ମିରଟ,୬ା୪: ହଙ୍ଗେରୀୟମାନେ ଆସନ୍ତା ୧୨ରେ ଦେଶର ପ୍ରଧାନମନ୍ତ୍ରୀ ନିର୍ବାଚନ କରିବାକୁ ଯାଉଛନ୍ତି। ଏହା ଚଳିତବର୍ଷ ୟୁରୋପର ସବୁଠୁ ପରିଣାମସୂଚକ ନିର୍ବାଚନ ବୋଲି କୁହାଯାଉଛି। ୧୬ ବର୍ଷ ଧରି କ୍ଷମତାରେ ରହିଥିବା ଦେଶର କଠୋରପନ୍ଥୀ ପ୍ରଧାନମନ୍ତ୍ରୀ ତଥା ବିଶ୍ୱସ୍ତରୀୟ ଦକ୍ଷିଣପନ୍ଥୀ ଆଇକନ୍ ଭିକ୍ଟର ଓର୍ବାନ ଜଣେ ପୂର୍ବତନ ଅନୁଗତ ପିଟର ମାଗ୍ୟାର୍ଙ୍କଠାରୁ ସମ୍ଭାବ୍ୟ ପରାଜୟର ସମ୍ମୁଖୀନ ହେବାକୁ ଯାଉଥିବା କୁହାଯାଉଛି। ୟୁରୋପୀୟ ସଂଘର ଦୀର୍ଘଦିନ ଧରି ଶାସନରେ ଥିବା ଓର୍ବାନ୍ ୨୦୧୦ରୁ ହଙ୍ଗେରୀକୁ ଏକ କଠୋରପନ୍ଥୀ ଗଣତନ୍ତ୍ରରେ ପରିଣତ କରିଛନ୍ତି। ପାଶ୍ଚାତ୍ୟର ଉଦାରବାଦ ଏବଂ ବହୁସଂସ୍କୃତିବାଦର ଆକ୍ରମଣ ବିରୋଧରେ ସେ ନିଜକୁ ୟୁରୋପର ପାରମ୍ପରିକ ଖ୍ରୀଷ୍ଟିଆନ୍ ପରିବାରର ମୂଲ୍ୟବୋଧର ରକ୍ଷକ ବୋଲି ଘୋଷଣା କରିଛନ୍ତି। ତାଙ୍କର କ୍ରମାଗତ ୪ ଥରର ସରକାର ହଙ୍ଗେରୀରେ ଆଇନର ଶାସନକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି। କୋର୍ଟଗୁଡ଼ିକରେ କେବଳ ତାଙ୍କ ଅନୁଗତ ବିଚାରପତି ରହିଛନ୍ତି। ଦେଶର ଗଣମାଧ୍ୟମର ୮୦ ପ୍ରତିଶତ ତାଙ୍କ ପାଇଁ ତଥା ତାଙ୍କ ଫିଡେଜ୍ ପାର୍ଟି ପାଇଁ ପ୍ରଚାର ମେଶିନ୍ରେ ପରିଣତ ହୋଇଛନ୍ତି। ଆଗାମୀ ନିର୍ବାଚନ କେବଳ ହଙ୍ଗେରୀ ନୁହେଁ, ସମଗ୍ର ୟୁରୋପୀୟ ୟୁନିୟନ ପାଇଁ ବଡ଼ ପରିଣାମ ଆଣିବ। ହଙ୍ଗେରୀ ଜିଡିପି ୟୁରୋପୀୟ ୟୁନିୟନ ଜିଡିପିର ମାତ୍ର ୧.୧ ପ୍ରତିଶତ ବଂ ଜନସଂଖ୍ୟା ୨ ପ୍ରତିଶତ ହୋଇଥିବାବେଳେ ଓର୍ବାନଙ୍କ ଶାସନ କାଳରେ ଏହା ଅନ୍ତର୍ଜାତୀୟ ମଞ୍ଚରେ ନିଜ ଭୂମିକା ନିଭାଇଛି। ଚଳିତ ବର୍ଷ ଓର୍ବାନ ପାରମ୍ପରିକ ଲୋକାଭିମୁଖୀ ପ୍ରଚାର ଚଳାଇଛନ୍ତି। ଯୁଦ୍ଧ କିମ୍ବା ଶାନ୍ତି ମଧ୍ୟରୁ ଭୋଟରମାନେ ଗୋଟିକୁ ବାଛିବାକୁ ସେ ଆହ୍ବାନ ଦେଇଛନ୍ତି। ତାଙ୍କୁ ନିର୍ବାଚିତ କରି ହଙ୍ଗେରୀ ଜନସାଧାରଣ ଦେଶର ସୁରକ୍ଷା ଏବଂ ଶାନ୍ତିର ଏକ ଦ୍ୱୀପ ଭାବେ ସଂରକ୍ଷଣ କରନ୍ତୁ। ମାଗ୍ୟାରଙ୍କୁ ନିର୍ବାଚିତ କରିବା ଦେଶକୁ ଅରାଜକତା ଓ ଯୁଦ୍ଧ ଆଡ଼କୁ ଟାଣିନେବ ବୋଲି ସେ କହିଛନ୍ତି। ସେ ମାଗ୍ୟାରଙ୍କୁ ବ୍ରସେଲ୍ସ ଏବଂ କିଭ୍ର ଏଜେଣ୍ଟ ଭାବେ ଚିତ୍ରଣ କରିଛନ୍ତି।

