Categories: ଜାତୀୟ

ଆରୋଗ୍ୟ ବନ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୩୧ା୧୦(ପିଆଇବି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଗସ୍ତରେ ଯାଇ ଶୁକ୍ରବାର କଓ୍ବେଡିଆଠାରେ ବିଭିନ୍ନ ସମନ୍ବିତ ବିକାଶ ପରିଯୋଜନାର ଉଦ୍‌ଘାଟନ କରିଛନ୍ତି। ଆରୋଗ୍ୟ ବନ, ଆରୋଗ୍ୟ କୁଟୀରର ସେ ଶୁଭ ଉଦ୍‌ଘାଟନ କରିବା ସହ ଏକତା ମଲ୍‌ ଓ ଶିଶୁ ପୋଷଣ ଉଦ୍ୟାନକୁ ମଧ୍ୟ ସେ ଲୋକାର୍ପିତ କରିଛନ୍ତି। ପ୍ରାୟ ୧୭ ଏକର ଜାଗା ପରିମିତ ଆରୋଗ୍ୟ ବନରେ ୩୮୦ ପ୍ରକାର ଭିନ୍ନ ଭିନ୍ନ ୫ ଲକ୍ଷ ବୃକ୍ଷ ରହିଛି। ଆରୋଗ୍ୟ କୁଟୀରରେ ବିଭିନ୍ନ ପ୍ରକାର ପୁରୁଣାକାଳର ଚିକିତ୍ସା ବ୍ୟବସ୍ଥା ରହିଛି। ଏହାକୁ ଶାନ୍ତିଗିରି ଓ୍ବେଲ୍‌ନେସ୍‌ ସେଣ୍ଟର ଭାବେ ନାମିତ କରାଯାଇଛି। ଆୟୁର୍ବେଦ, ସିଦ୍ଧ ଓ ପଞ୍ଚକର୍ମ ସହ ଏହା ସ୍ବାସ୍ଥ୍ୟସେବା ଯୋଗାଇବାରେ ସହାୟକ ହୋଇପାରିବ।
ମଲ୍‌ରେ ଭାରତର ବିଭିନ୍ନ ପ୍ରକାର ହସ୍ତଶିଳ୍ପ ଓ ପାରମ୍ପରିକ ବସ୍ତୁ ରହିଛି। ଏହା ଏକତାର ପ୍ରତୀକ ଭାବେ ରହି ୩,୫୦୦ ବର୍ଗଫୁଟ ମଧ୍ୟରେ ରହିଛି। ଏଠାରେ ୨୦ ଏମ୍ପୋରିୟମ ରହିଛି। ମାତ୍ର ୧୧୦ ଦିନରେ ଏହାକୁ ନିର୍ମାଣ କରାଯାଇଛି। ସେଠାରେ ସେହିଭଳି ୩୫,୦୦୦ ବର୍ଗଫୁଟରେ ଶିଶୁ ପୋଷଣ ଉଦ୍ୟାନ ନିର୍ମାଣ କରାଯାଇଛି। ଏହାର ଚାରିପଟେ ଏକ ନ୍ୟୁଟ୍ରି ଟ୍ରେନ୍‌ ବୁଲୁଥିବାର ଦେଖିବାକୁ ମିଳିଛି। ଏହା ଶିଶୁ ପୋଷଣ ନେଇ ସଚେତନତାର ବାର୍ତ୍ତା ପ୍ରଦାନ କରୁଛି।
ମୋଦି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପ୍ରାଣୀ ଉଦ୍ୟାନ ସହ ମୋଟ ୧୭ ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି। ଏଥିସହ ୪ ନୂଆ ପ୍ରକଳ୍ପ ଲାଗି ଶିଳାନ୍ୟାସ କରିଛନ୍ତି। ନାଭିଗେଶନ ଚ୍ୟାନେଲ, ନୂଆ ଗେରା ସେତୁ, ଏକତା କ୍ରୁଜ୍‌ ସେବା, ବସ୍‌ ବେ ଟର୍ମିନସ୍‌ ଆଦି ଏହି ପ୍ରକଳ୍ପରେ ସାମିଲ ଅଛି। ଜାହାଜରେ ଯାତ୍ରାକରିବା ସହ ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ମଜା ଏଥିରେ ନିଆଯାଇପାରିବ।

Share