Categories: ଜାତୀୟ

ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କଲେ ‘ଆତ୍ମନିର୍ଭର ଅଭିଯାନ’: ଉତ୍ତର ପ୍ରଦେଶରେ ୧.୨୫କୋଟି ଶ୍ରମିକଙ୍କୁ ମିଳିବ ରୋଜଗାର

ଲକ୍ଷ୍ନୌ,୨୬।୬: କରୋନା ସଙ୍କଟ ଓ ଲକ୍‌ଡାଉନ୍‌ ଯୋଗୁ କୋଟି କୋଟି ଶ୍ରମିକ ନିଜ ଘରକୁ ଫେରିଆସିଛନ୍ତି। ରାଜ୍ୟକୁ ଫେରିବା ପରେ ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଉରତ୍ତରପ୍ରଦେଶ ସରକାର ଓ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି। ଶୁକ୍ରବାର ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ‘ଆତ୍ମନିର୍ଭର ଉତ୍ତର ପ୍ରଦେଶ ରୋଜଗାର ଅଭିଯାନ’ ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିଥିଲେ। ଯୋଜନା ଶୁଭାରମ୍ଭ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଉତ୍ତରପ୍ରଦେଶର ୬ଟି ଜିଲାର ଗ୍ରାମବାସୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ଏଥିସହ ଜନସାଧାରଣଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ସଙ୍କଟ ମଧ୍ୟରେ ଯିଏ ସାହସ ଦେଖାଇବ, ସେ ହିଁ ସଫଳତାର ଶୀର୍ଷରେ ପହଞ୍ଚିବ। ବର୍ତ୍ତମାନ ବିଶ୍ୱରେ କରୋନା ସଙ୍କଟ ଦେଖାଦେଇଛି। ଏହାରି ଭିତରେ ଉତ୍ତରପ୍ରଦେଶ ସରକାର ଗରିବ କଲ୍ୟାଣ ରୋଜଗାର ଯୋଜନା ଆରମ୍ଭ କରିଛନ୍ତି। ଏହା ଅଧିନରେ ଆତ୍ମନିର୍ଭର ଉତ୍ତର ପ୍ରଦେଶ ରୋଜଗାର ଅଭିଯାନ ଚାଲିଛି। ଏଭଳି ପଦକ୍ଷେପ ଗ୍ରହଣ କରି ଯୋଗୀ ବିପର୍ଯ୍ୟୟକୁ ସୁଯୋଗରେ ପରିଣତ କରିଛନ୍ତି ବୋଲି ମୋଦି କହିଛନ୍ତି। ତେବେ ଏହି ଅଭିଯାନ ଦ୍ୱାରା କର୍ମସଂସ୍ଥାନ ଯୋଗାଣ, ଆଞ୍ଚଳିକ ଉଦ୍ୟୋଗର ବିକାଶ, ଶିଳ୍ପସଂଘ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ସହ ଅଂଶୀଦାର ସୃଷ୍ଟି କରି ରୋଜଗାର ସୁଯୋଗ ଯୋଗାଇଦିଆଯିବାର ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନା ମାଧ୍ୟମରେ ରାଜ୍ୟର ୧.୨୫କୋଟି ଶ୍ରମିକ ରୋଜଗାରକ୍ଷମ ହୋଇପାରିବେ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।

Share