Categories: ଜାତୀୟ

ଲତା ଦିଦିଙ୍କୁ ମନେପକାଇ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ ମୋଦି

ମୁମ୍ବାଇ,୨୪।୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମୁମ୍ବାଇରେ ମାଷ୍ଟର ଦିନାନାଥ ମଙ୍ଗେଶକର ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଥମ ଲତା ଦିନାନାଥ ମଙ୍ଗେଶକର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ଲତା ମଙ୍ଗେଶକରଙ୍କୁ ମନେ ପକାଇ ଭାବପ୍ରବଣ ହୋଇଥିଲେ। ସମ୍ମାନ ପାଇବା ପରେ ମୋଦି କହିଛନ୍ତି, ସଙ୍ଗୀତ ଏକ ସାଧନା ଏବଂ ଭାବନା ମଧ୍ୟ। ମୁଁ ଏହି ପୁରସ୍କାରକୁ ଦେଶକୁ ଉତ୍ସର୍ଗ କରୁଛି। ଯେଉଁଭଳି ଭାବରେ ଲତା ଦିଦି ଲୋକଙ୍କର ଥିଲେ, ସେହିଭଳି ଏହି ପୁରସ୍କାରଟି ଲୋକଙ୍କର ଅଟେ। ମୁଁ ଲତା ଦିଦିଙ୍କ ସହ ବାରମ୍ବାର କଥା ହେଉଥିଲି। ମୁଁ ତାଙ୍କ ବିଷୟରେ ଗୋଟିଏ କଥା ଭୁଲି ପାରିବି ନାହିଁ। ସେ ସବୁବେଳେ କହୁଥଲେ ଯେ ମଣିଷ ବୟସରେ ନୁହେଁ, କାମରେ ବଡ଼ ହୋଇଥାଏ। ଯିଏ ଦେଶ ପାଇଁ ଯେତେ ଅଧିକ କରନ୍ତି, ସେ ସେତେ ବଡ ହୋଇଥାଏ। ଲତା ଦିଦି ବୟସରେ ବଡ଼ ଏବଂ କର୍ମରେ ବଡ଼ ଥିଲେ। ଲତା ଦିଦି ହେଉଛି ସରଳତାର ଉଦାହରଣ। ସଂଗୀତରେ ଲତା ଦିଦି ସେହି ପଦବୀ ହାସଲ କରିଥିଲେ ଯାହାକୁ ଲୋକମାନେ ତାଙ୍କୁ ମା ସରସୱତୀଙ୍କ ପ୍ରତୀକ ଭାବରେ ବିବେଚନା କରନ୍ତି। ସେ ପ୍ରାୟ ୮୦ ବର୍ଷ ଧରି ସଂଗୀତ ଜଗତରେ ନିଜର ଚିହ୍ନ ଛାଡିଥିଲେ। ଆମେ ସମସ୍ତେ ଭାଗ୍ୟବାନ ଯେ ଆମେ ଲତା ଦିଦିଙ୍କୁ ଦେଖିଛୁ। ଏଥର ରାଖୀରେ ଲତା ଦିଦି ନ ଥିବେ ବୋଲି ପ୍ରଧାନମନ୍ତ୍ରୀ ଭାବପ୍ରବଶ ହୋଇପଡିଥିଲେ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ରବିବାର ଏହି ସମ୍ମାନ ପାଇବାକୁ ମୁମ୍ବାଇ ଯିବେ ବୋଲି ଟୁଇଟ କରି ସୂଚନା ଦେଇଥିଲେ। ସେ କହିଥିଲେ, ଲତା ଦିଦିଙ୍କ ନାମରେ ଏହି ସମ୍ମାନ ପାଇଥିବାରୁ ସେ ବହୁତ କୃତଜ୍ଞ। ଲତା ଦିଦି ସର୍ବଦା ଏକ ଶକ୍ତିଶାଳୀ ସମୃଦ୍ଧ ଭାରତର ସ୍ବପ୍ନ ଦେଖୁଥିଲେ ଏବଂ ଦେଶ ଗଠନରେ ସହଯୋଗ କରିଥିଲେ।
ଦିନା ନାଥ ମଙ୍ଗେଶକରଙ୍କ ବାର୍ଷିକୀ ଅବସରରେ ପ୍ରତିବର୍ଷ ଲତା ଦିନା ନାଥ ମଙ୍ଗେଶକର ପୁରସ୍କାର ଆୟୋଜିତ ହେବ। ଦେଶ ନିର୍ମାଣରେ ଏକ ଆଦର୍ଶ ଅବଦାନ ରଖିଥିବା ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

Share