଗୌଣ୍ଡଓ୍ବାଲ ସାହିବରେ ଥିବା ସେଣ୍ଟ୍ରାଲ ଜେଲ ଏବଂ ବଠିଣ୍ଡାରେ ଥିବା ମହିଳା କାରାଗାରରେ ବନ୍ଦୀଙ୍କ ସ୍ତ୍ରୀ/ସ୍ବାମୀଙ୍କୁ ଆସିବାକୁ ଅନୁମତି ମିଳିବ। ସ୍ବତନ୍ତ୍ର କୋଠରିରେ ବାଥରୁମ୍‌ର ବ୍ୟବସ୍ଥା ରହିଛି। ଯେଉଁମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗୁଛନ୍ତି ବା ଭୋଗିବେ ସେମାନଙ୍କୁ ପ୍ରାଥମିକତା ଦିଆଯିବ। ଏହାଦ୍ୱାରା ବନ୍ଦୀଙ୍କ ସ୍ବଭାବ ଓ ବ୍ୟବହାର ଉନ୍ନତ ହେବା ସହ ସେମାନଙ୍କ ବୈବାହିକ ସମ୍ପର୍କ ମଧ୍ୟ ମଜଭୁତ ହୋଇପାରିବ ବୋଲି କୁହାଯାଇଛି। ବନ୍ଦୀଙ୍କୁ ଭେଟିବାକୁ ଆସୁଥିବା ବ୍ୟକ୍ତି ସେମାନଙ୍କ ବିବାହ ସାର୍ଟିଫିକେଟ ଆଣିବା ବାଧ୍ୟତାମୂଳକ। ଏଥିସହ ସେମାନେ ଯୌନ ସଂକ୍ରମଣ ଜନିତ ରୋଗ, କୋଭିଡ୍‌ କିମ୍ବା ଏଚ୍‌ଆଇଭିରେ ପୀଡ଼ିତ ନ ଥିବାର ମେଡିକାଲ ପ୍ରମାଣପତ୍ର ଆଣିବେ। ବନ୍ଦୀମାନେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ସହ ଜେଲ ପରିସରରେ ଏକାଠି ଖାଇପାରିବେ ବୋଲି କିଛିଦିନ ତଳେ ରାଜ୍ୟ କାରାଗାର ବିଭାଗ ଏକ ଯୋଜନା ଆରମ୍ଭ କରିଛି।

Share