ଗରିବଙ୍କୁ ମନା ପ୍ରଧାନମନ୍ତ୍ରୀ ଆବାସ

କାଏମା,୧।୨(ଡି.ଏନ.ଏ.) : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଗରିବଙ୍କ ପାଇଁ ନାନା ଯୋଜନା ପ୍ରଣୟନ କରିଛନ୍ତି। କେହି ଯେପରି ମାଟିକାନ୍ଥ, ଚାଳ ଛପର ଘରେ ନ ରହିବେ ସେଥିପାଇଁ ଆବାସ ଯୋଜନା ପ୍ରଣୟନ ହୋଇଛି। କିନ୍ତୁ ଯାଜପୁର ଜିଲାରେ ହିତାଧିକାରୀ ତାଲିକା ପ୍ରସ୍ତୁତ କରୁଥିବା କେତେଜଣ ଅଧିକାରୀ ଏହି ଯୋଜନାକୁ ବାଟବଣା କରୁଥିବା ଅଭିଯୋଗ ହୋଇଛି। ଧନୀ ଲୋକମାନେ ଆବାସ ଯୋଜନା ପାଇଥିବା ବେଳେ ଯୋଗ୍ୟ ଗରୀବ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି ।
ଏପରି ଘଟଣା ଧର୍ମଶାଳା ବ୍ଲକ ମିର୍ଜାପୁର ପଞ୍ଚାୟତର ମୁଣ୍ଡମାଳ ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର ଦିବ୍ୟାଙ୍ଗ ରମେଶ ମଲିକ, ଟୁନି ମଲିକ ଓ ମୁକ ବଧିର କ୍ଷୀରୋଦ ବେହେରା ଆବାସ ପାଇବା ପାଇଁ ଯୋଗ୍ୟ ଥିବାବେଳେ ଏମାନଙ୍କ ନାମ ତାଲିକାରେ ଆସିନାହିଁ। ଦିବ୍ୟାଙ୍ଗ ରମେଶ ୭୦% ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଆଜି ଯାଏ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି । ଭଙ୍ଗା ମାଟି କୁଡିଆ ଘରେ ଛିଣ୍ଡା ଜରିପାଲ ତଳେ ସେ ଓ ତାଙ୍କ ପରିବାର ଦୁଃଖେ କଷ୍ଟେ ଖରାରେ ଜୀବନ ବିତାନ୍ତି। ଆବାସ ଘରଟିଏ ପାଇବା ପାଇଁ ବାରମ୍ବାର ସରପଞ୍ଚଙ୍କ କାର୍ଯ୍ୟାଳୟଠାରୁ ବ୍ଲକ ଅଫିସ ଦୌଡ଼ି ଦୌଡ଼ି ସେ ନୟାନ୍ତ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳନାହିଁ। ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ତଦନ୍ତ ରିପୋର୍ଟ ସେ ଘର ପାଇବା ପାଇଁ ଯୋଗ୍ୟ ଅଟନ୍ତି । କିନ୍ତୁ ତାଙ୍କ ନାମ ତାଲିକାରେ ନ ଥିବା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟ ଏକ ଘଟଣାରେ ଉକ୍ତ ଗ୍ରାମର ଟୁନୀ ମଲିକ ନିହାତି ଗରିବ । ଭଙ୍ଗା ଆଜବେଷ୍ଟ ଘରେ ସେ ବହୁ କଷ୍ଟରେ ଦିନ କାଟନ୍ତି। ତେବେ ତାଙ୍କ ନାମ ବି ତାଲିକା ଅନ୍ତର୍ଭୁକ୍ତ ନାହିଁ। ସରକାର ଭିନ୍ନକ୍ଷମମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବାକୁ ଅଧିକ ଗୁରୁତ୍ୱ ଦେଉଥିବାବେଳେ କ୍ଷୀରୋଦ ବେହେରାଙ୍କ କ୍ଷେତ୍ରରେ ତା’ର ଓଲଟା ହୋଇଛି। ସେ କଥା କହି ପାରନ୍ତି ନାହିଁ କି ଶୁଣି ବି ପାରନ୍ତି ନାହିଁ । ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟଠୁ ବ୍ଲକ ଅଫିସ ବର୍ଷ ବର୍ଷ ହେଲା ଦୌଡ଼ି ସେ ହତାଶ ହୋଇପଡିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଏହି କ୍ରମରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଯୋଜନା ଏବଂ ଭିନ୍ନକ୍ଷମ ଯୋଜନାରେ ସାମିଲ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।