ନୂଆଦିଲ୍ଲୀ,୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ନାନା ପାଟେକରଙ୍କ ଭଳି ଗଭୀର ଭାବନା, ଅନନ୍ୟତା ଏବଂ ପ୍ରଭାବଶାଳୀ ଉପସ୍ଥିତି ବହୁତ କମ ଅଭିନେତାଙ୍କ ପାଖରେ ଦେଖିବାକୁ ମିଳେ। ନାନା ପାଟେକର ପ୍ରତ୍ୟେକ ଭୂମିକାକୁ ଚମତ୍କାର ଭାବେ ଏବଂ ଏକ ସ୍ବତନ୍ତ୍ର ଶୈଳୀରେ ରୂପାୟିତ କରିଥିଲେ; ସେ ଏପରି ଚରିତ୍ର ସୃଷ୍ଟି କରିଥିଲେ ଯାହାକୁ ଭବିଷ୍ୟତ ପିଢ଼ି ମନେ ରଖିବ।
ପ୍ରଧାନମନ୍ତ୍ରୀ କହିଛନ୍ତି, ‘ସେ ନିଜର ସ୍ପଷ୍ଟବାଦୀ ମତାମତ ପାଇଁ ମଧ୍ୟ ପ୍ରଶଂସିତ ହେଉଥିଲେ; ନିଜ ମନର କଥା କହିବାକୁ ସେ କେବେବି କୁଣ୍ଠାବୋଧ କରୁନଥିଲେ। ହିନ୍ଦୀ ଓ ମରାଠୀ ସିନେମା ଜଗତରେ ନାନା ପାଟେକରଙ୍କ ଅବଦାନ ଅତୁଳନୀୟ। ତାଙ୍କ ବିୟୋଗ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ତାଙ୍କ ପରିବାର, ବନ୍ଧୁବର୍ଗ ଏବଂ ଅସଂଖ୍ୟ ପ୍ରଶଂସକଙ୍କୁ ମୋର ସମବେଦନା। ଓମ ଶାନ୍ତି।’ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ‘ଭାରତୀୟ ସିନେମା ଜଗତର ମହାନ ଅଭିନେତା ନାନା ପାଟେକର ଜୀଙ୍କ ବିୟୋଗ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ପାଞ୍ଚ ଦଶନ୍ଧି ଧରି ସେ ନିଜର ଦମଦାର ଅଭିନୟ ଏବଂ ଶକ୍ତିଶାଳୀ ସଂଳାପ କହିବା ଶୈଳୀ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ଛାପ ଛାଡ଼ିଯାଇଛନ୍ତି। ଗମ୍ଭୀର ସାମାଜିକ ପ୍ରସଙ୍ଗ ହେଉ କିମ୍ବା ବ୍ୟଙ୍ଗ ଓ ହାସ୍ୟରସ – ସେ ଅଭିନୟ କରୁଥିବା ପ୍ରତ୍ୟେକ ଚରିତ୍ରକୁ ଜୀବନ୍ତ କରି ତୋଳୁଥିଲେ।’
ପାଟେକରଙ୍କ ସହ ଏକ ପୁରୁଣା ଫଟୋ ସେୟାର କରି ଶାହ କହିଛନ୍ତି, ‘ନାମ ଫାଉଣ୍ଡେସନ’ ମାଧ୍ୟମରେ ମରୁଡ଼ି-ପ୍ରପୀଡ଼ିତ କୃଷକ ପରିବାରଙ୍କ ସେବା କରିବା ହେଉ କିମ୍ବା ସୈନିକମାନଙ୍କ ମନୋବଳ ବୃଦ୍ଧି ପାଇଁ ସୀମାନ୍ତ ଅଞ୍ଚଳ ଗସ୍ତ କରିବା – ଖ୍ୟାତିର ଶୀର୍ଷରେ ପହଞ୍ଚିବା ପରେ ମଧ୍ୟ ସେ ନିଜ ମାଟି ସହ ଯୋଡ଼ି ହୋଇ ରହିଥିଲେ। ଯେତେବେଳେ ବି ମୁଁ ତାଙ୍କୁ ଭେଟିଛି, ତାଙ୍କର ସରଳତା ଏବଂ ସ୍ପଷ୍ଟବାଦିତା ସର୍ବଦା ମୋ ଉପରେ ଗଭୀର ପ୍ରଭାବ ପକାଇଛି। ଭଗବାନ ଶୋକସନ୍ତପ୍ତ ପରିବାର ଓ ପ୍ରଶଂସକମାନଙ୍କୁ ଏହି ଦୁଃଖ ସହ୍ୟ କରିବାର ଶକ୍ତି ପ୍ରଦାନ କରନ୍ତୁ ଏବଂ ଦିବଂଗତ ଆତ୍ମାଙ୍କୁ ନିଜର ପବିତ୍ର ଚରଣରେ ସ୍ଥାନ ଦିଅନ୍ତୁ। ଓମ ଶାନ୍ତି, ଶାନ୍ତି, ଶାନ୍ତି।’