ନୂଆଦିଲ୍ଲୀ,୨।୧୦: ଶାସକ ଓ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ଟଣାଓଟରା ଚାଲିଥିବା ବେଳେ ଶୁକ୍ରବାର ସଂସଦ ଭବନରୁ ଏକ ଆକର୍ଷଣୀୟ ଭିଡିଓ ସାମ୍ନାକୁ ଆସିଛି। ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଏକାଠି ଦେଖିବାକୁ ମିଳିଥିଲା।
ପ୍ରଧାନମନ୍ତ୍ରୀ ମୋଦି, ଖାର୍ଗେ, ସୋନିଆ ଏବଂ ରାହୁଲ ପରସ୍ପରକୁ ହାତ ଯୋଡ଼ି ଅଭିବାଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ଖାର୍ଗେ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲୋଚନା କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବାଚସ୍ପତି ଓମ ବିର୍ଲା, ଭାଜପା ନେତା ନିତିନ ନବୀନ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତ ନେତା ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ତାଙ୍କର ଅମର ବାର୍ତ୍ତା ଏକ ଉତ୍ତମ ସମାଜ ଏବଂ ବିକଶିତ ଭାରତ ଗଠନ ଦିଗରେ ମାର୍ଗଦର୍ଶନ ପ୍ରଦାନ କରିଚାଲିବ। ପ୍ରଧାନମନ୍ତ୍ରୀ ମତ ଦେଇଥିଲେ ଯେ ବାପୁଙ୍କ ସମଗ୍ର ଜୀବନ ସତ୍ୟ, ଅହିଂସା, କରୁଣା ଏବଂ ସେବାର ପ୍ରତୀକ ଥିଲାଯାହା ସମସ୍ତ ଯୁଗରେ ମାନବଜାତିକୁ ପଥ ପ୍ରଦର୍ଶନ କରିବ।
ଏହି ସାକ୍ଷାତ ଏପରି ଏକ ସମୟରେ ହୋଇଛି ଯେତେବେଳେ ନିର୍ବାଚନ ଆୟୋଗ ଏବଂ ଏଫଆଇଆର୍ (FIR) ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର ମତଭେଦ ଦେଖିବାକୁ ମିଳୁଛି। ରାହୁଲ ଗାନ୍ଧୀ ଭାଜପା ଉପରେ ଷଡ଼ଯନ୍ତ୍ରର ଅଭିଯୋଗ ଆଣୁଥିବା ବେଳେ, ଭାଜପା ପ୍ରଶ୍ନ କରୁଛି ଯେ ଯଦି ଏଫଆଇଆର୍ ସହ ଜଡ଼ିତ କୌଣସି ଅନିୟମିତତା ଥାଏ, ତେବେ କଂଗ୍ରେସ କେରଳରେ କିପରି ବିଜୟୀ ହେଲା।