Categories: ଜାତୀୟ

ପ୍ରତିଶୋଧ ନେଲେ ପ୍ରଧାନମନ୍ତ୍ରୀ

ଜଳନ୍ଧର,୧୫।୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୨୦୧୪ ସାଧାରଣ ନିର୍ବାଚନ ବେଳର ଏକ ଘଟଣାକୁ ନେଇ ଟାର୍ଗେଟ କରିଛନ୍ତି। କଂଗ୍ରେସ ଶାସିତ ପଞ୍ଜାବସ୍ଥିତ ଜଳନ୍ଧରରେ ଭାଜପାର ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ମୋଦି କହିଛନ୍ତି, ୨୦୧୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା କରାଯାଇଥିଲା। ସେ ପଞ୍ଜାବର ପଠାନକୋଟ ଓ ହିମାଚଳ ପ୍ରଦେଶକୁ ପ୍ରଚାର ପାଇଁ ଯାଇଥିଲେ। କିନ୍ତୁ ସେ ଅମୃତସରରେ ପହଞ୍ଚତ୍ଥିବାବେଳେ ରାହୁଲ ମଧ୍ୟ ସେଠାରେ ଥିଲେ। ତେଣୁ ତାଙ୍କ ହେଲିକପ୍ଟରକୁ ଉଡ଼ାଣ ଅନୁମତି ମିଳି ନ ଥିଲା। ଏହାକୁ ନେଇ ମୋଦି କହିଛନ୍ତି, ଯୁବରାଜ ଅମୃତସର ଉପରେ ଉଡ଼ାଣ କରୁଥିବାରୁ ମୋ ହେଲିକପ୍ଟରକୁ ଅଟକାଇଦେଇଥିଲେ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନିଙ୍କ ହେଲିକପ୍ଟରକୁ ସୋମବାର ଚଣ୍ଡିଗଡ଼ର ରାଜେନ୍ଦ୍ର ପାର୍କରୁ ଉଡ଼ାଣ ପାଇଁ ଅନୁମତି ଦିଆ ନ ଯିବା ପରିପ୍ରେକ୍ଷୀରେ ମୋଦିଙ୍କ ଏହି ମନ୍ତବ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ଚଣ୍ଡିଗଡ଼କୁ ‘ନୋ ଫ୍ଲାଇଂ ଜୋନ୍‌’ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଚନ୍ନି ହୋସିଆରପୁରକୁ ରାହୁଲଙ୍କ ସଭାରେ ଯୋଗଦେବା ପାଇଁ ବାହାରିଥିବାବେଳେ ହଟହଟା ହୋଇଥିଲେ। ଗତ ଜାନୁୟାରୀ ୫ରେ ପ୍ରଧାନମନ୍ତ୍ରୀ ଫିରୋଜପୁର ଯାଇଥିବାବେଳେ କୃଷକମାନେ ବିରୋଧ କରିଥିଲେ। ଫଳରେ ସେ ଏକ ଫ୍ଲାଏଓଭର ଉପରେ ୨୦ ମିନିଟ ଫସିରହିବା ପରେ ଦିଲ୍ଲୀ ଫେରିଯାଇଥିଲେ। ଚନ୍ନିଙ୍କୁ ଉଡ଼ାଣ ଅନୁମତି ନ ମିଳିବା ପଛରେ ଏହାକୁ ମଧ୍ୟ ଏକ କାରଣ ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରତିଶୋଧ ରୂପେ ଦେଖାଯାଉଛି।
ପଞ୍ଜାବର ୧୧୭ ଆସନରେ ଫେବୃୟାରୀ ୨୦ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ନେତୃତ୍ୱାଧୀନ ପଞ୍ଜାବ ଲୋକ କଂଗ୍ରେସ ଏବଂ ସୁଖଦେବ ସିଂ ଧିଣ୍ଡସାଙ୍କ ଶିରୋମଣୀ ଅକାଳୀ ଦଳ (ସଂଯୁକ୍ତ) ସହ ଭାଜପା ମେଣ୍ଟ କରିଛି। ଜଳନ୍ଧର ସଭାରେ ଅମରିନ୍ଦର ଓ ସୁଖଦେବଙ୍କ ଉପସ୍ଥିତିରେ ମୋଦି କହିଥିଲେ, ରାଜ୍ୟରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଗଠନ କରିବାକୁ ଯାଉଛି। ନୂଆ ସରକାର ପଞ୍ଜାବରେ ବିକାଶର ନୂଆ ଅଧ୍ୟାୟ ସୃଷ୍ଟି କରିବ। କଂଗ୍ରେସ ଅମରିନ୍ଦରଙ୍କୁ ଅପମାନିତ କରିଛି। ଏହି ଦଳ ଏବେ ତା’ର ଭୁଲ୍‌ କାର୍ଯ୍ୟ ପାଇଁ ଫଳ ଭୋଗୁଛି ବୋଲି ମୋଦି ସମାଲୋଚନା କରିଥିଲେ।

Share