Categories: ଜାତୀୟ

‘ତାଜମହଲ ଆମ ସମ୍ପତ୍ତି’

ଜୟପୁର,୧୧।୫: ଜୟପୁରର ପୂର୍ବତନ ରାଜ ପରିବାର ସଦସ୍ୟା ଆଗ୍ରାର ତାଜମହଲ ନିଜ ସମ୍ପତ୍ତି ବୋଲି ଦାବି କରିଛନ୍ତି। ଭାରତୀୟ ଜନତା ପାର୍ଟିର ଏମ୍‌ପି ତଥା ଜୟପୁରର ପୂର୍ବତନ ରାଜ କୁମାରୀ ଦୀୟା କୁମାରୀ ଏହି ଦାବି କରିଛନ୍ତି। ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ତାଜ ମହଲ ତିଆରି ହୋଇଥିବା ଜମିର ମାଲିକାନା ରହିଛି ବୋଲି ସେ କହିଛନ୍ତି। ତାଜମହଲରେ ବନ୍ଦ ରହିଥିବା ୨୨ଟି ରୁମ୍‌ରେ ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତି ରହିଛି। ଏହାର ଯାଞ୍ଚ କରିବାକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ)କୁ ନିର୍ଦ୍ଦେଶ ଦେବାକୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଗୋଟିଏ ଆବେଦନ କରାଯାଇଥିଲା। ଏହି ଆବେଦନ ପରେ ହିଁ ଦୀୟା କୁମାରୀ ତାଜ ମହଲ ତିଆରି ହୋଇଥିବା ଜମି ଉପରେ ନିଜର ମାଲିକାନା ଜାହିର କରିଛନ୍ତି।
ଏହି ଆବେଦନର ସମର୍ଥନରେ ମତ ରଖି ଦୀୟା କୁମାରୀ କହିଛନ୍ତି, ତାଜମହଲ ହେବା ପୂର୍ବରୁ ସେଠାରେ ଜୟପୁରର ପୂର୍ବତନ ରାଜପରିବାରର ଏକ ପ୍ୟାଲେସ ଥିଲା। ଏହି ଜମି ଆମର ଥିଲା। ଏହାକୁ ଶାହାଜାହାଁ ବଳପୂର୍ବକ କବ୍‌ଜା କରିନେଇଥିଲେ। ଜମି ନେବା ପରେ କୌଣସି ପ୍ରକାରର ଆବେଦନ ହୋଇ ନ ଥିଲା। କାରଣ ସେତେବେଳେ କୌଣସି ନ୍ୟାୟପାଳିକା ନ ଥିଲା। ସବୁ କିଛି ରେକର୍ଡ ଯାଞ୍ଚ କରିବା ପରେ ସ୍ପଷ୍ଟ ହୋଇଯିବ। ଏହି ଦାବିକୁ ପ୍ରମାଣ କରିବା ପାଇଁ ତାଙ୍କ ପାଖରେ ଉପଯୁକ୍ତ ଦସ୍ତାବିଜ ରହିଥିବା ମଧ୍ୟ ଦିୟା କହିଛନ୍ତି।

Share