ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ମାମଲା

କଟକ ଅଫିସ,୨୮।୧: ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ଘଟଣାରେ ବୁଧବାର ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଛି। ଏଫ୍‌ଆଇଆର୍‌ରେ କିପରି ଦ୍ୱନ୍ଦ୍ୱ ରହିଛି ସେନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ଏହି ଆଧାରରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ତଦନ୍ତ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଏବଂ ବିଚାରପତି ଜଷ୍ଟିସ୍‌ ବିଶ୍ୱଜିତ୍‌ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଆବେଦନକାରୀଙ୍କ ପକ୍ଷରୁ ସତ୍ୟପାଠରେ ଦର୍ଶାଯାଇଥିଲା ଯେ, ପୋଲିସ ପ୍ରଥମେ ବାସେଳି ସାହି ଥାନା ହାଜତରେ ମୃତ୍ୟୁବରଣ କରିଥିବା କେ.ରମେଶଙ୍କ ନାଁରେ ମାମଲା(ନଂ.୩୧୮/୨୦୨୦)ରୁଜୁ କରିଥିଲା। ଉକ୍ତ ମାମଲା କେ.ରମେଶଙ୍କ ହାଜତ ମୃତ୍ୟୁକୁ ନେଇ କରାଯିବା ପରିବର୍ତ୍ତେ ତାଙ୍କୁ ଜଣେ ଅପରାଧୀ ବୋଲି ଦର୍ଶାଯାଇଥିଲା। ଜଣେ ଅଭିଯୁକ୍ତ ଯଦି ହାଜତରେ ମୃତ୍ୟୁବରଣ କରନ୍ତି, ତେବେ ସିଆରପିସିର ଦଫା ୧୭୪ରେ ପୋଲିସ ତଦନ୍ତ କରିଥାଏ। ପ୍ରଥମେ ଦିଆଯାଇଥିବା ଏତଲାରେ ଏହି ଧାରା ସମ୍ପର୍କରେ ଉଲ୍ଲେଖ କରାଯାଇ ନ ଥିଲା। କିନ୍ତୁ ଗତ ୧୧ ତାରିଖରେ ହାଇକୋର୍ଟରେ ପୋଲିସ ଯେଉଁ ଏଫ୍‌ଆଇଆରକୁ ମେମୋ ଆକାରରେ ଦାଖଲ କରିଥିଲା ସେଥିରେ ସିଆର୍‌ପିସିର ଏହି ୧୭୪ ଦଫାକୁ ଯୋଡ଼ା ଯାଇଛି। ଏପରିକି ଏହି ଏଫ୍‌ଆଇଆର୍‌ର କିଛି ଅଂଶକୁ ପରିବର୍ତ୍ତନ କରାଯାଇଛି। ପ୍ରଥମେ ପୋଲିସ ଏତଲାରେ ଦର୍ଶାଇଥିଲା କେ. ରମେଶ ବ୍ରହ୍ମଗିରିରୁ ପୁରୀ ଆସୁଥିଲେ। ପରେ ପୁରୀ ଏସ୍‌ପି ଖବରଦାତା ସମ୍ମିଳନୀରେ କେ. ରମେଶ ବାଟଦ୍‌ମଙ୍ଗଳାରୁ ପୁରୀ ଆସୁଥିଲେ ବୋଲି କହିଥିଲେ। ସେହିପରି କେ. ରମେଶଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ତା’ଙ୍କ ଶରୀରରେ ୧୫ଟି ଆଘାତ ଚିହ୍ନଥିବା ଉଲ୍ଲେଖ କରାଯାଇଛି। ଦାଖଲ ଇନ୍‌କ୍ୱେଷ୍ଟ ରିପୋର୍ଟରେ କେ. ରମେଶଙ୍କ ମା’ବାପାଙ୍କ ଦସ୍ତଖତରେ ତାଳମେଳ ନାହିଁ। ତେଣୁ ପୁରୀ ପୋଲିସ ସମ୍ପୂର୍ଣ୍ଣ ‘ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି କରୁଛି ବୋଲି ଆବେଦନକାରୀ ସତ୍ୟପାଠରେ ଦର୍ଶାଇଛନ୍ତି।