Categories: ଜାତୀୟ

ଜେଲ୍‌ରେ ବଢୁଛି କଏଦୀଙ୍କ ଭିଡ଼: କର୍ମଚାରୀଙ୍କ ସଂଖ୍ୟା ଆବଶ୍ୟକତାଠାରୁ କମ୍‌

ନୂଆଦିଲ୍ଲୀ, ୩୧।୮: ଭାରତୀୟ ଜେଲ୍‌ଗୁଡ଼ିକରେ କଏଦୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଜେଲ୍‌ଗୁଡ଼ିକରେ କ୍ଷମତାଠାରୁ ଅଧିକ ସଂଖ୍ୟକ କଏଦୀ ରହିଛନ୍ତି। ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁସାରେ ୨୦୧୯ରେ ଜେଲ୍‌ରେ କଏଦୀଙ୍କ ସଂଖ୍ୟା ୪ ଲକ୍ଷ ୭୮ ହଜାର ରହିଛି। ତେବେ ଜେଲ୍‌ର କ୍ଷମତା ୪ ଲକ୍ଷ ୩ ହଜାର ଅଛି। ଫଳରେ ଜେଲ୍‌ରେ ଭିଡ଼ ପରିଲକ୍ଷିତ ହେଉଛି। କଏଦୀଙ୍କ ମଧ୍ୟରେ ୧୯ ହଜାର ୯୧୩ ମହିଳା ଥିବାବେଳେ ୪ ଲକ୍ଷ ୫୮ ହଜାର ପୁରୁଷ ରହିଛନ୍ତି। କଏଦୀଙ୍କ ସଂଖ୍ୟା ବଢୁଥିଲେ ମଧ୍ୟ ଜେଲ୍‌ କର୍ମଚାରୀଙ୍କ ସଂଖ୍ୟା ଆବଶ୍ୟକତାଠାରୁ ଯଥେଷ୍ଟ କମ୍‌ ରହିଛି। ୮୦ ହଜାର ୫୯୯ ଜେଲ୍‌ କର୍ମଚାରୀଙ୍କୁ ନିଯୁକ୍ତି ପାଇଁ ସ୍ବୀକୃତି ମିଳିଥିଲେ ମଧ୍ୟ ୨୦୧୯ ଡିସେମ୍ବର ୩୧ ସୁଦ୍ଧା ସେମାନଙ୍କ ସଂଖ୍ୟା ୬୦ ହଜାର ୭୮୭ ରହିଛି। ଦେଶରେ ୧୩୫୦ ଜେଲ୍‌ ରହିଛି। ସେଥିମଧ୍ୟରେ ଉପ ଜେଲ୍‌ ସଂଖ୍ୟା ୬୧୭ ଥିବାବେଳେ ଜିଲା ଜେଲ୍‌ ସଂଖ୍ୟା ୪୧୦ ରହିଛି। ସେହିପରି ୧୪୪ଟି ସେଣ୍ଟ୍ରାଲ୍‌ ଜେଲ୍‌, ୮୬ଟି ଓପନ୍‌ ଜେଲ୍‌, ୪୧ ବିଶେଷ ଜେଲ୍‌, ୩୧ ମହିଳା ଜେଲ ଏବଂ ୨୧ ଅନ୍ୟ ଜେଲ୍‌ ରହିଛି। ସେଣ୍ଟ୍ରାଲ୍‌ ଜେଲ୍‌ର କ୍ଷମତା ଲକ୍ଷେ ୭୭ ହଜାର ଥିବାବେଳେ ଏଠାରେ ୨ ଲକ୍ଷ ୨୦ ହଜାର କଏଦୀ ରହୁଛନ୍ତି। ସେହିପରି ଜିଲା ଜେଲ୍‌ର କ୍ଷମତା ଲକ୍ଷେ ୫୮ ହଜାର ରହିଛି। ଏସବୁ ଜେଲ୍‌ରେ କଏଦୀଙ୍କ ସଂଖ୍ୟା ୨ ଲକ୍ଷ ୬ ହଜାର ରହିଥିବା ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share