Categories: ଜାତୀୟ

ଗୁଜରାଟ ଏମ୍ସର ଶିଳାନ୍ୟାସ କଲେ ମୋଦି

ନୂଆଦିଲ୍ଲୀ,୩୧ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜକୋଟରେ ହେବାକୁ ଥିବା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)ର ଶିଳାନ୍ୟାସ କରିଛନ୍ତି । ଭିଡିଓ କନଫରେନସିଂ ଜରିଆରେ ମୋଦି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ମୋଦି କହିଛନ୍ତି ଖୁବ୍‌ଶୀଘ୍ର ଦେଶରେ କରୋନା ଭ୍ୟାକ୍ସିନକୁ ମଞ୍ଜରୀ ମିଳିବା ସହ ବହୁ ପରିମାଣରେ ଟିକାକରଣ ଅଭିଯାନ ମଧ୍ୟ ଆରମ୍ଭ କରାଯିବ । ସେ କହିଛନ୍ତି ଦେଶର ଇନଫ୍ରାଷ୍ଟ୍ରକ୍‌ଚର ମଜଭୁତ କରିବାକୁ ଆଉ ଗୋଟିଏ ପାଦ ଆଗକୁ ନିଆଯାଇଛି । କରୋନା ଭ୍ୟାକ୍ସିନକୁ ନେଇ ମୋଦି କହିଛନ୍ତି ନୂଆବର୍ଷ ୨୦୨୧ ଆରୋଗ୍ୟର ଆଶା ନେଇ ଆସୁଛି । ଦେଶରେ ଭ୍ୟାକ୍ସିନକୁ ନେଇ ସବୁ ପ୍ରକାର ଜରୁରୀ ପ୍ରସ୍ତୁତି ଚାଲିଛି । ଚଳିତବର୍ଷ କରୋନାରେ ମୃତ୍ୟୁ ହୋଇଥିବା କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ପ୍ର୍ରଧାନମନ୍ତ୍ରୀ । ସୂଚନାଯୋଗ୍ୟ, ରାଜକୋଟରେ ୨୦୧ ଏକର ପରିମିତ ସ୍ଥାନରେ ଏମ୍ସ ନିର୍ମାଣ ହେବାକୁ ଯାଉଛି । ଏହାର ଖର୍ଚ୍ଚ ପାଖାପାଖି ୧୧୯୫ କୋଟି ରଖାଯାଇଛି । ୨୦୨୨ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସରିବ ବୋଲି ଯୋଜନା ରହିଛି । ୭୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ୩୦ ଆୟୁଷ ବେଡ୍ ରହିବ । ଏହାସହ ୧୨୨ ଏମ୍‌ବିବଏସ୍ ସିଟ୍ ଓ ୬୦ ନର୍ସିଂ ସିଟ୍ ମଧ୍ୟ ରଖାଯିବ । ଏହାକୁ ସିଧାସଲଖ ରାଜକୋଟ ଏୟାରପୋର୍ଟ ସହ ସଂଯୁକ୍ତ କରାଯିବ । ଏଠାକୁ ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କ ସହ ଥିବା ପରିବାର ସଦସ୍ୟଙ୍କ ପାଇଁ ଅଲଗା ଧର୍ମଶାଳା ବି ନିର୍ମାଣ କରାଯାଉଛି । ସେହିପରି ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଅଲଗା କ୍ୱାଟର୍ସ ନିର୍ମାଣ କରାଯାଉଛି ।

Share