ମୁମ୍ବାଇ,୧୬।୧୧: ବ୍ରିଟେନ୍ର ପ୍ରିନ୍ସ ୱିଲିୟମ୍ ଓ ପ୍ରିନ୍ସେସ୍ କେଟ୍ ମିଡଲଟନ୍ ମୁମ୍ବାଇର ବଲାର୍ଡ ଇଷ୍ଟେଟ୍ ଗସ୍ତ ସମୟରେ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସହ ଏକ ସ୍ମରଣୀୟ ମୁହୂର୍ତ୍ତ ବିତାଇଛନ୍ତି । ଶାହୀ ଦମ୍ପତି ପାରମ୍ପରିକ ଭାରତୀୟ ଚା’ର ମଜା ନେବା ସହ ସଚିନଙ୍କ ସହ ଆଲୋଚନା କରିଥିଲେ । ଏହାସହ ସ୍କୁଲ ପିଲାଙ୍କ ସହ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ରେ ମଧ୍ୟ ଭାଗ ନେଇଥିଲେ। ନଭେମ୍ବର ୧୬ ତାରିଖର ଏହି ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୋମବାର ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓରେ ପ୍ରିନ୍ସ ୱିଲିୟମ୍ ଓ କେଟ୍ ମିଡଲଟନ୍ଙ୍କୁ ସଚିନ ତେନ୍ଦୁଲକରଙ୍କ ସହ ଖୁବ୍ ଆତ୍ମୀୟତାର ସହ କଥା ହେଉଥିବା ଦେଖିବାକୁ ମିଳିଛି । ପରେ ତିନିଜଣ ଏକ ସ୍ୱତନ୍ତ୍ର ଚା’ ଷ୍ଟଲ୍କୁ ଯାଇଥିଲେ । ସେଠାରେ ସେମାନଙ୍କୁ ମାଟିର କପ୍ ବା କୁଲ୍ହଡ଼ରେ ପାରମ୍ପରିକ ଭାରତୀୟ ଚା’ ପରସା ଯାଇଥିଲା। ଏହି ସାକ୍ଷାତକୁ ନେଇ ସଚିନ ତେନ୍ଦୁଲକର ମଧ୍ୟ ନିଜ ଅନୁଭୂତି ବାଣ୍ଟିଥିଲେ। ସେ କହିଥିଲେ ଯେ, ପ୍ରାୟ ୧୦ ବର୍ଷ ପୂର୍ବେ ସେ ପ୍ରିନ୍ସ ୱିଲିୟମ୍ଙ୍କୁ ଭେଟିଥିଲେ।
କ୍ରିକେଟ୍ କିମ୍ବଦନ୍ତୀ ସଚିନଙ୍କ ସହ ଆଲୋଚନା ସମୟରେ କ୍ରିକେଟ୍ ହିଁ ମୁଖ୍ୟ ଆକର୍ଷଣ ଥିଲା। ସଚିନ ହାତର ଇସାରାରେ ଖେଳର ବିଭିନ୍ନ କୌଶଳ ବୁଝାଉଥିବା ବେଳେ ପ୍ରିନ୍ସ ୱିଲିୟମ୍ ଓ କେଟ୍ ମନ ଦେଇ ତାଙ୍କ କଥା ଶୁଣୁଥିଲେ। ଏହାପରେ ପ୍ରିନ୍ସ ୱିଲିୟମ୍ କ୍ରିକେଟ୍ ବ୍ୟାଟ୍ ଧରି ସ୍କୁଲ ପିଲାଙ୍କ ସହ ଗଲି କ୍ରିକେଟ୍ ଖେଳିଥିଲେ । ଖେଳ ଆରମ୍ଭ ପୂର୍ବରୁ ସଚିନ ତାଙ୍କୁ କିଛି ଟିପ୍ସ ଦେଇଥିଲେ। ଅନ୍ୟପଟେ ପ୍ରିନ୍ସେସ୍ କେଟ୍ ଉତ୍ସାହର ସହ ଖେଳକୁ ଉପଭୋଗ କରୁଥିଲେ। ତିନିଜଣ ପର୍ଯ୍ୟାୟକ୍ରମେ ବ୍ୟାଟିଂ କରିଥିଲେ। ଏହାଦ୍ୱାରା ମୁମ୍ବାଇର ଏହି ସ୍ଥାନରେ ଏକ ଖୁସିର ମାହୋଲ ସୃଷ୍ଟି ହୋଇଥିଲା।
ଏହି ଗସ୍ତ ସମୟରେ ପ୍ରିନ୍ସ ୱିଲିୟମ୍ ଧଳା ସାର୍ଟ ସହ ନେଭି ବ୍ଲୁ ରଙ୍ଗର ନେହେରୁ ଷ୍ଟାଇଲ୍ ସ୍ଲିଭ୍ଲେସ୍ ଜ୍ୟାକେଟ୍ ଓ ଗାଢ଼ ରଙ୍ଗର ପ୍ୟାଣ୍ଟ ପିନ୍ଧିଥିଲେ । ସେହିପରି କେଟ୍ ମିଡଲଟନ୍ ଧଳା ଟପ୍ ଉପରେ ଲାଇମ୍ ଗ୍ରୀନ୍ ରଙ୍ଗର ଡବଲ୍ ବ୍ରେଷ୍ଟେଡ୍ ବ୍ଲେଜର୍ ଓ ସମାନ ରଙ୍ଗର ପ୍ୟାଣ୍ଟ ପିନ୍ଧିଥିଲେ। ସଚିନ ତେନ୍ଦୁଲକର ନେଭି ବ୍ଲୁ ସାର୍ଟ ଓ ଗାଢ଼ ରଙ୍ଗର ଡେନିମ୍ ପିନ୍ଧିଥିଲେ ।