ଟିକା ପ୍ରମାଣପତ୍ରରୁ ହଟିବନି ପ୍ରଧାନମନ୍ତ୍ରୀଙ୍କ ଫଟୋ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ଥିରୁଭାନନ୍ତପୁରମ୍‌,୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। କରୋନା ବିରୋଧୀ ଲଢ଼େଇରେ ଟିକାକରଣ ଅଭିଯାନରେ ନାଗରିକମାନଙ୍କୁ ଦିଆଯାଇଥିବା ଟିକାକରଣ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟାଇବା ନେଇ କରାଯାଇଥିବା ଏକ ଆବେଦନକୁ କେରଳ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ଆବେଦନକାରୀଙ୍କ ମୁଖ୍ୟ ଅଭିଯୋଗ ହେଉଛି ଟିକାକରଣ ପ୍ରମାଣପତ୍ର ହେଉଛି ତାଙ୍କର ବ୍ୟକ୍ତିଗତ। ଏହା ଉପରେ ତାଙ୍କର କିଛି ଅଧିକାର ରହିଛି। ବିଚାରପତି ଏନ. ନାଗରେଙ୍କେ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆବେଦନକୁ ଅନୁମତି ଦେବା ନେଇ ଏହାର ବ୍ୟାପକ ପ୍ରଭାବକୁ ବିଚାର କରି ମୌଖିକ ମନ୍ତବ୍ୟ ଦେଇଛନ୍ତି।

ଏହା ଅତ୍ୟନ୍ତ ବିପଜ୍ଜନକ ପ୍ରସ୍ତାବ ବୋଲି ଖଣ୍ଡପୀଠ କହିଛନ୍ତି। ପରବର୍ତ୍ତୀ ସମୟରେ କେହି ବିରୋଧ କହିବେ ଯେ, ସେମାନେ ମହାତ୍ମା ଗାନ୍ଧୀଙ୍କୁ ପସନ୍ଦ କରନ୍ତି ନାହିଁ। ତେଣୁ ଭାରତୀୟ ଟଙ୍କାରୁ ମହାତ୍ମାଙ୍କ ଛବି ହଟାଇବାକୁ ଦାବି କରିପାରନ୍ତି। ସେ ପରିଶ୍ରମ କରି ଟଙ୍କା ଉପାର୍ଜନ କରୁଛନ୍ତି। ତେଣୁ ଏହା ତାଙ୍କର ବ୍ୟକ୍ତିଗତ ଟଙ୍କା। ଏଥିରୁ ମହାତ୍ମାଙ୍କ ଛବି ଉଠାଇନେବା ଆବଶ୍ୟକ। ବୋଲି ହୁଏତ ଦାବି କରାଯାଇ ପାରେ ବୋଲି କୋର୍ଟ କହିଛନ୍ତି। ଏପରି ଦାବି ସ୍ଥଳେ କ’ଣ ହେବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ଏହାର ଉତ୍ତରରେ ଆବେଦନକାରୀଙ୍କ ଆଇନଜୀବୀ ଅଜିତ ଆନନ୍ଦ ଉତ୍ତର ଦେଇଥିଲେ ଯେ, ମହାତ୍ମା ଗାନ୍ଧୀଙ୍କ ଚିତ୍ର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ନିୟମ ଅନୁଯାୟୀ ମୁଦ୍ରାରେ ମୁଦ୍ରିତ ହୋଇଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଚିତ୍ର କୌଣସି ବୈଧାନିକ ପ୍ରାବଧାନ ଆଧାରରେ ଛପା ଯାଇନାହିଁ।

ଏହି ପ୍ରସଙ୍ଗରେ ବିବୃତ୍ତି ଦାଖଲ କରିବାକୁ ଏଏସ୍‌ଜି ଅଧିକ ସମୟ ମାଗିଛନ୍ତି। ସେହି ଅନୁଯାୟୀ, ନଭେମ୍ବର ୨୩ ପର୍ଯ୍ୟନ୍ତ କୋର୍ଟ ଏହି ମାମଲା ବଢ଼ାଇଛନ୍ତି।

ଆବେଦନକାରୀ ହେଉଛନ୍ତି ଭାରତର ଜଣେ ବରିଷ୍ଠ ନାଗରିକ ଏବଂ ଆରଟିଆଇ କାର୍ଯ୍ୟକର୍ତ୍ତା। ସେ ଏକ ଘରୋଇ ଡାକ୍ତରଖାନାରୁ ଟିକାକରଣର କରିଥିଲେ। ତେବେ ପ୍ରମାଣପତ୍ରରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଚିତ୍ର ଥିଲା। ଏଥିରେ ସେ ଅସନ୍ତୋଷ ପ୍ରକାଶ କରି ମୌଳିକ ଅଧିକାରର ଉଲ୍ଲଂଘନ ହୋଇଥିବା ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share