ପ୍ରିନ୍ସ ହ୍ୟାରି ତାଲିବାନ ମୁହାଁମୁହିଁ: ମରିଥିବା ଆତଙ୍କବାଦୀ ମଣିଷ, ଚେସ୍‌ ବୋର୍ଡର ମୋହରା ନୁହନ୍ତି…

ଲଣ୍ଡନ/କାବୁଲ,୮।୧ : ଜାନୁଆରୀ ୧୦ ରେ ରିଲିଜ ହେବା ପୂର୍ବରୁ ଏହାର କିଛି ଅଂଶ ଲିକ ହେବା ପରେ ବ୍ରିଟେନର ପ୍ରିନ୍ସ ହ୍ୟାରିଙ୍କ ଆତ୍ମଜୀବନୀ ‘ସ୍ପେୟାର’ ଏବେ ଚର୍ଚ୍ଚାରେ ରହିଛି। ଏଥିରେ ପ୍ରିନ୍ସ ଦାବି କରିଛନ୍ତି ଯେ ଆଫଗାନିସ୍ତାନରେ ତାଙ୍କର ସାମରିକ ନିୟୋଜନ ସମୟରେ ସେ ଅତି କମରେ ୨୫ ତାଲିବାନ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ଏହାକୁ ନେଇ ପ୍ରିନ୍ସ ହ୍ୟାରି ତାଲିବାନ ମୁହାଁମୁହିଁ ହୋଇଛନ୍ତି। ଏହି ଦାବିକୁ ତାଲିବାନ ଦ୍ୱାରା ଖୋଲାଖୋଲି ସମାଲୋଚନା କରାଯାଇଛି। ତାଲିବାନର ମଧ୍ୟବର୍ତ୍ତୀକାଳୀନ ପ୍ରଶାସନ ହ୍ୟାରିଙ୍କ କାର୍ଯ୍ୟକୁ ଯୁଦ୍ଧ ଅପରାଧ ବୋଲି କହିଛି ଏବଂ ତାଙ୍କ ବିବୃତ୍ତିକୁ ନିନ୍ଦା କରିଛି। ମରିଥିବା ଆତଙ୍କବାଦୀ ମଣିଷ, ଚେସ୍‌ ବୋର୍ଡର ମୋହରା ନୁହନ୍ତି ବୋଲି ତାଲିବାନ କହିଛି।

ଆଫଗାନିସ୍ତାନର ଖାମା ପ୍ରେସ ରିପୋର୍ଟ କରିଛି ଯେ ତାଲିବାନ ହ୍ୟାରିଙ୍କ ବିବୃତ୍ତିକୁ ଅସ୍ବୀକାର କରିବା ସହିତ ଭୁଲ ବୋଲି କହିଛି॥ ତାଲିବାନ ନେତା ଅନାସ ହକ୍କାନି ଟୁଇଟରରେ ଲେଖିଛନ୍ତି ଯେ ହ୍ୟାରିଙ୍କ ଦ୍ୱାରା ହତ୍ୟା କରାଯାଇଥିବା ବ୍ୟକ୍ତିମାନେ ଚେସ୍‌ ବୋର୍ଡର ମୋହରା ନୁହନ୍ତି, ବରଂ ମଣିଷ। ସେମାନଙ୍କର ପରିବାର ଥିଲେ, ଯେଉଁମାନେ ସେମାନଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଥିଲେ ।

ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରିନ୍ସ ହ୍ୟାରି ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ ଯେତେବେଳେ ସେ ଆଫଗାନିସ୍ତାନରେ ନିୟୋଜନ ସମୟରେ ୨୫ ଜଣଙ୍କୁ ମଣିଷ ବୋଲି ଭାବି ନ ଥିଲେ ଏବଂ ସେମାନଙ୍କୁ ହତ୍ୟା କରିଥିଲେ। ମୁଁ ସେମାନଙ୍କୁ ଚେସ୍‌ ବୋର୍ଡର ମୋହରା ଭାବରେ ଦେଖିଲି ସେମାନଙ୍କୁ ବୋର୍ଡରୁ ବାହାର କରାଯିବା ଆବଶ୍ୟକ ବୋଲି ଚିନ୍ତା କରିଥିଲି।

ତାଲିବାନ ନେତା ହକ୍କାନି ତାଙ୍କ ବିବୃତ୍ତିକୁ ନିନ୍ଦା କରି କହିଛନ୍ତି ଯେ ଆଫଗାନିସ୍ତାନର ଅନେକ ହତ୍ୟାକାରୀଙ୍କର ଏପରି ବିବେକ ଦେଖାଇବାକୁ ମଧ୍ୟ ଶାଳୀନତା ନାହିଁ।

Share