Categories: ଜାତୀୟ

ବଜେଟ୍‌ ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୯।୧: ବଜେଟ ଅଧିବେଶନର ପ୍ରଥମ ଦିନରେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ଅଭିଭାଷଣ ରଖିଛନ୍ତି। କରୋନା ମହାମାରୀ ସମୟରେ ଏହି ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି, ନୂତନ ଦଶନ୍ଧି ଏବଂ ନୂତନ ବର୍ଷ ହେଉଛି ପ୍ରଥମ ଅଧିବେଶନ। ଏହା ସହିତ ଭାରତ ସ୍ବାଧୀନତାର ୭୫ ତମ ବର୍ଷରେ ପ୍ରବେଶ କରିଛି।
ଏହି ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି, ମୁଁ ସନ୍ତୁଷ୍ଟ ଯେ, ସେହି ସମୟରେ ମୋ’ ସରକାର ନେଇଥିବା ସଠିକ୍‌ ନିଷ୍ପତ୍ତି ଯୋଗୁ ଲକ୍ଷଲକ୍ଷ ଦେଶବାସୀଙ୍କ ଜୀବନ ରକ୍ଷା ହୋଇଛି। ଆଜି ନୂତନ କେରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି ଏବଂ ସଂକ୍ରମଣରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବହୁ ଅଧିକ।
ରାଷ୍ଟ୍ରପତି କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ୮କୋଟି ଲୋକଙ୍କୁ ୮ ମାସ ପାଇଁ ୫ କିଲୋଗ୍ରାମ ଅତିରିକ୍ତ ଶସ୍ୟ ମାଗଣାରେ ସୁନିଶ୍ଚିତ କରାଯାଇଛି। ପ୍ରବାସୀ ଶ୍ରମିକ, ଶ୍ରମିକ ଏବଂ ନିଜ ଘରଠାରୁ ଦୂରରେ ରହୁଥିବା ଲୋକଙ୍କ କଥା ମଧ୍ୟ ସରକାର ଚିନ୍ତା କରିଥିଲେ।

ଆତ୍ମନିଭରଶୀଳ ଭାରତରେ ମହିଳା ଉଦ୍ୟୋଗୀଙ୍କ ବିଶେଷ ଭୂମିକା:
ରାଷ୍ଟ୍ରପତି କହିଛନ୍ତି, ଆତ୍ମନିର୍ଭରଶୀଳ ଭାରତରେ ମହିଳା ଉଦ୍ୟୋଗୀମାନଙ୍କର ବିଶେଷ ଭୂମିକା ରହିଛି। ମହିଳାମାନଙ୍କୁ ନୂତନ ନିଯୁକ୍ତି ସୁଯୋଗ ଦେବା ପାଇଁ ମୋ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏ ପର୍ଯ୍ୟନ୍ତ ମୁଦ୍ରା ଯୋଜନା ଅଧୀନରେ ୨୫କୋଟିରୁ ଅଧିକ ଋଣ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ମହିଳା ଉଦ୍ୟୋଗୀଙ୍କୁ ଦିଆଯାଇଛି।

୩ କୋଟି ପରିବାର ନିକଟରେ ପହଞ୍ଚିଛି ଟ୍ୟାପ୍‌ ପାଣି:
ରାଷ୍ଟ୍ରପତି କହିଛନ୍ତି, ‘ମୋ ସରକାର ଜଳ ଜୀବନ ମିଶନ’ର ଏକ ମହତ୍ତ୍ୱପୂର୍ଣ୍ଣ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ଏହା ଅଧୀନରେ ପ୍ରତ୍ୟେକ ଘରକୁ ଜଳ ବିତରଣ କରିବା ସହିତ ଜଳ ସଂରକ୍ଷଣ ମଧ୍ୟ ଦ୍ରୁତ ଗତିରେ କରାଯାଉଛି। ଏହି ଅଭିଯାନ ଅଧୀନରେ ବର୍ତ୍ତମାନ ସୁଦ୍ଧା ୩ କୋଟି ପରିବାର ପାଇପ ଜଳ ଯୋଗାଣ ସହିତ ସଂଯୁକ୍ତ ହୋଇଛନ୍ତି।

ଗାଁ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଏକ ପ୍ରାଥମିକତା:

ରାଷ୍ଟ୍ରପତି କହିଛନ୍ତି, ଗାଁ ଲୋକଙ୍କ ଜୀବନଧାରଣର ଉନ୍ନତି ହେବା ଉଚିତ୍‌। ଏହା ମୋ ସରକାରଙ୍କ ପ୍ରାଥମିକତା। ଏହାର ସର୍ବୋତ୍ତମ ଉଦାହରଣ ହେଉଛି ୨୦୧୪ ଠାରୁ ଗରିବ ଗ୍ରାମୀଣ ପରିବାର ପାଇଁ ନିର୍ମିତ ୨ କୋଟି ଘର।

Share