ଆଇଏମ୍‌ଏଫ୍‌କୁ କଟାକ୍ଷ

କଲମ୍ବୋ,୧୩ା୭: ଶ୍ରୀଲଙ୍କାର ରାଜନୈତିକ ସଙ୍କଟ କଲମ୍ବୋକୁ ଆର୍ଥିକ ଦୁର୍ଗତିରୁ ସହଜରେ ମୁକୁଳିବାକୁ ଦେଇ ନ ପାରେ। ଦେଶର ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ପ୍ରଧାନମନ୍ତ୍ରୀ ରାନିଲ ଓ୍ବିକ୍ରମସିଂଘେ ବେଲ୍‌ଆଉଟ୍‌ ପ୍ୟାକେଜ୍‌ ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ସହ ଆଲୋଚନା ଜାରି ରଖିଛନ୍ତି। ତେବେ ଏକ ବିଶ୍ୱସନୀୟ ସରକାର ଗଠନ ନ ହେବା ପର୍ଯ୍ୟନ୍ତ ଆଇଏମ୍‌ଏଫ୍‌ କିମ୍ବା ଭାରତ, ଚାଇନା ଓ ଜାପାନ ଭଳି ଦେଶ ଶ୍ରୀଲଙ୍କାକୁ ଅଧିକ ସାହାଯ୍ୟ କରିପାରିବେ ନାହିଁ। ଓ୍ବିକ୍ରମସିଂଘେ ଦାତା ରାଷ୍ଟ୍ରଗୁଡ଼ିକଠାରୁ ସହାୟତା ପାଇଁ ଆସନ୍ତା ଅଗଷ୍ଟରେ ଏକ ସମ୍ମିଳନୀ ଆୟୋଜନ କରିଛନ୍ତି। ଏଭଳି ସମୟରେ ଧୈର୍ଯ୍ୟଚ୍ୟୁତ ବିକ୍ଷୋଭକାରୀଙ୍କ ବିଭ୍ରାଟ ସାମ୍ନାକୁ ଆସିଛି। ଆଇଏମ୍‌ଏଫ୍‌ ଶ୍ରୀଲଙ୍କା ସ୍ଥିତି ଉପରେ ନଜର ରଖି ସହାୟତା ପାଇଁ ବିଚାର କରୁଥିବାବେଳେ ରାଷ୍ଟ୍ରପତି ଭବନ ସମ୍ମିଳନୀ କକ୍ଷରେ ଜଣେ ଗୌରବର୍ଣ୍ଣ ଯୁବକ ମିଛରେ ଆଇଏମ୍‌ଏଫ୍‌ ଅଧିକାରୀ ସାଜି ପ୍ୟାକେଜ ଘୋଷଣାର ବ୍ୟଙ୍ଗ କରୁଥିବା ଦୃଶ୍ୟର ଭିଡିଓ ଇଣ୍ଟରନେଟ୍‌ରେ ବହୁଳ ଭାବେ ଘୂରିବୁଲୁଛି।

Share