ହାଜତ୍‌ରେ କଏଦୀ ମୃତ୍ୟୁ ଘଟଣା: ପରିବାର ଲୋକେ ଆଣିଲେ ସଙ୍ଗୀନ ଅଭିଯୋଗ

ଚିତ୍ରକୋଣ୍ଡା,୨୯।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଉପକାରାଗାରରେ କଏଦୀ ଦାନୁ ଗୋଲୋରୀଙ୍କର ଗତ ରବିବାର ମୃତ୍ୟୁ ଘଟିଥିଲା। ଏ ନେଇ ମୃତ କଏଦୀଙ୍କ ପରିବାର ଲୋକେ ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଦାନୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସେମାନେ ମଙ୍ଗଳବାର କହିଛନ୍ତି। ଏହା ଆତ୍ମହତ୍ୟା ନୁହେଁ ଏହା ହତ୍ୟା ଷଡଯନ୍ତ୍ର ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଦାନୁଙ୍କୁ ତିନି ମାସ ପୂର୍ବେ ମିଲିସିଆ ନେଇ ଗିରଫ କରାଯାଇଥିଲା। ପରିବାରଲୋକେ ଦାନୁଙ୍କୁ ଜେଲରେ ଦେଖା ମଧ୍ୟ କରିଥିଲେ। ଦାନୁ ସେଠାରେ ଭଲରେ ଥିବା ପରିବାରଲୋକଙ୍କୁ କହିଥିଲେ। ମାତ୍ର ରବିବାର ସେ ଅସୁସ୍ଥ ଥିବା ନେଇ ପରିବାରକୁ ସୂଚନା ଦିଆଯାଇଥିଲା। ପରିବାର ଲୋକେ ସେଠାରେ ପହଞ୍ଚିବା ପରେ ପୋଲିସ ସେମାନଙ୍କୁ ଦାନୁଙ୍କ ମୃତ ଶରୀର ନେଇଯିବାକୁ କହିଥିଲେ। ମଙ୍ଗଳବାର ତାଙ୍କ ମୃତଦେହ ଦାହ କରିବା ପୂର୍ବରୁ ମଧ୍ୟ ପରିବାରଲୋକେ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବିରେ ଅଡ଼ି ବସିଥିଲେ । କିନ୍ତୁ କିଛି ଗ୍ରାମବାସୀ ଓ ସମ୍ପର୍କୀୟ ମାନେ ବୁଝା ସୁଝା କରି ତାଙ୍କ ମୃତଦେହ ଦାହ କରିଥିବା ଜଣାପଡ଼ିଛି