ଭଞ୍ଜନଗର,୫ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସୋମବାର ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କମାନୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିସରରୁ ମଇଳା ବାହାର କରାଯାଇଥିଲା। ଏଥିସହ ପରିବେଶର ସ୍ବଚ୍ଛତା ଓ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅବସରରେ ଅଧ୍ୟକ୍ଷ ସ୍ବଚ୍ଛ ଭାରତ ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ସ୍ବଚ୍ଛତାକୁ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ଆହ୍ବାନ ଦେଇଥିଲେ। ଏକ ସ୍ବଚ୍ଛ ପରିବେଶ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ସହ ସମସ୍ତଙ୍କ ମଧ୍ୟରେ ସ୍ବାସ୍ଥ୍ୟ ସଚେତନତା ବୃଦ୍ଧି କରେ ବୋଲି ସେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଅଭିଯାନ ୬.୦ ମାଧ୍ୟମରେ ବିଦ୍ୟାଳୟ ପରିସରରେ ସ୍ବଚ୍ଛତା, ଅଦରକାରୀ ଫାଇଲ ଓ କାଗଜପତ୍ରର ନିଷ୍କାସନ ତଥା ଇ-ବର୍ଜ୍ୟବସ୍ତୁର ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି। ସ୍ବଚ୍ଛ ପରିସର ଓ ସବୁଜ ପରିବେଶ ଗଠନ ଦିଗରେ ବିଦ୍ୟାଳୟର ଏହି ପଦକ୍ଷେପ ପ୍ରଶଂସନୀୟ ହୋଇଛି।