ପ୍ରିନ୍ସ ୱିଲିୟମଙ୍କୁ ହୋଇଥିଲା କରୋନା, ୭ ମାସ ପରେ କଲେ ଖୁଲାସା

ଲଣ୍ଡନ,୨।୧୧: ସାରା ବିଶ୍ୱରେ ଅନେକ ସେଲିବ୍ରିଟିମାନେ ମହାମାରୀ କରୋନା ଆକ୍ରାନ୍ତ ହେବା ନଜିର ରହିଛି। ଏହି କ୍ରମରେ ବ୍ରିଟେନର ରାଜ ପରିବାରର ସଦସ୍ୟ ପ୍ରିନ୍ସ ୱିଲିୟମ ଗତ ଏପ୍ରିଲରେ କରୋନା ସଂକ୍ରମିତ ହୋଇଥିଲେ ବୋଲି ଜଣାପଡିଛି। ତାଙ୍କ ପିତା ପ୍ରିନ୍ସ ଚାଲର୍‌ସ ମଧ୍ୟ କରୋନା ପଜିଟିଭ ଥିଲେ। କିନ୍ତୁ ପ୍ରିନ୍ସ ୱିଲିୟମ ତାଙ୍କ ସଂକ୍ରମଣ ଏବଂ ଚିକିତ୍ସାକୁ ଗୁପ୍ତ ରଖିଥିଲେ। କରୋନା ସଂକ୍ରମିତ ହେବା ପରେ ମଧ୍ୟ ୱିଲିୟମ ତାଙ୍କ ଟେଲିଫୋନ ଏବଂ ଭିଡିଓ କାମ ଜାରି ରଖିଥିଲେ। ଯାହା ଦ୍ୱାରା ଲୋକମାନେ କୌଣସି ବିଷୟରେ ସନ୍ଦେହ କରିବେ ନାହିଁ। ସେ କାହାକୁ ଅସୁବିଧାରେ ପକାଇବାକୁ ଚାହୁଁନଥିବାରୁ ଏଭଳି ନିଷ୍ପତ୍ତି ନେଇଥିଲେ। ୩୮ ବର୍ଷୀୟ ପ୍ରିନ୍ସ ୱିଲିୟମ ଏକ ସାକ୍ଷାତକାରରେ କହିଥିଲେ କରୋନାକୁ ନେଇ ସମଗ୍ର ବିଶ୍ୱରେ ଅନେକ କିଛି ଆଲୋଚନା ଚାଲିଛି। ଏସବୁ ଭିତରେ ଦେଶବାସୀଙ୍କୁ ଆଉ ଅସୁବିଧାରେ ପକାଇବାକୁ ଚାହୁଁ ନ ଥିଲି ତେଣୁ ଏକଥା ଗୋପନ ରଖିଥିଲି। ରୟାଲ୍‌ ପ୍ୟାଲେସର ଡାକ୍ତରମାନେ ହିଁ ତାଙ୍କର ଚିକିତ୍ସା କରିଥିଲେ। ଏହି ସମୟରେ କରୋନାର ସମସ୍ତ ନିୟ ସେ ପାଳନ କରିଥିଲେ। ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବା ପରେ ପରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏପ୍ରିଲ୍‌ ମାସରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ।

Share